ଦରିଦ୍ରତା ରେ ଏକ ନମ୍ବର ହେବାପାଇଁ ଓଡ଼ିଶା, ବିହାର ଓ ଝାଡଖଣ୍ଡ ପ୍ରତିଯୋଗିତା କରୁଛନ୍ତି: ଜୟନାରାୟଣ ମିଶ୍ର

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟରେ ନିଜର ସଙ୍ଗଠନକୁ ସୁଦୃଢ କରିବା ପ୍ରକ୍ରିୟା ଆରମ୍ଭ କରି ଦେଇଛି ବିଜେପି। ଦଳର କେନ୍ଦ୍ରୀୟ ନେତା ମାନେ ମଧ୍ୟ ଓଡ଼ିଶାକୁ ଫୋକସରେ ରଖିଛନ୍ତି। ଏସବୁ ଭିତରେ ଆଜିଠାରୁ ପୁରୀରେ ଦଳର ୩ଦିନିଆ ପ୍ରାଦେଶିକ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଛି। ଏହି ଶିବିରରେ ଦଳର ସଙ୍ଗଠନକୁ ସୁଦୃଢ଼ କରିବାକୁ ନେତା ମାନଙ୍କୁ ଗୁରୁମନ୍ତ୍ର ଦିଆଯାଉଛି। ଏହି ପ୍ରଶିକ୍ଷଣ ଶିବିର ଅବସରରେ ପ୍ରତିକ୍ରିୟା ଦେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର କହିଛନ୍ତି ଯେ, ଏହି ଶିବିରର ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। କେବଳ ଦଳର ସଙ୍ଗଠନକୁ ଅଧିକ ସୁଦୃଢ଼ କରିବାକୁ ଏହି ଶିବିର ଆୟୋଜନ କରାଯାଇଛି। ୨୦୨୪ ନିର୍ବାଚନରେ ଓଡ଼ିଶାରେ ବିଜେପି ସରକାର ଆସିବ କି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଯେ, ନିଶ୍ଚିତ ଏଥିରେ କୌଣସି ସନ୍ଦେହ ନାହିଁ। ଏହା ସହିତ ବିଜେଡି ଓ ବିଜେପି ଭିତିରି ସମ୍ପର୍କ ନେଇ ସେ କହିଛନ୍ତି ଯେ, ଏକଥା କେବଳ ଗଣମାଧ୍ୟମ କହୁଛି। ବିଜେଡି ସହ ଆମର ବିଲକୁଲ କୌଣସି ସମ୍ପର୍କ ନାହିଁ।

ଅନ୍ୟପକ୍ଷରେ ରାଜ୍ୟର ବିଜେଡି ସରକାରକୁ ଜୋରଦାର ଟାର୍ଗେଟ କରିଛନ୍ତି ଜୟନାରାୟଣ। ସେ କହିଛନ୍ତି ଯେ, ଦରିଦ୍ରତାରେ ଏକ ନମ୍ବର ହେବାପାଇଁ ଓଡ଼ିଶା, ବିହାର ଓ ଝାଡଖଣ୍ଡ ଏବେ ପ୍ରତିଯୋଗିତା କରୁଛନ୍ତି। ନବୀନ ବାବୁଙ୍କ ଶାସନରେ ଓଡ଼ିଶା ଆଜି ସବୁଥିରେ ପଛୁଆ। ଦରିଦ୍ରତାରେ ରାଜ୍ୟ ଏକ ନମ୍ବର, ମାତୃ ମୃତ୍ୟୁହାର ରାଜ୍ୟ ଏକ ନମ୍ବର, ଶିଶୁ ମୃତ୍ୟୁହାରରେ ରାଜ୍ୟ ଏକ ନମ୍ବର। ପ୍ରତିବର୍ଷ ଓଡ଼ିଶାରେ ୫୦୦ରୁ ଅଧିକ ଶିଶୁ ଚୋରି ହେଉଛନ୍ତି। ରାଜ୍ୟ ସରକାର ସବୁ କ୍ଷେତ୍ରରେ ଆମକୁ ପଛରେ ରଖିଛନ୍ତି ବୋଲି ସେ କହିଛନ୍ତି।

Related Posts