ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ‘ଗଭର୍ଣ୍ଣର ଅଫ ଦ ଇୟର’ ସମ୍ମାନ

ଭୁବନେଶ୍ୱର,୧୬/୩ (ସତ୍ୟପାଠ ବ୍ୟୁରୋ): ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ମିଳିଲା ଗଭର୍ଣ୍ଣର ଅଫ ଦ ଇୟର ସମ୍ମାନ । ବୁଧବାର ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପବ୍ଲିକେସନ ତରଫରୁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି । ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲଙ୍କ ଇସ୍ତଫା ପରେ ଶକ୍ତିକାନ୍ତ ଦାସଙ୍କୁ ଗଭର୍ଣ୍ଣର କରାଯାଇଥିଲା । ସେହିଦିନ ଠାରୁ କୋରୋନା ମହାମାରୀ, ଋଷ-ୟୁକ୍ରେନ ଯୁଦ୍ଧ, ଆର୍ଥିକ ମାନ୍ଦାବସ୍ଥା ଭଳି ଆହ୍ବାନକୁ ସେ ସଫଳତାର ସହ ମୁକାବିଲା କରିଛନ୍ତି ।

ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗ ପବ୍ଲିକେସନ ହେଉଛି ପବ୍ଲିକ ପଲିସି ଏବଂ ଫାଇନାନସିଆଲ ମାର୍କେଟ ସମ୍ପର୍କିତ ପବ୍ଲିକେସନ ଯାହାର ନଜର ସମଗ୍ର ବିଶ୍ବର କେନ୍ଦ୍ରୀୟ ବ୍ୟାଙ୍କ ଓ ଅନ୍ତର୍ଜାତୀୟ ଆର୍ଥିକ ସଂସ୍ଥା ଉପରେ ରହିଥାଏ । ପ୍ରକାଶଥାଉକି, ଏହା ପୂର୍ବରୁ ମଧ୍ୟ ଜଣେ ପୂର୍ବତନ ଆରବିଆଇ ଗଭର୍ଣ୍ଣରକୁ ଗଭର୍ଣ୍ଣର ଅଫ ଦ ଇୟର ମିଳିଥିଲା । ୨୦୧୫ ମସିହାରେ ସେଣ୍ଟ୍ରାଲ ବ୍ୟାଙ୍କିଙ୍ଗର ପୂର୍ବତନ ଆରବିଆଇ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଏନେଇ ସେଣ୍ଟ୍ରାଲ ବ୍ୟାଙ୍କିଂ ପକ୍ଷରୁ କୁହାଯାଇଛି, ” ୧୦ ବର୍ଷ ମଧ୍ୟରେ ଭାରତର ଜିଡିପି ୯୦ ପ୍ରତିଶତ ବୃଦ୍ଧି ପାଇଛି । ମୁଣ୍ଡପିଛା ଆୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ବାର୍ଷିକ ମୁଣ୍ଡପିଛା ଆୟ ୨୪୦୦ ଡଲାର ହୋଇଛି ଯାହା 2010 ମସିହାରେ ୧୦୦୦ ଡଲାର ରହିଥିଲା । “

କୋରୋନା ମହାମାରୀ ସମୟରେ ଅର୍ଥବ୍ୟବସ୍ଥାରୁ ସଙ୍କଟରୁ ଦୂର କରିବା ପାଇଁ ଆରବିଆଇ ଲେଣ୍ଡିଂ ରେଟ୍‌ ହ୍ରାସ କରିଥିଲା । ସାଧାରଣ ଲୋକଙ୍କୁ କିଛି ଲୋକଙ୍କୁ ଇଏମଆଇ ଛାଡ କରିବା ସହ ସୁଧହାରରେ ରିହାତି ଦିଆଯାଇଥିଲା । କୋଭିଡ ଭଳି ମହାମାରୀ ସମୟରେ ଦେଶରେ ଆର୍ଥିକ ବ୍ୟବସ୍ଥାକୁ ସଙ୍କଟରୁ ମୁକୁଳେଇବା ପାଇଁ ଶକ୍ତିକାନ୍ତ ଦାସଙ୍କ ପ୍ରମୁଖ ଭୂମିକା ରହିଥିବା ନେଇ ସେଣ୍ଟ୍ରାଲ ବ୍ୟାଙ୍କିଂ ପକ୍ଷରୁ କୁହାଯାଇଛି । ଡର ଏବଂ ଭୟ ମଧ୍ୟରେ ସେ ଶାନ୍ତ ଭାବେ ନିଜର କାର୍ଯ୍ୟ କରୁଥିଲେ । ରାଜନୈତିକ ଏବଂ ଅର୍ଥନୈତିକ ସଙ୍କଟ ଭିତରେ ସେ ନିଜର ନିଷ୍ପତ୍ତିରେ ସନ୍ତୁଳନ ବଜାୟ ରଖିଥିଲେ ।

ତେବେ ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟ ସମୟରେ ହିଁ ଦେଶରେ ୟୁପିଆଇର ସମ୍ପ୍ରସାରଣ ବୃଦ୍ଧି ହୋଇଛି । ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଭାରତ ଅଗ୍ରଣୀ ହୋଇପାରିଛି । ସେ କ୍ରିପ୍ଟୋକରେନ୍ସିର ବିରୋଧରେ ରହିଥିଲେ । ଆରବିଆଇ ଶକ୍ତିକାନ୍ତ ଦାସଙ୍କ ନେତୃତ୍ବରେ ଡିଡିଟାଲ କରେନ୍ସି ଲଞ୍ଚ କରିଛି । ପ୍ରଥମ ଥର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ ଶେଷ ହୋଇଯାଇଥିଲେ ସୁଦ୍ଧା ଦ୍ବିତୀୟ ଥର ପାଇଁ ତାଙ୍କ ସମୟସୀମାକୁ ବୃଦ୍ଧି କରାଯାଇଛି ।

Related Posts