ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଓ ଆସାମ ମୁଖ୍ୟମନ୍ତ୍ରୀଙ୍କ ଟୁଇଟର ଯୁଦ୍ଧ: ଦିଲ୍ଲୀକୁ ଲଣ୍ଡନ ଓ ପ୍ୟାରିସ୍ ଭଳି କରିବାକୁ କହି ଏବେ ଆସାମ ସହ ତୁଳନା କରୁଛ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ ଲାଗିଛି । ଦୁହେଁ ପରସ୍ପର କୁ ଟାର୍ଗେଟ କରିଛନ୍ତି । ଶନିବାର ଟ୍ବିଟ କରି ଆସାମ ଯିବା ପାଇଁ କେବେ ନିମନ୍ତ୍ରଣ କରୁଛନ୍ତି ବୋଲି ହିମନ୍ତ ବିଶ୍ୱ ଶର୍ମାଙ୍କୁ ପଚାରିଥିଲେ କେଜ୍ରିୱାଲ। ଯାହାର ଉତ୍ତର ମୁଖ୍ୟମନ୍ତ୍ରୀ ଶର୍ମା ଆଜି ଟ୍ୱିଟ୍ କରି କହିଛନ୍ତି, ‘ଆଜି ଅରବିନ୍ଦ କେଜ୍ରିୱାଲଜୀ ଆସାମ ଆସିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି। ମୁଁ ଦୁଃଖିତ ଯେ ଆସାମର ଲୋକମାନେ ବନ୍ୟା ପରି ଏକ ଭୟଙ୍କର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରୁଥିବାବେଳେ କେଜ୍ରିୱାଲଜୀଙ୍କ ଏପରି ଇଚ୍ଛା ଜାଗ୍ରତ ହୋଇନଥିଲା।
ହିମନ୍ତ ବିଶ୍ୱ ଶର୍ମା ଅନ୍ୟ ଏକ ଟ୍ୱିଟରେ କହିଛନ୍ତି, ‘ଆପଣ ଲଣ୍ଡନ ଏବଂ ପ୍ୟାରିସ ଭଳି ଦିଲ୍ଲୀ ତିଆରି କରିବାର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲେ, ମନେ ଅଛି ତ କେଜ୍ରିୱାଲଜୀ? ଏବେ ଦିଲ୍ଲୀକୁ ଲଣ୍ଡନ ଏବଂ ପ୍ୟାରିସ ଭଳି ନକରିପାରିବାରୁ ଆସାମ ଏବଂ ଉତ୍ତର ପୂର୍ବର ଛୋଟ ସହର ସହିତ ଦିଲ୍ଲୀକୁ ତୁଳନା କରିବା ଆରମ୍ଭ କରିଛନ୍ତି। ଯଦି ଦିଲ୍ଲୀ ଭଳି ସହର ବିଜେପି ହାତକୁ ଆସେ, ତେବେ ଦଳ ଏହାକୁ ବିଶ୍ୱର ସବୁଠାରୁ ସମୃଦ୍ଧ ସହରରେ ପରିଣତ କରିବ।

ଉଲ୍ଲେଖଯୋଗ୍ୟ, କେଜ୍ରିୱାଲ ବୁଧବାର ଏକ ଟ୍ୱିଟ କରିଥିଲେ ଯେ ସ୍କୁଲ ବନ୍ଦ କରିବା ସମାଧାନ ନୁହେଁ ଏବଂ ଦେଶରେ ଅଧିକ ସ୍କୁଲ ଖୋଲିବାର ଆବଶ୍ୟକତା ରହିଛି। ଏହା ସହିତ ଆସାମର କିଛି ବିଦ୍ୟାଳୟକୁ ବନ୍ଦ କରାଯାଉଛି ବୋଲି ଦାବି କରୁଥିବା ଏକ ଖବରକୁ ସେୟାର କରିଥିଲେ ।

ଏହାର ଜବାବରେ ମୁଖ୍ୟମନ୍ତ୍ରୀ ଶର୍ମା ଦିଲ୍ଲୀ ଏବଂ ଆସାମ ମଧ୍ୟରେ ଥିବା ପାର୍ଥକ ଦର୍ଶାଇ ଟ୍ବିଟ କରିଥିଲେ ଯେ, କେଜ୍ରିୱାଲଜୀ, ଆପଣଙ୍କ ଅଜ୍ଞତା ଦୁଃଖିତ କଲା ଭଳି । ଆସାମ ଦିଲ୍ଲୀ ଠାରୁ ୫୦ଗୁଣ ବଡ। ଆମର ୪୪,୫୨୧ ବିଦ୍ୟାଳୟରେ ୬୫ଲକ୍ଷ ଛାତ୍ର ଅଧ୍ୟୟନ କରୁଛନ୍ତି ଏବଂ ଆପଣଙ୍କର ଏକ ହଜାରରୁ ଟିକେ ଅଧିକ ବିଦ୍ୟାଳୟ ଅଛି। ଆମର ଦୁଇ ଲକ୍ଷରୁ ଅଧିକ ଉତ୍ସର୍ଗୀକୃତ ଶିକ୍ଷକ ଏବଂ ୧.୧୮ ଲକ୍ଷ ମଧ୍ୟାହ୍ନ ଭୋଜନ କର୍ମଚାରୀ ରହିଛନ୍ତି। ଏହା ତୁଳନାରେ ଆପଣଙ୍କ ସଂଖ୍ୟା କମ।

ଆଉ ଏକ ଟ୍ବିଟରେ ସେ ଲେଖିଥିଲେ, ଶୁଣନ୍ତୁ, ଯେତେବେଳେ ଆପଣ ଆସାମ ଆସିବେ ମୁଁ ଆପଣଙ୍କୁ ଆମର ମେଡିକାଲ କଲେଜକୁ ନେଇଯିବି ଯାହା ଆପଣଙ୍କ ମୋହଲା କ୍ଲିନିକ ଅପେକ୍ଷା ହଜାରେ ଗୁଣ ଭଲ। ଆପଣ ଆମର ଦକ୍ଷ ସରକାରୀ ବିଦ୍ୟାଳୟର ଶିକ୍ଷକ ଏବଂ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ଭେଟିବେ। ଆପଣ ଦେଶକୁ ଏକ ନମ୍ବର କରିବା ବିଷୟରେ ଚିନ୍ତା କରିବା ବନ୍ଦ କରିବା ଉଚିତ୍, ସେ କାମ ମୋଦୀଜୀ କରୁଛନ୍ତି।

ମୁଖ୍ୟମନ୍ତ୍ରୀ ଶର୍ମାଙ୍କ ଏଭଳି ଟ୍ବିଟର ଜବାବ ‌ରଖି କେଜ୍ରିୱାଲ ଲେଖିଥିଲେ ଯେ, ଆମର ଏଠାରେ ଏକ ପ୍ରବାଦ ଅଛି। କେହି ଯଦି ପଚାରେ ମୁଁ କେବେ ଆସିବି ଏବଂ ଆପଣ କୁହନ୍ତି ଯେ, ଯେକୌଣସି ସମୟରେ ଆସ, ଏହାର ଅର୍ଥ ହେଉଛି କେବେ ବି ଆସ ନାହିଁ। ମୁଁ ଆପଣଙ୍କୁ ପଚାରିଲି ମୁଁ ଆପଣଙ୍କ ସରକାରୀ ବିଦ୍ୟାଳୟ କେବେ ଦେଖିବା ପାଇଁ ଆସିବି। ଆପଣ ଏଯାଏ ତାହାର ଉତ୍ତର ଦେଇନାହାନ୍ତି। ମୋତେ କୁହନ୍ତୁ ମୁଁ କେବେ ଆସିବି, ତା’ପରେ ମୁଁ ଆସିବି।

Related Posts