ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଧାମନଗର ଉପନିର୍ବାଚନ ପାଇଁ ବିଜେଡି ଟିକେଟ୍ ନପାଇ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ ଆଜି ସ୍ଵାଧୀନ ଭାବେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ରାଜେନ୍ଦ୍ର ନିଜ ସ୍ୱଳ୍ପ ସଂଖ୍ୟକ ସମର୍ଥକ ଓ ପରିବାର ଲୋକଙ୍କ ସହ ନିଜ ବସଭାବନରୁ ପଦଯାତ୍ରାରେ ଆସି ରିଟର୍ନିଂ ଅଧିକାରୀଙ୍କ ନିକଟରେ ଦୁଇ ସେଟ୍ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।
ତେବେ ଧାମନଗର ରାଜନୀତିରେ ରାଜୁଙ୍କ ବିଦ୍ରୋହ ଏବେ ବିଜେଡି ନେତୃତ୍ୱଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ତଥାପି ରାଜୁଙ୍କ ମାନଭଞ୍ଜନ ପାଇଁ ଏବେ ମଧ୍ୟ ଦଳ ପକ୍ଷରୁ ଉଦ୍ୟମ ଜାରିଥିବା ସୂଚନା ମିଳିଛି। ଅପରପକ୍ଷେ ଏନେଇ ରାଜେନ୍ଦ୍ର ଦାସ ପ୍ରତିକ୍ରିୟାରେ କହିଛନ୍ତି ଯେ, ମୁଁ ଘର ଘର ବୁଲି ସଂଗଠନ କରିଛି। କିଛି ଚକ୍ରାନ୍ତକାରୀଙ୍କ ଶିକାର ହୋଇଛି। ମୋ ସମର୍ଥକଙ୍କ ଆଗ୍ରହ କ୍ରମେ ପ୍ରାର୍ଥୀପତ୍ର ଦାଖଲ କରିଛି। ଧାମନଗର ବାସୀଙ୍କ ସମର୍ଥନ ମୋ ସହ ରହି ଆସିଛି । ଏହି ନିର୍ବାଚନରେ ମୁଁ ନିଶ୍ଚୟ ବିଜୟୀ ହେବି ବୋଲି ରାଜୁ କହିଛନ୍ତି। ଏହା ସହିତ ନାମାଙ୍କନ ପ୍ରତ୍ୟାହାର କରିବେ ନାହିଁ ବୋଲି ମଧ୍ୟ ରାଜୁ କହିଛନ୍ତି।
ସୂଚନାଯୋଗ୍ୟ ଯେ, ଉପନିର୍ବାଚନ ପାଇଁ ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସଙ୍କୁ ବିଜେଡି ପ୍ରାର୍ଥୀ କରିବା ପରେ ଅସନ୍ତୁଷ୍ଟ ଥିଲେ ରାଜେନ୍ଦ୍ର । ତେବେ ରାଜେନ୍ଦ୍ରଙ୍କୁ ମନାଇବାକୁ ଦଳର ଅନେକ ହେବିଓ୍ୱେଟ ନେତା ଚେଷ୍ଟା କରିଥିଲେ ସୁଦ୍ଧା ରାଜୁଙ୍କ ମାନଭଞ୍ଜନରେ ଦଳ ସଫଳ ହୋଇନାହିଁ । ଏହାସହିତ ରାଜୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ କରିଛନ୍ତି । ନିରାଡ଼ମ୍ଵର ଭାବେ ଶୋଭଯାତ୍ରାରେ ଯାଇଁ ନାମାଙ୍କନ ଦାଖଲ କରିଛନ୍ତି। ସେପଟେ ଆଜି ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ମଧ୍ୟ ନିଜର ପ୍ରାର୍ଥିପତ୍ର ଦାଖଲ କରିବେ । ବିଜେଡିରେ ବିଦ୍ରୋହ ପରେ ଆଗକୁ ଧାମନଗର ଉପନିର୍ବାଚନ ରୋଚକ ମୋଡ଼ ନେବ ବୋଲି ଚର୍ଚ୍ଚା ହେଉଛି । ଗତକାଲି ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିଥିଲେ କଂଗ୍ରେସ ପ୍ରାର୍ଥୀ ବାବା ହରେକୃଷ୍ଣ ସେଠୀ । ସେପଟେ ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜ ବିଜେପି ପକ୍ଷରୁ ନାମାଙ୍କନ ଦାଖଲ କରି ସାରିଛନ୍ତି।
