ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜନ ଶତାବ୍ଦୀ ଏକ୍ସପ୍ରେସ୍ ଯୋଗେ ଆସନ୍ତାକାଲି କୋଟାରେ ପହଞ୍ଚିବେ ରାହୁଲ ଗାନ୍ଧୀ। ନୀଟ୍ ପେପର ଲିକକୁ ନେଇ କେନ୍ଦ୍ରସରକାରଙ୍କୁ ମାଗିବେ ଜବାବ। ସେ ସନ୍ଧ୍ୟାବେଳେ ଦଶହରା ମୈଦାନରେ ନିଟ୍ ପେପର ଲିକ୍ ମାମଲାକୁ ନେଇ କୋଚିଙ୍ଗ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ।ରାହୁଲ ଗାନ୍ଧୀ ଟ୍ରେନ୍‌ରେ କୋଟା ପହଞ୍ଚିବେ। ଏହି ଯାତ୍ରା ସମୟରେ ସେ ରାସ୍ତାରେ ଥିବା ଅନେକ ଷ୍ଟେସନରେ ଯୁବମାନଙ୍କ ସହ ସଂଳାପ କରିବେ। ଅର୍ଥାତ୍ ରାହୁଲଙ୍କ ଏହି ଗସ୍ତ ସମ୍ପୂର୍ଣ୍ଣ ଭାବରେ ଯୁବପିଢ଼ି ଏବଂ ସେମାନଙ୍କର କ୍ୟାରିୟରକୁ କେନ୍ଦ୍ର କରି ଆୟୋଜିତ ହେଉଛି। ଏହି ଅବସରରେ ରାଜସ୍ଥାନ କଂଗ୍ରେସର ସମସ୍ତ ବଡ଼ ନେତା ଉପସ୍ଥିତ ରହିବେ। ରାହୁଲଙ୍କ ଏହି ଗ୍ରସ୍ତକୁ ନେଇ ରାଜ୍ୟରେ ରାଜନୀତିକ ଉତ୍ତାପ ବଢ଼ିଛି। ବିଜେପି ରାହୁଲଙ୍କ ଏହି ଗସ୍ତ ସମୟ ଚୟନକୁ ନେଇ ପ୍ରଶ୍ନ ଉଠାଇଛି। ଏହାସହ ସହରରେ ପୋଷ୍ଟର ଯୁଦ୍ଧ ମଧ୍ୟ ଆରମ୍ଭ ହୋଇଛି।ଲୋକସଭା ଅଧ୍ୟକ୍ଷ ଓମ ବିର୍ଲା ଏବଂ ବିଜେପିର ଦୁର୍ଗ ଭାବେ ପରିଚିତ କୋଚିଙ୍ଗ ସିଟି କୋଟାରେ ରାହୁଲ ଗାନ୍ଧୀଙ୍କ ସଂଳାପ କାର୍ୟ୍ୟକ୍ରମକୁ ନେଇ କଂଗ୍ରେସର ପ୍ରସ୍ତୁତି ଜୋରଦାର ହୋଇଛି। ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଗୋବିନ୍ଦ ସିଂହ ଡୋଟାସରା ମଙ୍ଗଳବାର କଂଗ୍ରେସ କାର୍ୟ୍ୟାଳୟରେ ବୈଠକ କରି କାର୍ୟ୍ୟକ୍ରମର ପ୍ରସ୍ତୁତିର ସମୀକ୍ଷା କରିଥିଲେ। ଏଥିରେ ପୂର୍ବତନ ମନ୍ତ୍ରୀ ଶାନ୍ତି ଧାରୀୱାଲ ସହିତ ରାଜ୍ୟ କଂଗ୍ରେସର ଅନେକ ନେତା ଉପସ୍ଥିତ ଥିଲେ।

ବୈଠକ ପରେ ମିଡିଆ ସହ ଆଲୋଚନା କରି ଡୋଟାସରା କହିଥିଲେ ଯେ, ନୀଟ୍ ପେପର ଲିକ୍ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଜବାବ ମଗାଯିବ। ସେ କହିଥିଲେ ଯେ, କୋଟାରୁ ଆରମ୍ଭ ହେଉଥିବା ଏହି ଅଭିଯାନକୁ ଦେଶର କୋଣେ କୋଣେ ପହଞ୍ଚାଯିବ। ଡୋଟାସରା ଦାବି କରିଥିଲେ ଯେ, ପ୍ରତିଯୋଗିତାମୂଳକ ପରୀକ୍ଷାରେ ଅନିୟମିତତା ଏବଂ ଯୁବମାନଙ୍କ ସମସ୍ୟାକୁ ଜାତୀୟ ସ୍ତରରେ ଉଠାଯିବ।

ଏହି ମଧ୍ୟରେ ରାହୁଲ ଗାନ୍ଧୀଙ୍କ କୋଟା ଦୌରାକୁ ନେଇ ବିଜେପି ପକ୍ଷରୁ ଲଗାତାର ବିରୋଧ ପ୍ରଦର୍ଶନ କରାଯାଉଛି। ଆଜି ବିଜେପି କର୍ମୀମାନେ ହାତରେ ଆଇନା ଧରି ବିରୋଧ ପ୍ରଦର୍ଶନ କରିଥିଲେ। କଂଗ୍ରେସ ସରକାର ସମୟରେ ଘଟିଥିବା ୧୯ଟି ପେପର ଲିକ୍ ଘଟଣାକୁ ଉଲ୍ଲେଖ କରି ବିଜେପି କଂଗ୍ରେସକୁ ଆଇନା ଦେଖାଇଥିଲା। ବିଜେପି କର୍ମୀମାନେ କହିଥିଲେ ଯେ, ରାହୁଲ ଗାନ୍ଧୀ ପ୍ରଥମେ ନିଜ ଦଳର ସରକାର ସମୟର ପରିସ୍ଥିତିକୁ ଦେଖନ୍ତୁ, ତାପରେ ବିରୋଧ କରନ୍ତୁ। କାରଣ ନୀଟ୍ ପରୀକ୍ଷାରେ ଗଡ଼ବଡ଼ି ଧରାପଡ଼ିବା ପରେ କେନ୍ଦ୍ର ସରକାର ପୂର୍ବରୁ ହିଁ ପୁନଃ ପରୀକ୍ଷା କରାଇବାକୁ ନିଷ୍ପତ୍ତି ନେଇସାରିଛନ୍ତି।