ସୀମାରେ ଭାରତ-ଚୀନ ସଂଘର୍ଷ ପ୍ରସଙ୍ଗରେ ସଂସଦକୁ ସମ୍ବୋଧିତ କରିବେ ରାଜନାଥ ସିଂ

ଭୁବନେଶ୍ୱର,୧୩/୧୨ (ସତ୍ୟପାଠ ବ୍ୟୁରୋ): ଚୀନ୍ ଓ ଭାରତ ସେନା ମଧ୍ୟରେ ସଂଘର୍ଷକୁ ନେଇ କଡ଼ା ଆଭିମୁଖ୍ୟ ଦେଖାଇଛି ନୂଆଦିଲ୍ଲୀ । ସଂଘର୍ଷ ପରେ ଆଜି ସକାଳୁ ତିନି ସେନାକୁ ନେଇ ଗୁରୁତ୍ବପୂର୍ଣ୍ଣ ବୈଠକ ଡାକିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ଏହି ବୈଠକ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏଥିରେ ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର, ସିଡିଏସ ଲେଫ୍ଟନାଣ୍ଟ ଜେନେରାଲ ଅନିଲ୍ ଚୌହାନ, ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶାଲ ବିଆର୍ ଚୌଧୁରୀ, ସ୍ଥଳସେନା ପ୍ରମୁଖ ଜେନେରାଲ ମନୋଜ ପାଣ୍ଡେ, ଜଳସେନା ମୁଖ୍ୟ ଆଡମେରାଲ୍ ଆର୍ ହରି କୁମାର, ବିଦେଶ ସଚିବ ଏବଂ ପ୍ରତିରକ୍ଷା ବିଭାଗର ସଚିବ ମଧ୍ୟ ସାମିଲ ହୋଇଛନ୍ତି । ତେବେ ଏହି ବୈଠକରେ ଚୀନର ପିଏଲଏ ଓ ଭାରତୀୟ ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷକୁ ନେଇ ଆଲୋଚନା ହୋଇଛି । ଏହାସହିତ ଏହି ସଂଘର୍ଷ ନେଇ ବିସ୍ତୃତ ରିପୋର୍ଟ ମାଗିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ।

ତେବେ ମିଳିଥିବା ସୂଚନା ଅନୁସାରେ ସୀମାରେ ହୋଇଥିବା ଏହି ମୁହାଁମୁହିଁ ପରିସ୍ଥିତି ନେଇ ଆଜି ସଂସଦରେ ସବିଶେଷ ତଥ୍ୟ ରଖିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ ଆଜି ଦିନ ୧୨ଟା ସମୟରେ ଲୋକସଭା ଓ ୧୨ଟା ୩୦ ସମୟରେ ରାଜ୍ୟସଭାକୁ ଏହି ପ୍ରସଙ୍ଗରେ ସମ୍ବୋଧିତ କରିବେ ବୋଲି ସୂଚନା ମିଳିଛି।

ସୂଚନାଯୋଗ୍ୟ ଯେ, ଗତ ଡିସେମ୍ବର ୯ ତାରିଖରେ ପିଏଲଏର ଯୋଜନାକୁ ପଣ୍ଡ କରିଥିଲେ ଭାରତୀୟ ଯବାନ । ଅରୁଣାଚଳ ପ୍ରଦେଶର ତାଓ୍ବାଙ୍ଗ ସୀମାରେ ଭାରତୀୟ ଆର୍ମି ପୋଷ୍ଟ କବଜା କରିବା ଲକ୍ଷ୍ୟରେ ଥିଲେ ଚୀନ୍ ସୈନ୍ୟ । ୧୭ ହଜାର ଫୁଟ୍ ପାହାଡ଼ ଉପରକୁ ୩୦୦ରୁ ଅଧିକ ସୈନ୍ୟ ଚଢି ଭାରତ ପୋଷ୍ଟ ଆଡ଼କୁ ବଢିଥିଲେ । ଏହାକୁ ଦେଖି ଭାରତୀୟ ସେନା ପ୍ରତିରୋଧ କରିଥିଲେ । ଏହା ପରେ ଉଭୟଙ୍କ ମଧ୍ଯ ସଂଘର୍ଷ ହୋଇଥିଲା । ଯବାନଙ୍କ ପାଲଟା ଆକ୍ରମଣରେ ପଛଘୁଞ୍ଚା ଦେଇଥିଲା ପିଏଲଏ । ଏହି ସଂଘର୍ଷରେ ଉଭୟ ଦେଶର ସୈନ୍ୟ ଆହତ ହୋଇଛନ୍ତି ।

Related Posts