ମହିଳା ଅଭିଯୋଗକାରୀଙ୍କ ଠାରୁ ତେଲ ମାଲିସ ଖାଇଲେ ପୁଲିସ ବାବୁ : ହେଲେ ନିଲମ୍ବିତ

ପାଟନା: ବିହାରର ସହରସା ଜିଲ୍ଲାରୁ ଭାଇରଲ ହୋଇଛି ଏକ ଥାନା ଅଧିକାରୀଙ୍କ ଭିଡିଓ | ଥାନା ଭିତରେ ମହିଳାଙ୍କ ଠାରୁ ତେଲ ମାଲିସ ଖାଉଥିବାର ଭିଡିଓ ଭାଇରଲ ହୋଇଛି | ପରେ ଏହି ଭିଡିଓ କୁ ନେଇ ନିଲମ୍ବିତ ହୋଇଛନ୍ତି ପୋଲିସ ବାବୁ |

ପଡିଛି ଖଟ, ଚୁଲା ଉପରେ ବସିଛି ଚା’। ପାଖରେ ଅଛି ମିକ୍ସଚର୍‌ ଓ ବିସ୍କୁଟ୍‌। ଆଉ ଖଟ ଉପରେ ବସି ମାଲିସ ଖାଉଛନ୍ତି ପୁଲିସ ବାବୁ। ଥାନା ଭିତରେ ଏହି ରାଜକୀୟ ସେବା ପୁଲିସ ବାବୁଙ୍କୁ ମହଙ୍ଗା ପଡିଛି। ଜଣେ ମହିଳା ଅଭିଯୋଗକାରୀଙ୍କ ଠାରୁ ତେଲ ମାଲିସ ଖାଇବା ଅଭିଯୋଗରେ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି।

ବିହାରର ସହରସା ଜିଲ୍ଲାରୁ ଆସିଛି କିଛି ଏଭଳି ଚିତ୍ର। ଏଠାକାର ନବହଟ୍ଟା ବ୍ଲକ ଅନ୍ତର୍ଗତ ଥାନାର ଜଣେ ପୁଲିସ ବାବୁ ପୁଅ ଜାମିନ ଆବେଦନ ପାଇଁ ଆସିଥିବା ଜଣେ ମହିଳାଙ୍କ ଠାରୁ ତେଲ ମାସିଲ ଖାଉଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉକ୍ତ ପୁଲିସ ବାବୁ ହେଉଛନ୍ତି ଶଶିଭୂଷଣ ସିଂହ। ସେ ଫୋନ୍‌ରେ କଥା ହେଉଥିବା ବେଳେ ମହିଳା ଜଣଙ୍କ ତାଙ୍କୁ ତେଲ ମାସିଲ କରୁଛନ୍ତି। ସେହିପରି ଆଉ ଜଣେ ମହିଳା ଗେରୁଆ ରଙ୍ଗର ଶାଢ଼ୀ ପିନ୍ଧି ଟେବୁଲ ଉପରେ ବସିଥିବା ଭିଡିଓରେ ଦେଖିବାକୁ ମିଳିଛି।

ଅଭିଯୋଗ ହୋଇଛି ଯେ, ମହିଳାଙ୍କ ଅସହାୟତାର ଫାଇଦା ଉଠାଇ ଦାରହର ଓପି ପୁଲିସ୍ ଷ୍ଟେସନ ଶଶି ଭୂଷଣ ସିଂହ ଖାଲି ଦେହରେ ମସାଜ କରିବାକୁ ମହିଳା ଜଣଙ୍କୁ ବାଧ୍ୟ କରିଥିଲେ। ଉକ୍ତ ପୁଲିସ ଅଫିସରଙ୍କ ବାର୍ତ୍ତାଳାପରୁ ଜଣାପଡିଛି ଯେ ଉକ୍ତ ମହିଳା ଜଣକ ନିଜ ପୁଅର ଜାମିନ ଆବେଦନ ପାଇଁ ପୁଲିସକୁ ସାହାଯ୍ୟ ମାଗିବାକୁ ଆସିଥିଲେ। ଥାନାବାବୁ ତାଙ୍କ କାମ କରାଇବା ବଦଳରେ ତାଙ୍କଠାରୁ ଏହି ସେବା ନେଇଥିବା ଅଭିଯୋଗ ହୋଇଛି।

ଥାନା ଭିତରେ ପୁଲିସ ବାବୁଙ୍କ ଏଭଳି ତେଲ ମାସିଲ ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାର ଏସ୍‌ପି ଲିପି ସିଂହ ସମ୍ପୃକ୍ତ ପୁଲିସ ଅଫିସର ଶଶିଭୂଷଣ ସିଂହଙ୍କୁ ନିଲମ୍ବିତ କରିଛନ୍ତି। ଏଥିସହ ଉକ୍ତ ଘଟଣାର ଜବାବ ମଧ୍ୟ ମାଗିଛନ୍ତି।

ସେପଟେ ଏହି ଭିଡିଓ ଭାଇରଲ ହେବା ପରେ ଚାରିଆଡେ ଏନେଇ ଚର୍ଚା ଆରମ୍ଭ ହୋଇଯାଇଛି |

Related Posts