ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଋଷ ସେନା ସହିତ ‘ନାଟୋ’ର ପ୍ରତ୍ୟକ୍ଷ ସଂଘର୍ଷ ଅଥବା ପ୍ରତ୍ୟକ୍ଷ ଯୁଦ୍ଧ ବିଶ୍ବ ବିପର୍ଯ୍ୟୟର କାରଣ ହେବ ବୋଲି ଶୁକ୍ରବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ ଚେତାବନୀ ଦେଇଛନ୍ତି। କାଜାକିସ୍ତାନର ରାଜଧାନୀ ଅସ୍ତାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପୁଟିନ୍‌ କହିଛନ୍ତି, କ‌ୌଣସି କାରଣରୁ ‘ନାଟୋ’ ସେନାଙ୍କର ରୁଷୀୟ ସେନା ସହିତ ପ୍ରତ୍ୟକ୍ଷ ସଂଘର୍ଷ ବା ପ୍ରତ୍ୟକ୍ଷ ଯୁଦ୍ଧ ହେଲେ ଏଭଳି ବିପଜ୍ଜନକ ହେବ ଯାହା ବିଶ୍ୱକୁ ବିପର୍ଯ୍ୟୟ ପଥକୁ ନେଇଯାଇ ପାରେ। ଆଶା କରେ, ଯେଉଁମାନେ ଏ କଥା କହୁଛନ୍ତି ଏ ଭଳି ପ‌ଦକ୍ଷେପ ଗ୍ରହଣ ନ କରିବା ପାଇଁ ସେମାନଙ୍କ ଯଥେଷ୍ଟ ଜ୍ଞାନ ଥିବ ବୋଲି ପୁଟିନ କହିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଗତମାସରେ ୟୁକ୍ରେନ୍‌ର ୪ଟି ପ୍ରଦେଶ ଜୟ କରିବା ପରେ ପୁଟିନ୍‌ ସତର୍କ କରାଇ କହିଥିଲେ ଯେ, ରୁଷୀୟ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ସେ ଆଣବିକ ଅସ୍ତ୍ର ପ୍ରୟୋଗ କରିବେ। ପୁଟିନ୍‌ଙ୍କ ଏ ଭଳି ପଦକ୍ଷେପକୁ ଚଳିତ ସପ୍ତାହରେ ଜାତିସଂଘ ନିନ୍ଦା କରିଛି।ସେହିପରି, ମଙ୍ଗଳବାର ଦିନ ‘ଗ୍ରୁପ୍‌ ଅଫ୍ ସେଭେନ୍‌’ (ଜି୭) ରାଷ୍ଟ୍ରସମୂହ ଚେତାବନୀ ଦେଇଥିଲେ ଯେ, ୟୁକ୍ରେନ୍‌ ଉପରେ ପରମାଣୁ ଅସ୍ତ୍ର ପ୍ରୟୋଗର ପରିଣାମ ଭୟବହ ହେବ।

ସାମ୍ବାଦିକମାନଙ୍କୁ ପୁଟିନ ଆହୁରି ମଧ୍ୟ କହିଛନ୍ତି, ଆଜି ଯାହା ହେଉଛି, ତାହା ଭଲ କଥା ନୁହେଁ। କିନ୍ତୁ, ସେମିତି ନ କରିଥିଲେ (ଯଦି ଫେବ୍ରୁଆରି ମାସରେ ରୁଷ୍‌ ଅ ଆକ୍ରମଣ କରି ନ ଥାଆନ୍ତା) ଆମେ ଆଜି ସମ ଦଶା ଭୋଗି ଥାଆନ୍ତୁ, ବରଂ ଆମର ଅବସ୍ଥା ଆହୁରି ଖରାପ ହୋଇ ଥାଆନ୍ତା।ଶୁକ୍ରବାର ଦିନ ମଧ୍ୟ ସେ ଗୁରୁତ୍ବାରୋପ କରି କହିଥିଲେ ଯେ, ତେଣୁ,ଆମେ ଯାହା କରୁଛୁ ଠିକ୍‌ କରୁଛୁ। ଅବଶ୍ୟ ଏହାଦ୍ବାରା ରୁଷ୍‌ର କେତେକ ପୂର୍ବତନ ସୋଭିଏତ୍‌ ମିତ୍ର ଦେଶ ଚିନ୍ତିତ ବୋଲି ସେ ସ୍ବୀକାର କରିଥିଲେ।