କରୋନାରୁ ସୁସ୍ଥ ହୋଇ ଫେରିଲେ ରାହୁଲ ଦ୍ରାବିଡ଼: ଦଳ ସହ ଦେଲେ ଯୋଗ

ଦୁବାଇ : ଆରମ୍ଭ ହୋଇଥିବା ଏସିଆ କପର ଦ୍ଵିତୀୟ ଦିନରେ ଭାରତୀୟ ଦଳ ନିଜର ପ୍ରଥମ ମ୍ୟାଚ ପାକିସ୍ତାନ ବିରୋଧରେ ଖେଳୁଛି । ସେପଟେ ଏହାରି ମଧ୍ୟରେ ଏକ ଖୁସି ଖବର ଆସିଛି । ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ଼ କରୋନା ସଂକ୍ରମଣରୁ ସୁସ୍ଥ ହୋଇ ଦଳ ସହ ଯୋଗ ଦେଇଛନ୍ତି ।

କରୋନା ସଂକ୍ରମିତ ହେବା ପରେ ଦ୍ରାବିଡ଼ ଏସିଆ କପ ପାଇଁ ଭାରତୀୟ ଟିମ ସହ ଦୁବାଇ ଯାଇପାରିନଥିଲେ । ତାଙ୍କ ବଦଳରେ ଜାତୀୟ କ୍ରିକେଟ୍ ଏକାଡେମୀ ମୁଖ୍ୟ ଭି.ଭି.ଏସ.ଲକ୍ଷ୍ମଣଙ୍କୁ ଦଳର ମୁଖ୍ୟ କୋଚ ଦାୟିତ୍ବ ଦିଆଯାଇଥିଲା । ତେବେ ଦ୍ରାବିଡ୍ କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ଦୁବାଇ ଯାଇ ଭାରତୀୟ ଦଳ ସହ ଯୋଗ ଦେଇଛନ୍ତି । ଏହା ଟିମର ମନୋବଳକୁ ବଢାଇବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ରାହୁଲ ଦ୍ରାବିଡ ଦଳ ସହ ଯୋଗ ଦେବା ପରେ ଅସ୍ଥାୟୀ କୋଚ୍ ଭି.ଭି.ଏସ. ଲକ୍ଷ୍ମଣ ଭାରତ ଫେରିଆସିଥିବା ଜଣାପଡ଼ିଛି ।

ଏସିଆ କପ ପୂର୍ବରୁ ରାହୁଲ ଦ୍ରାବିଡ୍ ଭାରତୀୟ ଦଳର ଓ୍ବେଷ୍ଟ ଇଣ୍ଡିଜ୍ ଗସ୍ତରେ ଯାଇନଥିଲେ । ତାଙ୍କୁ ଦୁଇ ସପ୍ତାହ ପାଇଁ ବିଶ୍ରାମ ଦିଆଯାଇଥିଲା । ସେହିପରି ଜିମ୍ବାଓ୍ବେ ଗସ୍ତରେ ବି ସେ ଯାଇନଥିଲେ । ତାଙ୍କ ସହ ବ୍ୟାଟିଂ କୋଚ୍ ବିକ୍ରମ ରାଠୋର, ବୋଲିଂ କୋଚ୍ ପାରସ ମାମ୍ରେଙ୍କୁ ବି ବିଶ୍ରାମ ଦିଆଯାଇଥିଲା । ଏହି ଗସ୍ତ ପାଇଁ ଭି.ଭି.ଏସ. ଲକ୍ଷ୍ମଣ କୋଚ୍ ନିଯୁକ୍ତ ହୋଇଥିଲା ।

Related Posts