ପଢ଼ନ୍ତୁ ପଦ୍ମଶ୍ରୀ ପାଉଥିବା ତିନି ଓଡିଆଙ୍କ ସଂଘର୍ଷର କାହାଣୀ

ସତ୍ୟପାଠ ବ୍ୟୁରୋ : ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାରୁ ତିନିଜଣ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାଇ ପାଇବାକୁ ମନୋନୀତ ହୋଇଛନ୍ତି । କଟକର ଚା’ଦୋକାନୀ ଡି. ପ୍ରକାଶ ରାଓ, କୋରାପୁଟର କମଳା ପୂଜାରୀ ଓ କେନ୍ଦୁଝରର ଦୈତାରୀ ନାୟକଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାରୁ ତିନିଜଣଙ୍କ ସମେତ ଦେଶର ମୋଟ ୮୪ ଜଣଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିବେ ।


କମଳା ପୂଜାରୀ

କମଳା ପୂଜାରୀ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲା ପାତ୍ରପୁଟ ଗ୍ରାମର ବାସିନ୍ଦା । ପ୍ରାୟ ଶହେରୁ ଉଦ୍ଧ୍ୱର୍ ସ୍ୱଦେଶୀ ଧାନ ବିହନ କିସମ ନିଜ ଜମିରେ ଚାଷ କରି, ସେଗୁଡିକର ସଂରକ୍ଷଣ କରି ନାରୀ ସମାଜ ପାଇଁ ପ୍ରେରଣା ପାଲଟିଛନ୍ତି କମଳା । ବନ ସଂରକ୍ଷଣ ପାଇଁ ସେ ପ୍ରାରମ୍ଭିକ ଅବସ୍ଥାରେ ୨୧ ଜଣ ଉତ୍ସର୍ଗୀକୃତ ମହିଳାଙ୍କୁ ନେଇ ନିଜ ଗାଁରେ ‘ତ୍ରୀନାଥ ଠାକୁର ବନ ସୁରକ୍ଷା ସମିତି’ ଗଠନ କରି ଜଙ୍ଗଲ ସୁରକ୍ଷା କ୍ଷେତ୍ରରେ କାମ କରୁଥିଲେ । ଜୟପୁର ସ୍ଥିତ ଏମ୍ଏସ୍ ସ୍ୱାମୀନାତନ ରିସର୍ଚ୍ଚ ଫାଉଣ୍ଡେସନ ଠାରେ ସେ ଜୈବିକ କୃଷି ପଦ୍ଧତି ସମ୍ପର୍କରେ ଉପଯୁକ୍ତ ତାଲିମ ନେଇଥିଲେ । ଲୋପ ପାଇଯାଉଥିବା ପ୍ରାୟ ୧୦୦ରୁ ଉଦ୍ଧ୍ୱର୍ ଦେଶୀ ବିହନ କିସମର ଜୈବିକ ପଦ୍ଧତିରେ ଚାଷ କରି ତଥା ଏହାର ସଂରକ୍ଷଣ କରି ଲୋକ ଲୋଚନକୁ ଆସିଥିଲେ କମଳା ।

କମଳା ପୂଜାରୀଙ୍କ ଦ୍ୱାରା ସଂରକ୍ଷିତ କିଛି ସ୍ୱଦେଶୀ ଧାନ କିସମ :

ହଳଦୀଗଣ୍ଠି, ଝିଲି, ସପୁରୀ, ବୃଦ୍ଧମଣି, କଳାଜିରା, କାଲାମଲ୍ଲିକ, ମାଛକଣ୍ଟା, ଲଦିଆରୀ, ବରପକ, ବିଲେନ, ଫୁରା, ଘଣ୍ଟିଆ ଧାନ, ହଳଦୀଗୁରି, ଉମୁରିଆଚରୀ, ଗଣ୍ଠିଆ, ବଡିକାବରୀ, ଲଲାଟ ।


ଦୈତାରୀ ନାୟକ

ସେହିପରି ଆଉ ଜଣେ ସମାଜସେବୀ ଦୈତାରୀ ନାୟକ । ତାଙ୍କ ଘର କେନ୍ଦୁଝର ଜିଲ୍ଲା ଗୋନାସିକା ଅଂଚଳର ତଳ ବୈତରଣୀ ଗାଁ । ପାହାଡ କାଟି ଚାଷଜମି ମୁଣ୍ଡରେ ଜଳସେଚନ କରି ପାରିଛନ୍ତି ଦୈତାରୀ । ସାରା ଜିଲ୍ଲାରେ କେନାଲ ମଣିଷ ଭାବେ ଜଣାଶୁଣା ଦୈତାରୀଙ୍କ ଉଦ୍ୟମକୁ ପ୍ରଥମେ ଲୋକେ ଥଟ୍ଟା କରୁଥିବା ବେଳେ ଏବେ ସେଥିରୁ ସମସ୍ତେ ଲାଭ ପାଇ ପାରୁଛନ୍ତି । ଯାହାକୁ ସରକାର କରିଲେ ନାହିଁ ସେହି କାମକୁ କରି ଦେଖାଇଛନ୍ତି ଦୈତାରୀ ।

ବୈତରଣୀ ନଦୀର ଉତ୍ପତିସ୍ଥଳ ପାଖରେ ଗାଁ ଥାଇ ବି ତାଙ୍କ ଗାଁକୁ ଜଳସେଚନ ହୋଇ ପାରୁ ନଥିଲା । ଜଳ ଅଭାବରୁ ଚାଷଜମି ଶୁଖିଲା ପଡୁଥିବା ବେଳେ ପାହାଡ କାଟି ବୈତରଣୀକୁ ନିଜ ଗାଁକୁ ନେବାକୁ ଚେଷ୍ଟା କରନ୍ତି ସେ । ତିନିବର୍ଷ କାଳ ଚେଷ୍ଟା କରି ଶେଷରେ ନିଜ ଉଦ୍ୟମରେ ସଫଳ ହେଲେ ଦୈତାରୀ ଆଉ ତାଙ୍କରି ଉଦ୍ୟମ ପାଇଁ ତଳ ବୈତରଣୀ ଅଂଚଳରେ ୪୦୦ଏକର ଚାଷ ଜମି ଜଳସେଚିତ ହୋଇପାରିଛି ।


ଡି. ପ୍ରକାଶ ରାଓ

ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ କିଛି ନା କିଛି ଭିନ୍ନ କରି ଦେଖାଇଥାଆନ୍ତି । ସେମିତି ଜଣେ ହେଉଛନ୍ତି କଟକର ଜଣାଶୁଣା ଚା’ ଦୋକାନୀ ଡି. ପ୍ରକାଶ ରାଓ । ପେଷାରେ ସିନା ସେ ଚା’ ବିକନ୍ତି, ନିଶା କିନ୍ତୁ ତାଙ୍କର ସମାଜସେବା । ବସ୍ତିରେ ରହୁଥିବା ପିଲାଙ୍କ ପାଇଁ ସ୍କୁଲ ଖୋଲିଛନ୍ତି ପ୍ରକାଶ । ଏହାର ନାଁ ରହିଛି ‘ଆଶା ଓ ଆଶ୍ୱାସନା’ । ନିଜ ଚା’ ଦୋକାନରୁ ମିଳୁଥିବା ଅର୍ଥରେ ସେ ପିଲାଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଦିଅନ୍ତି । ନିଜେ ସିନା ପାଠ ପଢ଼ି ନାହାଁନ୍ତି ହେଲେ ସମସ୍ତଙ୍କ ପାଖରେ ଶିକ୍ଷା ପହଂଚାଇ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଛନ୍ତି ପ୍ରକାଶ ।

Related Posts