ସୁରକ୍ଷା ପ୍ରୋଟକଲ ଭାଙ୍ଗୁଛନ୍ତି ରାହୁଲ ଗାନ୍ଧୀ; ସିଆରପିଏଫ ପରେ ଦିଲ୍ଲୀ ପୋଲିସ ଆଣିଲା ସମାନ ଅଭିଯୋଗ

ଭୁବନେଶ୍ୱର,୩୦/୧୨(ସତ୍ୟପାଠ ବ୍ୟୁରୋ): ସିଆରପିଏଫ ପରେ ଦିଲ୍ଲୀ ପୋଲିସ ଆଣିଲା ସମାନ ଅଭିଯୋଗ । ସାଂସଦ ରାହୁଲ ଗାନ୍ଧି ନିଜେ ସୁରକ୍ଷା ପ୍ରୋଟକଲ ଭାଙ୍ଗୁଛନ୍ତି । ଭାରତ ଯୋଡ ଯାତ୍ରା ଦିଲ୍ଲୀରେ ଚାଲିଥିବା ସମୟରେ ତାଙ୍କର ସୁରକ୍ଷା ବ୍ୟବସ୍ଥା ସବୁ ଠିକାଠାକ ଥିଲା ବୋଲି କହିଛି ଦିଲ୍ଲୀ ପୋଲିସ । ରାହୁଲ ଗାନ୍ଧିଙ୍କ ସୁରକ୍ଷା ପୋର୍ଟକଲ ସମ୍ପର୍କିତ ରିପୋର୍ଟ ଗୃହ ମନ୍ତ୍ରାଳୟକୁ ପ୍ରଦାନ କରିଛି ଦିଲ୍ଲୀ ପୋଲିସ । ତେବେ ରାହୁଲଙ୍କ ସୁରକ୍ଷାରେ ତ୍ରୁଟି ନେଇ କଂଗ୍ରେସର ଅଭିଯୋଗ ପତ୍ର ପାଇବା ପରେ ଗୃହ ମନ୍ତ୍ରାଳୟ ଦିଲ୍ଲୀ ପୋଲିସକୁ ରିପୋର୍ଟ ମାଗିଥିଲା । ଦିଲ୍ଲୀ ପୋଲିସ ସିକ୍ୟୁରିଟି, ଟ୍ରାଫିକ, ସ୍ପେଶାଲ ବ୍ରାଞ୍ଚ ଆଦି ୟୁନିଟରୁ ରିପୋର୍ଟ ମଗାଇବା ପରେ ଗୃହ ମନ୍ତ୍ରାଳୟକୁ ସବିଶେଷ ତଥ୍ୟ ପ୍ରଦାନ କରିଛି ।

ଦିଲ୍ଲୀ ପୋଲିସ ରିପୋର୍ଟରେ କହିଛି ଯେ, ଦିଲ୍ଲୀର ଭାରତ ଯୋଡୋ ଯାତ୍ରାରେ ସାଧା ପୋଷାକରେ ଅନେକ ପୋଲିସ କର୍ମୀ ମୁତୟନ ଥିଲେ । ସେମାନେ ରାହୁଲ ଗାନ୍ଧିଙ୍କୁ ସୁରକ୍ଷା ବଳୟ ଭିତରେ ରଖିଥିଲେ । ଏପରିକି ପୋଲିସ ମଧ୍ୟ ରସିରେ ଯେଉଁ ଘେରା ତିଆରି କରିଥିଲା ତାହାକୁ ମଧ୍ୟ ରାହୁଲ ଗାନ୍ଧି ଭାଙ୍ଗି ଥିବାର ଦେଖିବାକୁ ମିଳିଥିଲା ବୋଲି ଦିଲ୍ଲୀ ପୋଲିସ କହିଛି ।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୨୪ ତାରିଖ ଦିନ ଦିଲ୍ଲୀରେ ପହଞ୍ଚିଥିଲା ଭାରତ ଯୋଡୋ ଯାତ୍ରା। ଏଠାରେ ୨୩ କିଲୋମିଟର ଲମ୍ବା ପଦଯାତ୍ରା କରିଥିଲେ ରାହୁଲ ଗାନ୍ଧୀ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାହୁଲ ଗାନ୍ଧୀଙ୍କ ସୁରକ୍ଷା ବ୍ୟବସ୍ଥା ଠିକ ନ ଥିବା ନେଇ ଅଭିଯୋଗ ଆଣିଥିଲେ କଂଗ୍ରେସ ନେତା କେସି ଭେଣୁଗୋପାଲ । ଏ ନେଇ ସେ ଗୃହମନ୍ତ୍ରୀଙ୍କୁ ଚିଠି ଲେଖି ରାହୁଲଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇବା ପାଇଁ ଦାବି କରିଥିଲେ । କଂଗ୍ରେସ ନେତା ଏ ନେଇ ପ୍ରେସ କନଫରେନ୍ସ କରି କିଛି ଭିଡିଓ ଜାରି କରିଥିଲେ । ଭେଣୁଗୋପାଳ ଅଭିଯୋଗ କରିଥିଲେ ଯେ, ‘ବିଜେପି ଏହି ଯାତ୍ରାରେ ବାଧା ସୃଷ୍ଟି କରୁଛି । ରାହୁଲଙ୍କୁ Z କାଟେଗୋରୀ ସୁରକ୍ଷା ଦେବା ପରେ ଏପରି ଅବ୍ୟବସ୍ଥା ଚିନ୍ତାଜନକ । ଏ ନେଇ ଭାରତ ସରକାରଙ୍କୁ ଜଣାଇବା ଜରୁରୀ । କାରଣ ଆମେ ଆଗକୁ ପଞ୍ଜାବ ଓ ଜମ୍ମୁ-କାଶ୍ମୀର ଭଳି ସମ୍ବେଦନଶୀଳ ଅଞ୍ଚଳକୁ ଯାଉଛୁ ।’

ଭେଣୁଗୋପାଳଙ୍କର ଏହି ଚିଠିର ଉତ୍ତର ସିଆରପିଏଫ ପକ୍ଷରୁ ଗତକାଲି ଦିଆ ଯାଇଥିଲା । ସିଆରପିଏଫ ପକ୍ଷରୁ କୁହାଯାଇଥିଲା ଯେ, କଂଗ୍ରେସ ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧି ୨୦୨୦ରୁ ଏପର୍ଯ୍ୟନ୍ତ ୧୧୩ ଥର ସିକ୍ୟୁରିଟି ପ୍ରୋଟକଲ ଭାଙ୍ଗିଛନ୍ତି । ଗାଇଡ ଲାଇନ ଅନୁସାରେ ତାଙ୍କର ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ରାଜ୍ୟ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ସହ ସିଆରପିଏଫ ସୁରକ୍ଷା ବ୍ୟବସ୍ଥା କରିଥିଲେ ।

Related Posts