ଆଣ୍ଡରସନଙ୍କୁ ପଛରେ ପକାଇ ଟେଷ୍ଟ ବୋଲିଂ ରାଙ୍କିଂରେ ୧ ନମ୍ବର ସ୍ଥାନ ହାସଲ କଲେ ରବିଚନ୍ଦ୍ରନ ଅଶ୍ବିନ

ଭୁବନେଶ୍ଵର,୧/୩(ସତ୍ୟପାଠ ବ୍ୟୁରୋ): ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ରବିଚନ୍ଦ୍ରନ ଅଶ୍ବିନ ନମ୍ବର ଓ୍ବାନ୍‌ ଟେଷ୍ଟ ବୋଲର ହୋଇଯାଇଛନ୍ତି। ଇଂଲଣ୍ଡର ଟେଷ୍ଟ ସ୍ପେସାଲିଷ୍ଟ ଜେମସ୍‌ ଆଣ୍ଡରସନଙ୍କୁ ପଛରେ ପକାଇ ଟେଷ୍ଟ ବୋଲିଂ ରାଙ୍କିଂ ଶୀର୍ଷକୁ ଉଠିଛନ୍ତି ଆର. ଅଶ୍ବିନ । ମାତ୍ର ୮ ଦିନ ପାଇଁ ହିଁ ଶୀର୍ଷରେ ରହିପାରିଲେ ଆଣ୍ଡରସନ ।ରବିଚନ୍ଦ୍ରନ ଅଶ୍ବିନ ମୋଟ ୮୬୪ ପଏଣ୍ଟ ସହ ଟେଷ୍ଟ ରାଙ୍କିଂ ଶୀର୍ଷକୁ ଉଠିଥିବା ବେଳେ ଦ୍ବିତୀୟକୁ ଖସିଥିବା ଇଂଲଣ୍ଡର ଜେମସ୍‌ ଆଣ୍ଡରସନ ୮୫୯ ପଏଣ୍ଟ ପାଇଛନ୍ତି । ସେହିଭଳି ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ୮୫୮ ପଏଣ୍ଟ ସହିତ ୩ୟ ସ୍ଥାନରେ ରହିଛନ୍ତି ।

ଦିଲ୍ଲୀରେ ଖେଳାଯାଇଥିବା ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟେଷ୍ଟରେ ରବିଚନ୍ଦ୍ରନ ଅଶ୍ବିନ ମୋଟ ୬ ଟି ଓ୍ବିକେଟ୍ ନେଇଥିଲେ । ଅଶ୍ବିନଙ୍କ ଘାତକ ବୋଲିଂ ଭାରତକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲା । ଅନ୍ୟପଟେ ଓ୍ବେଲିଂଟନରେ ଖେଳା ଯାଇଥିବା ଟେଷ୍ଟରେ ନ୍ୟୁଜିଲାଣ୍ଡ ଠାରୁ ଇଂଲଣ୍ଡ ମାତ୍ର ୧ ରନରେ ପରାସ୍ତ ହେବାପରେ ଦଳର ଷ୍ଟାର ବୋଲର ଜେମସ୍‌ ଆଣ୍ଡରସନ ବୋଲିଂ ରାଙ୍କିଂରେ ୨ୟ ସ୍ଥାନକୁ ଖସିଆସିଛନ୍ତି ।

୨୦୧୫ ମସିହାରେ ରବିଚନ୍ଦ୍ରନ ଅଶ୍ବିନ ଟେଷ୍ଟ ଫର୍ମାଟ୍‌ ବୋଲିଂ ରାଙ୍କିଂରେ ଶୀର୍ଷକୁ ଉଠିଥିଲେ । ଏବେ ପୁଣି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଜାରି ରହିଥିବା ବେଳେ ୩୬ ବର୍ଷୀୟ ଅଶ୍ବିନ ଏହି କୀର୍ତ୍ତିମାନ ହାସଲ କରିଛନ୍ତି । ଅଶ୍ବିନ ହେଉଛନ୍ତି ବିଶ୍ବର ତୃତୀୟ ଟେଷ୍ଟ ବୋଲର ଯିଏକି ଶୀର୍ଷରେ ଥିବା ଜଣେ ବୋଲରଙ୍କୁ ମାତ୍ର ୮ ଦିନ ମଧ୍ୟରେ ହିଁ ତଳକୁ ଖସାଇଛନ୍ତି ।

ଅନ୍ୟପଟେ ୨୦୨୨ରୁ ଆହତ ହୋଇ କ୍ରିକେଟରୁ ଦୂରେଇ ରହିଥିବା ଜସପ୍ରୀତ ବୁମରାହ ଗୋଟିଏ ସ୍ଥାନ ଉପରକୁ ଉଠିଛନ୍ତି । ବୁମରାହ ୭୯୫ ପଏଣ୍ଟ ସହିତ ଆଇସିସି ରାଙ୍କିଂର ୪ର୍ଥ ସ୍ଥାନରେ ରହିଥିବା ବେଳେ ରବିନ୍ଦ୍ର ଜାଡେଜା ଗୋଟିଏ ସ୍ଥାନ ଉପରକୁ ଉଠି ୭୬୩ ପଏଣ୍ଟ ସହିତ ୮ମ ସ୍ଥାନରେ ପହଞ୍ଚିଯାଇଛନ୍ତି । ଦର୍ଡର ଗାଭାସ୍କର ଟ୍ରଫିର ଦ୍ବିତୀୟ ଟେଷ୍ଟରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୦ଟି ଓ୍ବିକେଟ୍‌ ନେଇଥିଲେ ଜାଡେଜା । ଯାହାକି ରାଙ୍କିଂ ଟେବୁଲରେ ତାଙ୍କୁ ଫାଇଦା ଦେଇଛି ।

ଟେଷ୍ଟ ଅଲରାଉଣ୍ଡର ରାଙ୍କିଂରେ ମଧ୍ୟ ଦବଦବା ଜାହିର କରିଛନ୍ତି ଭାରତୀୟ ଖେଳାଳି । ରବିନ୍ଦ୍ର ଜାଡେଜା ୪୬୦ ପଏଣ୍ଟ ସହିତ ବିଶ୍ବର ନମ୍ବର ଓ୍ବାନ୍ ଟେଷ୍ଟ ଅଲରାଉଣ୍ଡର ରହିଥିବା ବେଳେ ଦ୍ବିତୀୟରେ ରହିଛନ୍ତି ରବିଚନ୍ଦ୍ରନ ଅଶ୍ବିନ । ଅଶ୍ବିନଙ୍କ ନିକଟରେ ୩୭୬ ପଏଣ୍ଟ ରହିଛି । ସେହିଭଳି ଅକ୍ଷର ପଟେଲ ୨୮୩ ପଏଣ୍ଟ ସହିତ ଅଲରାଉଣ୍ଡର ରାଙ୍କିଂରେ ଷଷ୍ଠ ସ୍ଥାନରେ ରହିଛନ୍ତି ।

Related Posts