ନ୍ୟୁଜିଲାଣ୍ଡରେ ‘ବିରାଟ’ ବିଜୟ

ନ୍ୟୁଜିଲାଣ୍ଡ ଗସ୍ତରେ ଭାରତୀୟ ଟିମ୍‌କୁ ମିଳିଛି ଦମ୍‌ଦାର ଆରମ୍ଭ । ବଡ଼ ବିଜୟ ସହ ଦିନିକିଆ ସିରିଜ୍‌ ଆରମ୍ଭ କରିଛନ୍ତି ବିରାଟ ବାହିନୀ । ମହମ୍ମଦ ସାମି ଓ କୁଲଦୀପ ଯାଦବଙ୍କ ଚମତ୍କାର ବୋଲିଂ ଫଳରେ 5 ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ସହଜ ବିଜୟ ହାସଲ କରିଛି ଭାରତ । ନାପିଅରରେ ଖେଳାଯାଇଥିବା ମ୍ୟାଚ୍‌ରେ ଘରୋଇ ଦଳ 8 ୱିକେଟ୍‌ରେ ପରାସ୍ତ ହୋଇଛି ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ନ୍ୟୁଜିଲାଣ୍ଡ । ତେବେ,ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଫଳରେ ନ୍ୟୁଜିଲାଣ୍ଡ ମାତ୍ର 157 ରନ୍‌ରେ ଅଲ୍ ଆଉଟ ହୋଇଯାଇଥିଲା । କେବଳ ଅଧିନାୟକ କେନ୍ ୱିଲିୟମସନ ଭାରତୀୟ ବୋଲିଂର ଉଚିତ ମୁକାବିଲା କରି ଅର୍ଦ୍ଧଶତକ ହାସଲ କରିବା ସହ ସର୍ବାଧିକ 64 ରନ୍ କରିଥିଲେ । 158 ରନ୍‌ର ବିଜୟ ଲକ୍ଷ୍ୟକୁ ଭାରତ ମାତ୍ର 2 ୱିକେଟ୍‌ ହରାଇ ହାସଲ କରିନେଇଥିଲା ।

ଭାରତ ଗୋଟିଏ ୱିକେଟ୍‌ରେ 44 ରନ୍ କରିଥିଲା ବେଳେ ସୂର୍ଯ୍ୟକିରଣ ଯୋଗୁଁ ଖେଳ ପ୍ରାୟ ଅଧଘଣ୍ଟା ବନ୍ଦ ରହିଥିଲା । ବ୍ୟାଟ୍‌ସମ୍ୟାନଙ୍କ ଆଖିରେ ସିଧାସଳଖ ସୂର୍ଯ୍ୟକିରଣ ପଡୁଥିବାରୁ ଖେଳ ବନ୍ଦ ରଖିଥିଲେ ଅମ୍ପାୟାର । ଫଳରେ ଭାରତ ପାଇଁ 156 ରନ୍‌ର ସଂଶୋଧିତ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା ।

ଶିଖର ଧୱନଙ୍କ ଅପରାଜିତ ଅର୍ଦ୍ଧଶତକ ଓ କୋହଲିଙ୍କ 45 ରନ ବଳରେ ଭାରତ 35ତମ ଓଭରରେ 2 ୱିକେଟ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଥିଲା । ନ୍ୟୁଜିଲାଣ୍ଡର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିବା ମହମ୍ମଦ ସାମିଙ୍କୁ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍ ପୁରସ୍କାର ପାଇଛନ୍ତି । ସିରିଜର ଦ୍ବିତୀୟ ମ୍ୟାଚ୍ 26 ତାରିଖରେ ଖେଳାଯିବ ।

Related Posts