ବ୍ୟାଙ୍କ ଲକରକୁ ନେଇ ନିୟମ ବଦଳାଇଲା ଆରବିଆଇ: ଜାଣନ୍ତୁ କଣ

ନୂଆଦିଲ୍ଲୀ : ବ୍ୟାଙ୍କରେ ଲକର ସୁରକ୍ଷାକୁ ନେଇ ଗ୍ରାହକଙ୍କ ଅଭିଯୋଗ କୁ ନେଇ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ବ୍ୟାଙ୍କ ଗ୍ରାହକଙ୍କୁ ଧ୍ୟାନରେ ରଖି ନୂଆ ନୂଆ ନିୟମ ଜାରି କରିଛି | ନିକଟରେ କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ଲୋନ୍ ଦେବା ନିୟମ ବଦଳିବା ପରେ ଏବେ ଆରବିଆଇ ବ୍ୟାଙ୍କ ଲକରକୁ ନେଇ ନିୟମ ଆଣିଛି | ଯଦି ଆପଣ କୌଣସି ବ୍ୟାଙ୍କରେ ଲକର ଖୋଲିଛନ୍ତି କିମ୍ବା ଖୋଲିବାକୁ ଯୋଜନା କରୁଛନ୍ତି ତେବେ ଏହା ଆପଣଙ୍କ ପାଇଁ ଜାଣିବା ନିହାତି ଜରୁରୀ ।

ରିଜର୍ଭ ବ୍ୟାଙ୍କ ଏକ ବିଜ୍ଞପ୍ତି ଜାରି କରି ନୂଆ ବ୍ୟାଙ୍କ ଲକର ନିୟମ ୨୦୨୨ ଜାନୁଆରୀ ୧ ତାରିଖରୁ ଲାଗୁ କରିବାକୁ କହିଛି । ବ୍ୟାଙ୍କରେ ଲକର ନେଉଥିବା ଗ୍ରାହକଙ୍କ ଅଭିଯୋଗ ଉପରେ ଆରବିଆଇ ଏହି ନିୟମ ଜାରି କରିଛି । ନୂଆ ନିୟମ ଲାଗୁର ଫାଇଦା ବ୍ୟାଙ୍କ ଗ୍ରାହକଙ୍କୁ ମିଳିବ ।

ଅଧିକାଂଶ ସମୟରେ ବ୍ୟାଙ୍କ ଲକରରୁ ଚୋରି ହେବାର ଅଭିଯୋଗ ଆସିଥାଏ । ଏବେ ବ୍ୟାଙ୍କ ଲକରରୁ କିଛି ବି ଚୋରି ହେଲେ ବ୍ୟାଙ୍କ ତରଫରୁ ଗ୍ରାହକଙ୍କୁ ଲକର ଭଡାର ୧୦୦ଗୁଣ କ୍ଷତିପୂରଣ ଦିଆଯିବ । ବ୍ୟାଙ୍କ ଲକରରୁ ଚୋରି ହେଲେ ବ୍ୟାଙ୍କ ସଫାସଫା କହିଦେଉଥିଲା ଯେ, ବ୍ୟାଙ୍କ ସେଥିପାଇଁ ଦାୟୀ ନୁହେଁ ବୋଲି ।

ଆରବିଆଇ ଏହା ମଧ୍ୟ କହିଛି ଯେ, ବ୍ୟାଙ୍କଗୁଡିକୁ ଖାଲି ଲକରର ତାଲିକା, ଲକର ପାଇଁ ଓ୍ବେଟିଙ୍ଗ ତାଲିକା ନମ୍ବର ଡିସ୍‌ପ୍ଲେ କରିବାକୁ ପଡିବ । ଏହାଦ୍ବାରା ଲକର ସିଷ୍ଟମରେ ଅଧିକ ସ୍ବଚ୍ଛତା ଆସିବ ବୋଲି ଆଶା କରାଯାଉଛି । ଆରବିଆଇର କହିବା ଅନୁସାରେ ବ୍ୟାଙ୍କ ଗ୍ରାହକଙ୍କୁ ଅନ୍ଧାରରେ ରଖିପାରିବେ ନାହିଁ । ସଠିକ୍ ସୂଚନା ପାଇବା ସେମାନଙ୍କ ଅଧିକାର । ଏବେ ଯେତେବେଳେ ବି ଆପଣ ଆପଣଙ୍କ ଲକର୍ ଆକ୍ସେସ୍ କରିବେ ବ୍ୟାଙ୍କ ଜରିଆରେ ଆପଣଙ୍କୁ ଇମେଲ୍ କିମ୍ବା ମେସେଜ୍ ଜରିଆରେ ଆଲର୍ଟ କରାଯିବ ।

ନୂଆ ନିୟମ ଅନୁସାରେ ବ୍ୟାଙ୍କକୁ ସର୍ବାଧିକ ୩ ବର୍ଷର ଭଡା ହେବାର ଅଧିକାର ଅଛି । ଲକର ରୁମ୍‌କୁ ଏବେ ସିସିଟିଭି ଜଗିବା ଜରୁରୀ । ଏହାସହ ସିସିଟିଭି ଫୁଟେଜ୍‌ର ଡାଟା ୧୮୦ ଦିନ ପର୍ଯ୍ୟନ୍ତ ରଖାଯିବ । ଚୋରି କିମ୍ବା ଅନ୍ୟ କୌଣସି ଅଭିଯୋଗ ଆସିଲେ ପୋଲିସ ସିସିଟିଭି ଫୁଟେଜ୍ ଯାଞ୍ଚ କରିପାରିବ । ସେହି ଆଧାରରେ ତଦନ୍ତ କରିପାରିବ |

Related Posts