ରାଗିଂ ଘଟଣା; ସ୍ମୃତିଶ୍ରୀ ମୃତ୍ୟୁକୁ ୭ମାସ ପୂରିଲା ହେଲେ ହାତବାନ୍ଧି ବସିପଡ଼ିଛି ପୁଲିସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା କରିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି । ସେପଟେ ଯାଜପୁର ଜିଲ୍ଲା କାଳିଆପାଣି ଥାନା ସଂଲଗ୍ନ ବିଜିଆର୍ କଲୋନିର +୨ ଦ୍ବିତୀୟ ବର୍ଷ ବିଜ୍ଞାନ ଛାତ୍ରୀ ସ୍ମୃତିଶ୍ରୀ ଦାସଙ୍କ ଝୁଲନ୍ତା ମୃତଦେହ ଚଣ୍ଡିଖୋଲ ସୁଙ୍ଗୁଡ଼ାସ୍ଥିତ ଜିଆଇଇଟି କଲେଜ୍ ହଷ୍ଟେଲରୁ ଉଦ୍ଧାର ହୋଇଥିଲା। ରାଗିଂ ପାଇଁ ସ୍ମୃତିଶ୍ରୀଙ୍କ ଜୀବନ ଯାଇଥିଲା। ମୃତ୍ୟୁକୁ ଠିକ୍ ୭ ମାସ ପୂରିଥିଲେ ମଧ୍ୟ ସ୍ମୃତିଶ୍ରୀଙ୍କ ପରିବାର ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି। ଅଭିଯୁକ୍ତ ତାଲିକାରେ ନାଁ ଥିବା ୬ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଏଯାଏଁ ଜଣେ ହେଲେ ବି ଗିରଫ ହୋଇନାହାନ୍ତି। ଏହି ଘଟଣାରେ ପୁଲିସ ସାମାନ୍ୟତମ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ ନକରି ୭ ମାସ ହେଲା ଚୁପ୍ ବସିଛି। ଯାହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି । ଅନ୍ୟପଟେ ନଭେମ୍ବର ୩ ତାରିଖରେ କଲେଜ ହଷ୍ଟେଲ କୋଠରୀ ମଧ୍ୟରୁ ସ୍ମୃତିଶ୍ରୀଙ୍କର ସୁଇସାଇଡାଲ୍ ନୋଟ୍ ଜବତ ହୋଇଥିଲା। ଏଥିରେ ତାଙ୍କ ମୃତ୍ୟୁ ପାଇଁ ଶିକ୍ଷକ, ସହପାଠୀ ଓ ୱାର୍ଡେନଙ୍କୁ ଦାୟୀ କରିଥିଲେ। ସେମାନେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କୁ ରାଗିଂ କରି ଆସୁଥିଲେ ବୋଲି ସ୍ମୃତିଶ୍ରୀ ଉଲ୍ଲେଖ କରିଥିଲେ। ଝିଅର ମୃତ୍ୟୁ ପାଇଁ ମୁଦୁଲି ସାର, ଶଶୀକାନ୍ତ ସାର, ଶୁଭ, ରାଜଲକ୍ଷ୍ମୀ ପ୍ରଧାନ, କଳାଶ୍ରୀ ଦାସ ଓ ନିର୍ମଳା ସାହୁ ଦାୟୀ ବୋଲି ଅଭିଯୋଗ ଆଣି ସେଦିନ ମୃତ ଛାତ୍ରୀଙ୍କ ମା’ ମଧୁସ୍ମିତା ଥାନାରେ ଅଭିଯୋଗ କରିଥିଲେ।

ଏ ସଂକ୍ରାନ୍ତରେ ଥାନାରେ ଆଇପିସି ଦଫା ୩୦୨/୩୪ ଆଧାରରେ ଏକ କେସ ୪୧୯/୨୦୨୧ ରୁଜୁ ହୋଇଥିଲା। କିନ୍ତୁ, ଏବେ ବି ସେମାନେ ନ୍ୟାୟ ଅପେକ୍ଷାରେ ଅଛନ୍ତି ବୋଲି ଏହି ଦମ୍ପତି କହନ୍ତି। ମୃତ ଛାତ୍ରୀଙ୍କ ବାପା ରବୀନ୍ଦ୍ର କହିଛନ୍ତି, ଗତ ଏପ୍ରିଲ ମାସ ୧୩ ତାରିଖରେ ଥାନାରୁ ଝିଅର ମୃତ୍ୟୁ ପ୍ରମାଣପତ୍ର ଆଣିବା ପାଇଁ ମଧ୍ୟ ୪ ଘଣ୍ଟା ଅଯଥା ଅପେକ୍ଷା କରିବାକୁ ପଡ଼ିଥିଲା। ଫଳରେ, ପୁଲିସ ଠାରୁ ନ୍ୟାୟ ପାଇବା ଆଶା ମଉଳି ଯାଇଛି । ଅନ୍ୟପକ୍ଷରେ ତଦନ୍ତଭାର ନେଇଥିବା ବଡ଼ଚଣା ଥାନା ଅଧିକାରୀ ସୁଶୀଲ କୁମାର ନାୟକଙ୍କୁ ଆଜି ଯୋଗାଯୋଗ କରିବାରେ ସବୁଦିଗକୁ ନେଇ ପୁଲିସ ତଦନ୍ତ ଜାରି ରହିଥିବା କହିଛନ୍ତି। ଗୋଟିଏ ପଟେ ରାଜ୍ୟରେ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଥିବାବେଳେ ପୁଲିସ ଏପରି ହାତବାନ୍ଧି ବସିପଡ଼ିବାକୁ ଘଟଣାକୁ ସ୍ଥାନୀୟ ଲୋକେ ବିରୋଧ କରୁଥିବାର ଦେଖିବାକୁ ମିଳିଛି । ତେବେ ବର୍ତ୍ତମାନ ଦେଖିବାକୁ ବିଷୟ ଏ ଦିଗରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କେବେ ଗ୍ରହଣ କରାଯାଉଛି ।

Related Posts