ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଘବ ଚଢ଼ାଙ୍କ ସମେତ ସମସ୍ତ ୭ ବିଦ୍ରୋହୀ ସାଂସଦଙ୍କୁ ମାନ୍ୟତା ଦେଲେ ରାଜ୍ୟସଭା । ତେବେ ସମସ୍ତ ସାଂସଦଙ୍କୁ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବରେ ମାନ୍ୟତା ମିଳିଛି। ରାଜ୍ୟସଭା ସଚିବାଳୟ ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ରାଜ୍ୟସଭା ସଚିବାଳୟ ଆମ୍ ଆଦମୀ ପାର୍ଟିରୁ ବିଜେପିରେ ଯୋଗ ଦେଇଥିବା ସମସ୍ତ ସାଂସଦଙ୍କ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି। ସେମାନଙ୍କୁ ବିଜେପିରେ ସାମିଲ ଘୋଷଣା କରାଯାଇଛି, ଯାହା ଫଳରେ ଉଚ୍ଚ ସଦନରେ ବିଜେପି ସଦସ୍ୟଙ୍କ ସଂଖ୍ୟା ୧୧୩ କୁ ବୃଦ୍ଧି ପାଇଛି। ସେପଟେ ଆମ୍ ଆଦମୀ ପାର୍ଟିର ସାଂସଦ ସଞ୍ଜୟ ସିଂହ ରବିବାର ରାଜ୍ୟସଭା ଅଧ୍ୟକ୍ଷ ସିପି ରାଧାକୃଷ୍ଣନଙ୍କୁ ଏକ ଚିଠି ଲେଖି ଦଳ ଛାଡିଥିବା ୭ ଜଣ ସାଂସଦଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ଦାବି କରିଥିଲେ। ଚିଠିରେ କୁହାଯାଇଥିଲା, ଏହି ସାଂସଦମାନେ ଆମ୍ ଆଦମୀ ପାର୍ଟି ଟିକେଟରେ ଉଚ୍ଚ ସଦନକୁ ନିର୍ବାଚିତ ହୋଇଥିଲେ,କିନ୍ତୁ ପରେ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ନିଷ୍ପତ୍ତି ନେଇଥିଲେ। ସଂଜୟ ସିଂହ କହିଥିଲେ ଯେ, ସାତ ଜଣ ଆପ ସାଂସଦଙ୍କ ଏହି ପଦକ୍ଷେପ ଦଳତ୍ୟାଗ କରିବା ପରି। ଏହା ପଞ୍ଜାବର ଜନସାଧାରଣ ଏବଂ ଭାରତୀୟ ସମ୍ବିଧାନ ସହିତ ବିଶ୍ୱାସଘାତକତା କରିଛି। ସେ କହିଥିଲେ, ଆବଶ୍ୟକ ହେଲେ ଆମ୍ ଆଦମୀ ପାର୍ଟି ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ତେବେ ରାଜ୍ୟସଭା ସଚିବାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଏବେ ସ୍ପଷ୍ଟ କରିଛି ଯେ, ଆମ୍ ଆଦମୀ ପାର୍ଟିର ଦାବିକୁ ପ୍ରତ୍ୟାଖ୍ୟାନ କରାଯାଇଛି। ଏହି ସାଂସଦମାନଙ୍କୁ ଏବେ ଭାରତୀୟ ଜନତା ପାର୍ଟିର ସଦସ୍ୟ ଭାବରେ ବିବେଚନା କରାଯିବ, ଫଳରେ ଉପର ସଦନରେ ଆମ୍ ଆଦମୀ ପାର୍ଟିର କେବଳ ତିନି ଜଣ ସାଂସଦ ରହିବେ।