ଭୁବନେଶ୍ୱର,୨୦/୩(ସତ୍ୟପାଠ ବ୍ୟୁରୋ): ରାହୁଲ୍‌ ଗାନ୍ଧୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କର ସବୁଠୁ ବଡ଼ ଟିଆର୍‌ପି। ଏଭଳି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ସୂଚନା ଅନୁସାରେ ରବିବାର ଦିନ ପଶ୍ଚିମବଙ୍ଗ ମୁର୍ଶିଦାବାଦ ଜିଲ୍ଲାରେ ଆୟୋଜିତ ଦଳର ଏକ ଅଭ୍ୟନ୍ତରୀଣ ବୈଠକରେ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି, ବିଜେପି ରାହୁଲ୍‌ ଗାନ୍ଧୀଙ୍କୁ ନେତା କରି ରଖିବାକୁ ଚାହୁଁଛି।

ଯଦି ରାହୁଲ୍‌ ଗାନ୍ଧୀ ବିରୋଧୀ ଦଳର ନେତା ହୋଇ ରହିବେ ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ କେହି ସମାଲୋଚନା କରିବାକୁ ସମର୍ଥ ହେବେ ନାହିଁ। ରାହୁଲ୍‌ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କର ସବୁଠୁ ବଡ଼ ଟିଆର୍‌ପି (ଟାର୍ଗେଟ୍‌ ରେଟିଙ୍ଗ୍‌ ପଏଣ୍ଟ୍‌)। ବିଜେପି ରାହୁଲ୍‌ଙ୍କୁ ହିରୋ ବନାଇବାକୁ ଖୁବ୍‌ ବ୍ୟାକୁଳ। ବିଜେପି ରାହୁଲ୍‌ଙ୍କୁ ନେତା କରାଇବାକୁ ଆଗ୍ରହୀ ଥିବାରୁ ପାର୍ଲାମେଣ୍ଟ୍‌ ଚଳାଇ ଦେଉନାହିଁ। ତା’ ନ ହେଲେ, ବିଦେଶରେ କିଏ କ’ଣ କହିଦେଲେ ସେ କଥାକୁ ଧରି ଦେଶରେ ଏତେ ବିବାଦ ହୋଇଥିବା କଥା କେହି କେବ ଦେଖିଛି କି? ବୋଲି ମମତା ପ୍ରଶ୍ନ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ଆମେ ଚାହୁଁ ସଂସଦ ଚାଲୁ ଏବଂ ଆଦାନୀ ଓ ଏଲ୍‌ଆଇସି ପ୍ରସଙ୍ଗରେ ଆଲୋଚନା ହେଉ। କିନ୍ତୁ, ଆଦାନୀ ମାମଲା ଉପରେ ଆଲୋଚନା କରାଯାଉନାହିଁ କାହିଁକି? ଏଲ୍‌ଆଇସି ଉପରେ ସଂସଦରେ ଆଲୋଚନା ହେଉନି କାହିଁକି? ଗ୍ୟାସ୍‌ ଦର ଉପରେ ଆଲୋଚନା ହେଉନି କାହିଁକି? ଏଭଳି ପ୍ରସଙ୍ଗ ସବୁ ଥିବା ବେଳେ ୟୁନିଫର୍ମ ସିଭିଲ୍‌ କୋଡ୍‌ କପି ଉପସ୍ଥାପନ କରାଯାଉଛି। ଆମେ ୟୁନିଫର୍ମ ସିଭିଲ୍‌ କୋଡ୍‌ ଗ୍ରହଣ କରୁନାହୁଁ କି, ତାହା ଲାଗୁ କରାଇ ଦେବୁନାହିଁ ବୋଲି ତୃଣମୂଳ କଂଗ୍ରେସ କର୍ମୀମାନଙ୍କୁ ମମତା ବାନାର୍ଜୀ କହିଛନ୍ତି।