୮୫ ବର୍ଷ ବୟସରେ ରସନା ପ୍ରତିଷ୍ଠାତା ଅରିଜ ପିରୋଜସାଁ ଖମ୍ବାଟାଙ୍କ ପରଲୋକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରସନା ଗ୍ରୁପ୍‌ର ପ୍ରତିଷ୍ଠାତା ଚେୟାରମ୍ୟାନ୍ ଅରିଜ୍ ପିରୋଜସାଁ ଖମ୍ବାଟାଙ୍କ ଦେହାନ୍ତ ହୋଇଛି । ଗ୍ରୁପ ସୋମବାର ସୂଚନା ଦେଇଛି ଯେ, ୮୫ ବର୍ଷୀୟ ଖମ୍ବାଟାଙ୍କର ଶନିବାର ଦେହାନ୍ତ ହୋଇଛି। ତାଙ୍କ ଦେହାନ୍ତ ନେଇ କମ୍ପାନୀ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। ଗ୍ରୁପ ଏକ ବିବୃତ୍ତିରେ କହିଛି, ଭାରତୀୟ ଶିଳ୍ପ, ବ୍ୟବସାୟ ତଥା ସମାଜକୁ ସେବା ମାଧ୍ୟମରେ ସାମାଜିକ ବିକାଶରେ ଅରିଜ ଖମ୍ବାଟାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଛି ।

ଅରିଜ ଖମ୍ବାଟା ବେନିଭୋଲେଣ୍ଟ ଟ୍ରଷ୍ଟ ଓ ରସନା ଫାଉଣ୍ଡେସନର ଚେୟାରମ୍ୟାନ୍ ମଧ୍ୟ ଥିଲେ । ସେ ପାର୍ସୀ ଇରାନୀ ଜାରାଥୋଷ୍ଟିର ବିଶ୍ଵ ଗଠବନ୍ଧନ (WAPIZ) ର ପୂର୍ବତନ ଚେୟାରମ୍ୟାନ୍ ଏବଂ ଅହମ୍ମଦାବାଦ ପାର୍ସୀ ପଞ୍ଚାୟତର ପୂର୍ବତନ ସଭାପତି ମଧ୍ୟ ଥିଲେ । ଖମ୍ବାଟା ଲୋକପ୍ରିୟ ଘରୋଇ ପାନୀୟ ବ୍ରାଣ୍ଡ ରସନା ପାଇଁ ବେଶ୍ ଜଣାଶୁଣା, ଯାହା ଦେଶର ୧୮ ଲକ୍ଷ ଖୁଚୁରା ଦୋକାନରେ ବିକ୍ରି ହୁଏ ।

ପିଟିଆଇ ର ରିପୋର୍ଟ ଅନୁଯାୟୀ, ରସନା ବର୍ତ୍ତମାନ ବିଶ୍ୱର ସର୍ବବୃହତ ସଫ୍ଟ ଡ୍ରିଙ୍କ କନସଟ୍ରେଣ୍ଟ ନିର୍ମାତା । ଏହା ବର୍ତ୍ତମାନ ବିଶ୍ବରେ ୬୦ ଦେଶରେ ବିକ୍ରି ହେଉଛି । ସେ ୧୯୭୦ ଦଶକରେ ରସନାର ସୁଲଭ ମୂଲ୍ୟରେ ସଫ୍ଟ ଡ୍ରିଙ୍କ ପ୍ୟାକ୍ ତିଆରି କରିଥିଲେ । ଯାହାକି ଉଚ୍ଚ ମୂଲ୍ୟର ସଫ୍ଟ ଡ୍ରିଙ୍କ ପ୍ରଡକ୍ଟର ବିକଳ୍ପ ଭାବରେ କାର୍ଯ୍ୟ କରୁଥିଲା ।

ସୂଚନାନୁସାରେ, ତାଙ୍କ ପରିବାରରେ ବର୍ତ୍ତମାନ ତାଙ୍କ ପତ୍ନୀ ପର୍ସିସ୍ ଓ ପିଲା ପିରୁଜ୍, ଡେଲନା ଏବଂ ରୁଜାନ, ତାଙ୍କ ବୋହୂ ବିନାଶା ଏବଂ ନାତି ଅର୍ଜିନ, ଅର୍ଜାଦ, ଆଭାନ୍, ଅରାଜ, ଫିରୋଜ ଏବଂ ଅର୍ଣ୍ଣୱାଜଙ୍କୁ ନେଇ ଅଛନ୍ତି ।

Related Posts