ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ର ୬୦୦୦ କୋଟି ଟଙ୍କା ଘୋଟାଲାର ସିବିଆଇ ତଦନ୍ତ ପାଇଁ ଉପ-ରାଜ୍ୟପାଳ କାହିଁକି ଲେଖିନାହାନ୍ତି – ମନୀଷ ସିସୋଡ଼ିଆ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦିଲ୍ଲୀରେ ପୁଣି ଦୁର୍ନୀତିକୁ ନେଇ ଉପ ରାଜ୍ୟପାଳ ଓ ଦିଲ୍ଲୀର ଆମ ଆଦମୀ ପାର୍ଟିର ସରକାର ମୁହାଁମୁହିଁ ହୋଇଛନ୍ତି। ଏହି ବିବାଦ ଏବେ ତୀବ୍ର ହେବାରେ ଲାଗିଛି। ଏସବୁ ଭିତରେ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ନାମରେ ଏକ ପୁରୁଣା ଦୁର୍ନୀତି ଅଭିଯୋଗ ଆଣି ଉଭୟ ବିଜେପି ଓ ଉପ ରାଜ୍ୟପାଳଙ୍କୁ ଟାର୍ଗେଟ କରିଛନ୍ତି ଦିଲ୍ଲୀ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ଉପ ରାଜ୍ୟପାଳ ଭିକେ ସକ୍ସେନାଙ୍କୁ ଚିଠି ଲେଖି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ବିରୋଧରେ ୬ ହଜାର କୋଟିର ଦୁର୍ନୀତି ଅଭିଯୋଗ ଆଣିବାସହିତ ଏହି ଦୁର୍ନୀତି ବିରୋଧରେ ସିବିଆଇ ତଦନ୍ତ ପାଇଁ ଦାବି କରିଛନ୍ତି ସିସୋଦିଆ।ବିଜେପି ନେତୃତ୍ୱରେ ଚାଲିଥିବା ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ ଟୋଲ ଟିକସ ଆଦାୟ ନାଁରେ ୬ ହଜାର କୋଟି ଟଙ୍କାର ଦୁର୍ନୀତି କରିଛି। ଏହାର ତଦନ୍ତ ନିର୍ଦ୍ଦେଶ କାହିଁକି ଉପ ରାଜ୍ୟପାଳ ଦେଉ ନାହାନ୍ତି ବୋଲି ସିସୋଦିଆ ଚିଠି ଲେଖି ପ୍ରଶ୍ନ କରିଛନ୍ତି।ଉପ ରାଜ୍ୟପାଳଙ୍କୁ ଲେଖିଥିବା ଚିଠିରେ ସିସୋଦିଆ ପଚାରିଛନ୍ତି ଯେ “ବିଜେପି ନେତୃତ୍ଵାଧୀନ ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନରେ ହୋଇଥିବା ୬ ହଜାର କୋଟି ଟଙ୍କା ଦୁର୍ନୀତିର ତଦନ୍ତ ନିର୍ଦ୍ଦେଶ ଆପଣ କାହିଁକି ଦେଇ ନାହାନ୍ତି? ୨ମାସ ତଳେ ଏହି ୬୦୦୦ କୋଟି ଘୋଟାଲାର ତଦନ୍ତ ସିବିଆଇ ଦ୍ୱାରା କରିବାକୁ ମୁଁ ଆପଣଙ୍କୁ ଚିଠି ଲେଖିଥିଲି। ହେଲେ ଆପଣ ବିଜେପି ଦ୍ୱାରା ହୋଇଥିବା ୬ହଜାର କୋଟି ଟଙ୍କାର ଦୁର୍ନୀତି ଉପରରେ କୌଣସି ଧ୍ୟାନ ଦେଇନାହାନ୍ତି। ହେଲେ ଆପଣ ଦିଲ୍ଲୀର ଏକ ନିର୍ବାଚିତ ସରକାର ବିରୋଧରେ ବାରମ୍ବାର ବିଭିନ୍ନ ଦୁର୍ନୀତି ଅଭିଯୋଗ ଆଣି ତଦନ୍ତ ନିର୍ଦ୍ଦେଶ ଦେଉଛନ୍ତି। ଯେଉଁ ଅଭିଯୋଗ ଗୁଡିକର କୌଣସି ଅର୍ଥ ନାହିଁ। ଆପଣ ମୋ ଘରେ ସିବିଆଇ ଦ୍ୱାରା ରେଡ କରାଇଲେ। ଆପଣଙ୍କୁ ମୋର ଯାଞ୍ଚ କରି କିଛି ମିଳିଲା ନାହିଁ। ଆପଣଙ୍କ ଧ୍ୟାନ କେବଳ ଦିଲ୍ଲୀ ସରକାରଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିବା ଓ ପ୍ରତିଦିନ ମିଛ ଯାଞ୍ଚ କରିବା ଉପରେ ହିଁ ରହିଯାଇଛି। ଆମ ସରକାର ସଚ୍ଚୋଟ ଓ ଆମେ କୌଣସି ତଦନ୍ତକୁ ଭୟ କରୁନାହୁଁ। ତେଣୁ ବିଜେପିର ଏମସିଡି ଦ୍ୱାରା କରାଯାଇଥିବା ୬୦୦୦ କୋଟି କୋଟି ଟଙ୍କାର ଦୁର୍ନୀତିର ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ।”ସୂଚନାଯୋଗ୍ୟ ଯେ, ଦିନକ ତଳେ ଦିଲ୍ଲୀରେ କ୍ଷମତାସୀନ ଆପ୍‌ ସରକାର ଲାଗୁ କରୁଥିବା ସବସିଡି ଯୁକ୍ତ ବିଜୁଳି ଯୋଜନାରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା। ଏହାର ତଦନ୍ତ କରିବା ପାଇଁ ଉପ ରାଜ୍ୟପାଳ ସକ୍ସେନା ନିର୍ଦ୍ଦେଶ ଦେଇଥିଲେ। ଏହି ତଦନ୍ତ ନିର୍ଦ୍ଦେଶ ପରେ ପୁଣି ଥରେ ଦିଲ୍ଲୀ ସରକାର ଓ ଉପ ରାଜ୍ୟପାଳଙ୍କ ମଧ୍ୟରେ ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି।

Related Posts