ହାଇଦ୍ରାବାଦ ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ: ତେଲଙ୍ଗାନା ପୋଲିସ ବିରୋଧରେ FIR ପାଇଁ ଦାବି

(ସତ୍ୟପାଠ ବ୍ୟୁରୋ) ହାଇଦ୍ରାବାଦ ଗଣଦୁଷ୍କର୍ମ ପରେ ହତ୍ୟା ମାମଲାରେ ତେଲଙ୍ଗାନା ପୋଲିସ 4 ଅଭିଯୁକ୍ତଙ୍କୁ ଏନ୍‌କାଉଣ୍ଟର କରି ନିହତ କରିବା ପରେ ପୋଲିସର କାର୍ଯ୍ୟଶୈଳୀ ଉପରେ ଉଠିଛି ପ୍ରଶ୍ନ । ତେଲଙ୍ଗାନା ପୋଲିସ ବିରୋଧରେ ମାମଲା ରୁଜୁ ହେବା ଆବଶ୍ୟକ ବୋଲି କହିଛନ୍ତି ସୁପ୍ରିମ କୋର୍ଟର ଆଇନଜୀବୀ ବୃନ୍ଦା ଗ୍ରୋବର । ଯେକୌଣସି ମାମଲା ହେଉନା କାହିଁକି ପୋଲିସ ଏନ୍‌କାଉଣ୍ଟର କରିବା ଉଚିତ ନୁହେଁ । ତେଣୁ ଏହି ମାମଲାର ନ୍ୟାୟିକ ତଦନ୍ତ ମଧ୍ୟ ଦାବି କରିଛନ୍ତି ବୃନ୍ଦା ।

ସେହିଭଳି ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା ବି ବୃନ୍ଦାଙ୍କ କଥାକୁ ଦୋହରାଇଛନ୍ତି । ସେ କହିଛନ୍ତି ମାମଲା ଯାହା ବି ହେଉନା କାହିଁକି ପୋଲିସ ଏନ୍‌କାଉଣ୍ଟର କରିବା ସମ୍ପୂର୍ଣ୍ଣ ଭୁଲ । ଏଭଳି ମାମଲାରେ ଆଇନ ଅନୁସାରେ ଅଭିଯୁକ୍ତ ବା ଦୋଷୀଙ୍କୁ ଫାଶୀ ଦଣ୍ଡ ଦିଆଯାଉ କିନ୍ତୁ ଏଭଳି ଏନ୍‌କାଉଣ୍ଟର କରାନଯିବା ଉଚିତ ବୋଲି ସେ କହିଛନ୍ତି । ଗଣଦୁଷ୍କର୍ମ ଭଳି ସମ୍ବାଦନଶୀଳ ମାମଲା ଖୁବ ଶୀଘ୍ର ତଦନ୍ତ କରାଯାଇ ଆଇନ ଅନୁସାରେ ଅଭିଯୁକ୍ତଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ । ଆଜି ଏନ୍‌କାଉଣ୍ଟର ନେଇ ଲୋକମାନେ ଖୁସି ହୋଇପାରନ୍ତି କିନ୍ତୁ ସବୁ କିଛି ଆଇନ ଏବଂ ଆମ ସସମ୍ବିଧାନର ନିୟମ ଅନୁସାରେ ହେବା ଉଚିତ୍ ବୋଲି କହିଛନ୍ତି ଜାତୀୟ ମହିଳା କମିସନ ଅଧ୍ୟକ୍ଷା ରେଖା ଶର୍ମା ।

ବିଜେପି ସାଂସଦ ମେନକା ଗାନ୍ଧି ବି ତେଲଙ୍ଗାନା ପୋଲିସର ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ କରି କହିଛନ୍ତି ଯାହା ବି ହୋଇଛି ଅତି ଭୟଙ୍କର ହୋଇଛି । ଯଦି ପୋଲିସ ଅଭିଯୁକ୍ତଙ୍କୁ ଏଭଳି ଦଣ୍ଡ ମିଳିବା ପୂର୍ବରୁ ବନ୍ଧୁକ ମୁନରେ ମୃତ୍ୟୁଦଣ୍ଡ ଦେବ ତେବେ ଲୋକଙ୍କର ଆଉ ନ୍ୟାୟିକ ପ୍ରକ୍ରିୟା, କୋର୍ଟ ଓ ପୋଲିସ ଉପରେ ବିଶ୍ବାସ ରହିବ ନାହିଁ ।

ଲୋକସଭାରେ ଏଆଇଏମଆଇଏମର ମୁଖ୍ୟ ଅଶଦୁଦ୍ଦୀନ ଓୱୈସୀ କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଏନକାଉଣ୍ଟରର ଯାଂଚ୍ ହେବା ଉଚିତ୍ । ଅଶଦୁଦ୍ଦୀନ ଓୱୈସୀଙ୍କ ବ୍ୟତୀତ କଂଗ୍ରେସର ବରିଷ୍ଠ ନେତା ଶଶି ଥରୁର ବି ଏନ୍‌କାଉଣ୍ଟରକୁ ନାପସନ୍ଦ କରିଛନ୍ତି । ଥରୁରୁ କହିଛନ୍ତି ଯେ, ଏଭଳି ଏନକାଉଣ୍ଟରକୁ ବିଶ୍ଵାସ କରାଯିବ ନାହିଁ । ଯଦି ଅଭିଯୁକ୍ତକାରୀଙ୍କ ନିକଟରେ ଅସ୍ତ୍ର ଥିଲା ତେବେ ପୁଲିସ ତାର କାର୍ଯ୍ୟାନୁଷ୍ଠାନକୁ ଉଚିତ୍ ସାବ୍ୟସ୍ତ କରିପାରିବ । ଯେଉଁ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାମଲା ସାମ୍ନାକୁ ଆସି ନାହିଁ ସେପର୍ଯ୍ୟନ୍ତ ଆମକୁ ନିନ୍ଦା କରିବା ଉଚିତ୍ ନୁହେଁ। କିନ୍ତୁ ପୋଲିସର ଏହି ପ୍ରକ୍ରିୟାକୁ ଉଚିତ୍ କୁହାଯିବ ନାହିଁ ।

Related Posts