କ୍ରିକେଟ୍‌ ପଡ଼ିଆରେ ନିଆରା ଘଟଣା, ଖରା ବନ୍ଦ କଲା ଖେଳ

ନ୍ୟୁଜିଲାଣ୍ଡ ଗସ୍ତରେ ଯାଇଥିବା ଭାରତୀୟ କ୍ରିକେଟ୍‌ ଦଳ ଦମ୍‌ଦାର ବିଜୟରୁ ଗସ୍ତ ଆରମ୍ଭ କରିଛି । କିନ୍ତୁ ନାପିଅରରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଘଟିଲା ଏକ ଅଜବ ଘଟଣା । ଏଥିଯୋଗୁଁ ପ୍ରାୟ ଅଧା ଘଣ୍ଟା ଧରି ବନ୍ଦ ରହିଲା ମ୍ୟାଚ୍‌ । ବର୍ଷା ଫଳରେ କ୍ରିକେଟ୍‌ ମ୍ୟାଚ୍‌ ବନ୍ଦ ରହିବାର ଘଟଣା ଅନେକ ସମୟରେ ଘଟେ । କିନ୍ତୁ ପ୍ରଥମ ଥର ପାଇଁ ବର୍ଷା ନୁହେଁ ବରଂ ଖରା ଯୋଗୁଁ ମ୍ୟାଚ୍‌ ବନ୍ଦ ହେଲା ।

କଥା ହେଲା ନାପିଅରରେ ଭାରତୀୟ ଦଳ ବ୍ୟାଟିଂ କରୁଥିବା ବେଳେ ପ୍ରବଳ ଖରା ଓ ସୂର୍ଯ୍ୟକିରଣ ବ୍ୟାଟ୍‌ସମ୍ୟାନ୍‌ଙ୍କୁ ସମସ୍ୟାରେ ପକାଇଲା । ଭାରତ ସେତେବେଳକୁ ଗୋଟିଏ ୱିକେଟ୍‌ରେ 44 ରନ୍ କରିଥିଲା । ବ୍ୟାଟିଂ କରୁଥିଲେ ଶିଖର ଧୱନ୍‌ ଓ ବିରାଟ କୋହଲି । ସୂର୍ଯ୍ୟକିରଣ ସିଧାସଳଖ ବ୍ୟାଟ୍‌ସମ୍ୟାନ୍‌ଙ୍କ ମୁହଁରେ ପଡ଼ୁଥିଲା, ଯାହା ଫଳରେ ବଲ୍‌ ଦେଖିବାରେ ସମସ୍ୟା ହେଉଥିଲା । ଫଳରେ ମ୍ୟାଚ୍‌କୁ ବନ୍ଦ କରିବାକୁ ହେଲା । ଅଧା ଘଣ୍ଟା ପରେ ଖେଳ ଆରମ୍ଭ ହେଲା । କିନ୍ତୁ ବର୍ଷା କାରଣରୁ ମ୍ୟାଚ୍‌ ବାଧାପ୍ରାପ୍ତ ହେଲେ ଲାଗୁ ହେଉଥିବା ଡକ୍‌ ୱର୍ଥ ଲୁଇସ୍‌ ନିୟମ ଏଠାରେ ବି ଲାଗୁ ହେଲା । ଭାରତ ପାଇଁ ଦିଆଗଲା ସଂଶୋଧିତ ବିଜୟ ଲକ୍ଷ୍ୟ । ଅବଶ୍ୟ ଭାରତୀୟ ଦଳ ତାକୁ ସହଜରେ ହାସଲ କରିନେଲା ।

Related Posts