ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ୟୁକ୍ରେନ କବଜାରେ ପୁଟିନଙ୍କ ଖାସ ଲୋକ ବିକାଶ ମେଡଭେଡଚୁକ । ୟୁକ୍ରେନର ଗୁଇନ୍ଦା ଏଜେନ୍ସି ଏସବିୟୁ କିଛି ଫଟୋ ସେୟାର କରିଛି ଯେଉଁଥିରେ ମେଡଭେଡଚୁକଙ୍କ ହାତରେ ହ୍ୟାଣ୍ଡକଫ୍ ଲାଗିଥିବା ନଜର ଦେଖାଯାଇଛି। ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମଧ୍ୟ ମେଡଭେଡଚୁକ ଗିରଫ ବିଷୟରେ କହିଛନ୍ତି। ସେପଟେ ଦେଶଦ୍ରୋହ ଅଭିଯୋଗରେ ଗତ ବର୍ଷ ମେଡଭେଡଚୁକଙ୍କୁ ଗିରଫ କରାଯାଇଥିଲା। ମେଡଭେଡଚୁକ୍ ଚଳିତ ବର୍ଷ ଫେବ୍ରୁଆରି ଶେଷରେ ଜେଲରୁ ଖସି ପଳାଇଥିବା ବେଳେ ଏବେ ୟୁକ୍ରେନ ତାଙ୍କୁ ପୁଣି ଅଟକ ରଖିଥିବା ଦାବି କରିଛି।

ମେଡଭେଡଚୁକଙ୍କ ମୁକ୍ତି ବଦଳରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନର ସାଧାରଣ ନାଗରିକ ଏବଂ ସୈନିକମାନଙ୍କୁ ମୁକ୍ତ କରିବାକୁ ରୁଷକୁ ପ୍ରସ୍ତାବ ଦେଇଛନ୍ତି। ରୁଷର ରାଷ୍ଟ୍ରପତି ଭବନ କ୍ରେମଲିନର ମୁଖପାତ୍ର ଦିମିତ୍ରୀ ପେସ୍କୋଭ କହିଛନ୍ତି ଯେ, ସେ ମେଡଭେଡଚୁକଙ୍କୁ ଗିରଫ କରାଯାଇଥିବାର ଫଟୋ ଦେଖିଛନ୍ତି। ଏହାକୁ ଦେଖି ସେ କହିଛନ୍ତି ଯେ ଅନେକ ମିଥ୍ୟା ଖବର ସାମ୍ନାକୁ ଆସୁଛି, ତେଣୁ ଏହି ଫଟୋ ଦେଖି ଏହା କେତେ ସତ ତାହା କୁହାଯାଇପାରିବ ନାହିଁ। ଫଟୋରେ ସତ୍ୟତା ଥିବା ନେଇ ଜଣାପଡ଼ିବା ପରେ ୟୁକ୍ରେନର ଦାବି ବିଷୟରେ ଚିନ୍ତା କରାଯିବ ବୋଲି ସେ କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।