
ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଲେକପ୍ରିୟ ହାସ୍ୟାଭିନେତା ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟାବସ୍ଥାକୁ ନେଇ ନୂଆ ଖବର ହସ୍ତଗତ ହୋଇଛି। ଗୁରୁବାର ରାଜୁଙ୍କର ମସ୍ତିଷ୍କ ଅକାମୀ ହୋଇଛି ବୋଲି ସୂଚନା ରହିଥିଲା। ମାତ୍ର ବାସ୍ତବରେ ରାଜୁ କୋମାରେ ଅଛନ୍ତି ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଡାକ୍ତର ଦେଇଥିବା ସୂଚନାକୁ ଗଣମାଧ୍ୟମରେ କହିଛନ୍ତି ରାଜୁଙ୍କ ମ୍ୟାନେଜର୍। ତେବେ ନିକଟ ଅତୀତରେ ‘ରାଜୁ ଶ୍ରୀବାସ୍ତବ ଆଉ ଦୁନିଆରେ ନାହାନ୍ତି’ ବୋଲି ଏକ ଗୁଜବ ଘୂୂରି ବୁଲୁଥିଲା। ଯାହାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଜୁଙ୍କ ପତ୍ନୀ। ସେ ନିବେଦନ କରି କହିଛନ୍ତି ଯେ ଏପରି ଗୁଜବ ପ୍ରଘଟ କରନ୍ତୁ ନାହିଁ।
ସୂଚନାଯୋଗ୍ୟ ଯେ, ରାଜୁ ଶ୍ରୀବାସ୍ତବଙ୍କ ସ୍ବାସ୍ଥ୍ୟରେ ଗୁରୁବାର ଆହୁରି ଅବନତି ଘଟିଛି ବୋଲି ଖବର ହସ୍ତଗତ ହୋଇଥିଲା। ହୃଦ୍ଘାତ ପରେ ଗତ ଅଗଷ୍ଟ ୧୦ ତାରିଖରୁ ତାଙ୍କୁ ଦିଲ୍ଲୀର ଏମ୍ସ ହସ୍ପିଟାଲରେ ଭେଣ୍ଟିଲେଟରରେ ରଖାଯାଇଛି। ଗୁରୁବାର ତାଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି। ୫୮ ବର୍ଷୀୟ କମେଡ଼ିଆନଙ୍କ ସ୍ବାସ୍ଥ୍ୟରେ କୌଣସି ଉନ୍ନତି ଘଟୁନାହିଁ, ବରଂ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଛି। ତାଙ୍କର ଘନିଷ୍ଠ ବନ୍ଧୁ ସୁନୀଲ ପାଲ ଏକ ଭିଡିଓ ସେୟାର କରିଥିଲେ। ଯେଉଁଥିରେ ରାଜୁଙ୍କ ବ୍ରେନ୍ ଡେଡ୍ (ମସ୍ତିଷ୍କ ଅଚଳ) ବୋଲି ଘୋଷଣା କରାଯାଇଥିଲା। ପ୍ରଶଂସକମାନେ ରାଜୁଙ୍କ ଆଶୁ ଆରୋଗ୍ୟ କାମନା କରି ପ୍ରାର୍ଥନା କରୁଛନ୍ତି। ସୁନୀଲ ପାଲ ତାଙ୍କର ମସ୍ତିଷ୍କ ଆଉ କାମ କରୁନି ବୋଲି କହିଥିବା ବେଳେ ବାସ୍ତବରେ ରାଜୁ କୋମାରେ ଅଛନ୍ତି ବୋଲି ନିକଟରେ ଜଣାପଡ଼ିଛି।