ବଢିଲା ରାହୁଲ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ, ରହିବେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍‌

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଚର୍ଚ୍ଚାରେ ହେଲା ଅନ୍ତ । ରାହୁଲ ଦ୍ରାବିଡ୍‌ ହିଁ ରହିବେ ଭାରତୀୟ ଦଳର କୋଚ୍‌ । ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ବଢିବା ନେଇ ମିଳିସାରିଛି ଗ୍ରୀନ୍‌ ସିଗ୍‌ନାଲ୍‌ । ଦ୍ରାବିଡ୍‌ ସହିତ ବୋଲିଂ ଏବଂ ବ୍ୟାଟିଂ କୋଚ୍‌ଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରାଯାଇଛି ।

ତେବେ କୋଚ୍ ଭାବେ ଦ୍ରାବିଡ ଦାୟିତ୍ଵ ନେବା ପରଠାରୁ ଲଗାତର ଭାବେ ସେ ଟିମ୍‌ର ଭଲ ପ୍ରଦର୍ଶନ ଏବଂ ବେଞ୍ଚ ଷ୍ଟ୍ରେନ୍ଥ ବଢାଇବା ଉପରେ କାମ କରିଚାଲିଥିଲେ । ଯାହାର ପରିଣାମ ମଧ୍ୟ ଆମକୁ ଦେଖିବାକୁ ମିଳିଥିଲା । ଭାରତ-ଅଷ୍ଟ୍ରେଲିଆ ବର୍ଡର-ଗାଭାସ୍କର ଟ୍ରଫି, ବିଶ୍ୱ ଟେଷ୍ଟ ଚମ୍ପିଆନସିପ୍‌ରେ ଫାଇନାଲ ଖେଳିବା, ଟି-୨୦ ବିଶ୍ୱକପ୍‌ରେ ସେମି ଫାଇନାଲ ଯାଏଁ ଯାତ୍ରା ଆଉ ଏବେ ୨୦୨୩ ଦିନିକିଆ ବିଶ୍ୱକପ୍‌ରେ ଫାଇନାଲ ଯାଏଁ ଟିମ୍‌ ଇଣ୍ଡିଆର ଯାତ୍ରା ରହିଥିଲା । ଏହି ଦୁଇ ବର୍ଷରେ ଟିମ୍‌ ଅନେକ ଉପଲବ୍ଧି ହାସଲ କରିଛି ।

ବିଶ୍ୱକପ୍‌ ୨୦୨୩ ଯାଏଁ ଟିମ୍‌ ଇଣ୍ଡିଆ ସହିତ କୋଚ ଭାବେ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ରହିଥିଲେ । ବିଶ୍ୱକପ୍‌ ଶେଷ ପରେ ରାହୁଲ୍‌ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ଶେଷ ହେଉଥିଲା । ତେଣୁ ତାଙ୍କ କାର୍ଯ୍ୟକାଳ ବଢାଇବା ପାଇଁ ବିସିସିଆଇ ଅଫର ଦେଇଥିଲା । କିନ୍ତୁ ଦ୍ରାବିଡ୍‌ ଏହାକୁ ମନା କରିଦେଇଥିଲେ । ଶେଷରେ ପୁଣି ଥରେ ଦ୍ରାବିଡ୍‌ଙ୍କ କୋଚ୍‌ ରହିବା ଲାଗି ବିସିସିଆଇ ପକ୍ଷରୁ ଅନୁରୋଧ କରାଯାଇଥିଲା । ଏଥର ଆସିଥିବା ଅଫରରେ ଦ୍ରାବିଡ୍‌ ରାଜି ହୋଇଥିଲେ । ଆଉ କୋଚ୍‌ ଭାବେ ଟିମ୍‌ ଇଣ୍ଡିଆ ସହିତ ୨ୟ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି । ହେଲେ କେତେବର୍ଷ ଯାଏଁ ଦ୍ରାବିଡ୍‌ଙ୍କ କାର୍ଯ୍ୟକାଳ ରହୁଛି । ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଖୁବଶୀଘ୍ର ଏନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ଆଶା କରାଯାଉଛି । ଆଗାମୀ ୨୦୨୪ରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ ଯାଏଁ ଦ୍ରାବିଡ୍‌ କାର୍ଯ୍ୟକାଳ ବଢିଛି ବୋଲି ସୂଚନା ମିଳିଛି ।

ସେହିପରି ବୋଲିଂ କୋଚ ପାରାସ ମାହାମ୍‌ମ୍ବ୍ରେ, ବ୍ୟାଟିଂ ବିକ୍ରମ ରାଠୋକ ଏବଂ ସହଯୋଗୀ ଟି. ଦିଲ୍ଲୀପଙ୍କ କାର୍ଯ୍ୟକାଳ ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବ ପରି ଏହି ସବୁ ସଦସ୍ୟ ଟିମ୍‌ ଇଣ୍ଡିଆ ସହିତ ଜଡିତ ହୋଇରହିବେ । ଆଗାମୀ ଦକ୍ଷିଣ ଆଫ୍ରିକା ସିରିଜ୍‌ରେ ଦ୍ରାବିଡ ଏବଂ ସହଯୋଗୀ ଷ୍ଟାଫ୍‌ଙ୍କ ୨ୟ ଇନିଂସ ଆରମ୍ଭ ହେବ । ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍‌ । ପ୍ରଥମ ଟି-୨୦ ସିରିଜ୍‌, ପରେ ଦିନିକିଆ ସିରିଜ୍‌, ଆଉ ଶେଷରେ ଟେଷ୍ଟ ସିରିଜ୍‌ ଖେଳାଯିବ ।

Related Posts