କାର୍ଯ୍ୟକାଳ ବୃଦ୍ଧି କରିବେନି ରାହୁଲ୍‌ ଦ୍ରାବିଡ଼; ଟିମ୍‌ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ୍‌ ହୋଇପାରନ୍ତି ଭି.ଭି.ଏସ୍‌. ଲକ୍ଷ୍ମଣ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଦିନିକିଆ ବିଶ୍ବକପ୍‌ ଶେଷ ହେବା ସହିତ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ଭାବେ ପ୍ରଖ୍ୟାତ ବ୍ୟାଟ୍‌ସ୍‌ମ୍ୟାନ୍‌ ରାହୁଲ୍‌ ଦ୍ରାବିଡ଼ଙ୍କର ଦୁଇବର୍ଷିଆ ରାଜିନାମା ମଧ୍ୟ ଶେଷ ହୋଇଛି | ଏନେଇ ବିସିସିଆଇ ସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି। ରାଜିନାମା ସମୟ ବୃଦ୍ଧି କରିବା ପାଇଁ ଟିମ୍‌ ଇଣ୍ଡିଆର ହେଡ୍‌କୋଚ୍‌ ପଦବୀରେ ରହିବାକୁ ଅନାଗ୍ରହୀ ବୋଲି ନିଜେ ନିଷ୍ପତ୍ତି ନେବା ସହିତ ଏ କଥା ଦ୍ରାବିଡ଼ ବିସିସିଆଇକୁ ଅବଗତ କରାଇ ଦେଇଛନ୍ତି।

ଦ୍ରାବିଡ଼ଙ୍କ ପରେ ଟିମ୍‌ ଇଣ୍ଡିଆର ନୂଆ ହେଡ୍‌ କୋଚ୍‌ ହୋଇ ପାରନ୍ତି ତାଙ୍କର ଘନିଷ୍ଠ ବନ୍ଧୁ ଭି.ଭି.ଏସ୍‌ ଲକ୍ଷ୍ମଣ। ସମ୍ପ୍ରତି ଲକ୍ଷ୍ମଣ ଗୁରୁବାରଠାରୁ ଭାଇଜାଗ୍‌ରେ ଆରମ୍ଭ ହେବାକୁ ଥିବା ଭାରତ-ଅଷ୍ଟ୍ରେଲିଆ ଟି୨୦ଆଇ ସିରିଜ୍‌ର ୫ଟି ମ୍ୟାଚ୍‌ ନିମନ୍ତେ ଭାରତୀୟ ଟିମ୍‌ର ସେକେଣ୍ଡ୍‌-ଷ୍ଟ୍ରିଙ୍ଗ୍‌ର ମୁଖ୍ୟ କୋଚ୍‌ ଭାବେ ପ୍ରଶିକ୍ଷଣ ଦେଉଛନ୍ତି। ଲକ୍ଷ୍ମଣ ମଧ୍ୟ ବେଙ୍ଗାଲୁରୁସ୍ଥିତ ବିସିସିଆଇର ନ୍ୟାସ୍‌ନାଲ୍‌ କ୍ରିକେଟ୍‌ ଏକାଡେମିର ମୁଖ୍ୟ ଅଟନ୍ତି। ବିଶ୍ବକପ୍‌ ପୂର୍ବରୁ ସେ ଆୟର୍‌ଲାଣ୍ଡ୍‌ ଟି୨୦ଆଇ ସିରିଜ୍‌ ନିମନ୍ତେ ଭାରତୀୟ ଟିମ୍‌ର ହେଡ୍‌ କୋଚ୍‌ ଦାୟିତ୍ବ ନିର୍ବାହ କରିଥିଲେ। ଏହାଛଡ଼ା, ଆହୁରି ଅନେକ ଥର ମଧ୍ୟ ସେ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ହୋଇଥିଲେ।

ସେପଟେ ଲକ୍ଷ୍ମଣ ମଧ୍ୟ ଏହି ଦାୟିତ୍ବ ନେବାକୁ ଆଗ୍ରହୀ ବୋଲି ଜଣାଇଛନ୍ତି। ବିଶ୍ବକପ୍‌ ଚାଲିଥିବା ବେଳେ ସେ ଏ ସଂକ୍ରାନ୍ତରେ ଆଲୋଚନା କରିବା ଲାଗି ବିସିସିଆଇର ପ୍ରମୁଖ କର୍ମକର୍ତ୍ତାଙ୍କୁ ଭେଟିବା ପାଇଁ ଅହମଦାବାଦ ଆସିଥିଲେ। ସେ ଦୀର୍ଘ ଦିନ ପାଇଁ ଟିମ୍‌ ଇଣ୍ଡିଆର ହେଡ୍‌ କୋଚ୍‌ ହେବା ପାଇଁ ରାଜିନାମା କରିପାରନ୍ତି ବୋଲି ବିସିସିଆଇର ବିଶେଷସୂତ୍ରରୁ ତଥ୍ୟ ସଂଗ୍ରହ କରି ‘ଦି ଟାଇମ୍ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ କରିଛି।

Related Posts