ସାମାଜିକ ସୁରକ୍ଷା ଭତ୍ତାକୁ ନଗଦ ଅର୍ଥ ଆକାରରେ ଦେବା ନିଷ୍ପତ୍ତିର ପୁନର୍ବିଚାର କରାଯାଉ; ନବୀନଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୪/୫(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ସାମାଜିକ ସୁରକ୍ଷା ଭତ୍ତାକୁ ଡିବିଟି ବଦଳରେ ନଗଦ ଅର୍ଥ ଆକାରରେ ଦେବାର ନିଷ୍ପତ୍ତି ଚିନ୍ତାଜନକ । ଏହି ନିର୍ଣ୍ଣୟ ଦୁର୍ନୀତିମୁକ୍ତ ଶାସନ ଦିଗରେ ପଛଘୁଞ୍ଚା ଦେବା ତଥା ଜନକଲ୍ୟାଣ ସେବା ପ୍ରଦାନ କରିବାର ବୀପରିତ ଦିଗକୁ ଦର୍ଶାଉଛି ।ତେଣୁ ସ୍ୱଚ୍ଛତା ବଜାୟ ରଖିବା ତଥା ଭ୍ରଷ୍ଟାଚାରକୁ ଦୂର କରିବାର ପ୍ରତିବଦ୍ଧତାକୁ ଧ୍ୟାନରେ ରଖି ଏହି ନିଷ୍ପତିର ପୁନର୍ବିଚାର କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

କେନ୍ଦ୍ରମନ୍ତ୍ରୀ ତାଙ୍କ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ‘ନଗଦ ଅର୍ଥ ପ୍ରଦାନ ଜରିଆରେ ମଧ୍ୟସ୍ଥିଙ୍କ ଦ୍ୱାରା ଦୁର୍ନୀତି, ହେରଫେର୍ କାରଣରୁ ହିତାଧିକାରୀମାନେ ଅତୀତରେ ଶୋଷଣ ହେବାର ଅନେକ ନଜିର ରହିଛି । ଓଡ଼ିଶା ସରକାରଙ୍କ ଦ୍ୱାରା ହିତାଧିକାରୀଙ୍କୁ ନଗଦ ଅର୍ଥ ପ୍ରଦାନ କରିବାର ନିଷ୍ପତ୍ତି ପୁଣି ଥରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରୋତ୍ସାହନ ଦେବ । ଏହି ସମସ୍ୟା ଆମ ବରିଷ୍ଠ ନାଗରିକଙ୍କ ଉପରେ ବୋଝ ସୃଷ୍ଟି କରିପାରେ । ତେଣୁ ଡିବିଟି ପ୍ରକ୍ରିୟା ମାଧ୍ୟମରେ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗଙ୍କୁ ଭତ୍ତା ସହାୟତା ପ୍ରଦାନ କରାଯାଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଭାରତ ସରକାରଙ୍କ ଫଳପ୍ରଦ ଯୋଜନାଗୁଡିକ ବିନା କୌଣସି ମଧ୍ୟସ୍ଥିରେ ପ୍ରତ୍ୟେକ ନାଗରିକଙ୍କ ପାଖରେ ପହଞ୍ଚୁଛି । ଜନଧନ ଯୋଜନାର ଏହାର ଏକ ଉତ୍କୃଷ୍ଟ ଉଦାହରଣ। ସମଗ୍ର ଭାରତବର୍ଷରେ ଏହି ଯୋଜନାରେ ପ୍ରାୟ ୪୮.୯୯ କୋଟି ବ୍ୟାଙ୍କ୍ ଆକାଉଣ୍ଟ ଖୋଲାଯାଇଛି ଏବଂ ୧.୯୭ ଲକ୍ଷ କୋଟି ଟଙ୍କା ଜମା କରାଯାଇଛି । ଓଡ଼ିଶାରେ ମଧ୍ୟ ୨.୦୧ କୋଟି ଜନଧନ ଆକାଉଣ୍ଟ ଖୋଲାଯାଇଥିବା ବେଳେ ୮ ହଜାର ୭୫୧ କୋଟି ଟଙ୍କା ଜମା କରାଯାଇଛି । ସେହିପରି ସହଜରେ ବ୍ୟାଙ୍କ୍ କାରବାର ପାଇଁ ଓଡ଼ିଶାରେ ୧ କୋଟି ୪୫ ଲକ୍ଷ ୪୮ ହଜାର ୪୭୩ ରୁପେ କାର୍ଡ ପ୍ରଦାନ କରାଯାଇଛି । ଓଡ଼ିଶାରେ ଜାତୀୟ ସାମାଜିକ ସୁରକ୍ଷା ସହାୟତା(ଏନଏସଏପି) ଅନ୍ତର୍ଗତ ପ୍ରଧାନମନ୍ତ୍ରୀଙ୍କ ସାମାଜିକ ସୁରକ୍ଷା ଯୋଜନା ଯଥା ପିଏମ ଜୀବନ ଜ୍ୟୋତି ଯୋଜନା, ପିଏମ ସୁରକ୍ଷା ବୀମା ଯୋଜନା, ପିଏମ ମାତୃବନ୍ଦନା ଯୋଜନା ଏବଂ ବରିଷ୍ଠ ନାଗରିକ, ବିଧବା ଏବଂ ଦିବ୍ୟାଙ୍ଗ ଭତ୍ତା ଭଳି ଯୋଜନା ଓଡ଼ିଶାର ନାଗରିକଙ୍କୁ ଡିବିଟି ମାଧ୍ୟମରେ ସୁବିଧା ଓ ସୁରକ୍ଷା ପ୍ରଦାନ କରିଛି ।’

ସେ ଆହୁରି ବି କହିଛନ୍ତି ଯେ, ‘ଏନଏସଏପି ଅନ୍ତର୍ଗତ ଭାରତ ସରକାରଙ୍କ ପ୍ରାୟ ୨.୯୯ କୋଟି ହିତାଧିକାରୀ ବିଶେଷ ଭାବରେ ବରିଷ୍ଠ, ବିଧବା ଏବଂ ଦିବ୍ୟାଙ୍ଗମାନେ ମାସିକ ଭତ୍ତା ପାଉଛନ୍ତି । ଓଡ଼ିଶାରେ ମଧ୍ୟ ୨୦ ଲକ୍ଷ ୯୫ ହଜାର ୬୯୫ ହିତାଧିକାରୀଙ୍କୁ ଡିବିଟି ମାଧ୍ୟମରେ ସହାୟତା ପ୍ରଦାନ କରାଯାଉଛି । ଏହି ହିତାଧିକାରୀ କୌଣସି ଭ୍ରଷ୍ଟାଚାର ବିନା ସିଧାସଳଖ ନିଜ ବ୍ୟାଙ୍କ୍ ଖାତାରେ ସହାୟତ ରାଶି ପାଉଛନ୍ତି । ଡିବିଟି ବ୍ୟବସ୍ଥା କାରଣରୁ ରାଜକୋଷକୁ ସହାୟକ ହେବା ସହ ନକଲି କିମ୍ବା ଭୂତ ହିତାଧିକାରୀ ବାଦ୍ ପଡିଛନ୍ତି ଏବଂ ମଧ୍ୟସ୍ଥିଙ୍କ ଆବଶ୍ୟକତା ମଧ୍ୟ ହ୍ରାସ ପାଇଛି ଏବଂ ଭ୍ରଷ୍ଟାଚାର ମୁକ୍ତ ଓ ସ୍ୱଚ୍ଛ ରହିଛି । ଓଡ଼ିଶା ମଧ୍ୟ କେନ୍ଦ୍ରୀୟ ଏବଂ ରାଜ୍ୟ ଯୋଜନାରେ ଡିବିଟି ବ୍ୟବସ୍ଥା ଆପଣାଇଛି । ଓଡ଼ିଶା ୨୦୨୨-୨୩ ଆର୍ଥିକ ବର୍ଷରେ କେନ୍ଦ୍ର ଓ ରାଜ୍ୟ ଯୋଜନା ଅନ୍ତର୍ଗତ ୮,୧୩୫.୧୮ କୋଟି ଟଙ୍କା ହସ୍ତାନ୍ତର କରିଛି ଏବଂ ଏହିବର୍ଷ ୧.୯୫ ହିତାଧିକାରୀଙ୍କୁ ଅନ୍ତର୍ଭୃକ୍ତ କରାଯାଇଛି । ଡିବିଟି ବ୍ୟବସ୍ଥା ଆପଣାଇବା ଦ୍ୱାରା ଭୂତ ଓ ନକଲି ହିତାଧିକାରୀ ବାଦ୍ ପଡିଥିଲେ । ଏହି କାରଣରୁ ୨୦୨୧-୨୨ ଆର୍ଥକ ବର୍ଷରେ ରାଜ୍ୟ ସରକାରଙ୍କ ୪୫୯.୯୬ କୋଟି ଟଙ୍କା ସଞ୍ଚୟ ହୋଇଛି । ଭାରତ ସରକାର ମଧ୍ୟ ଡିବିଟି ଆପଣାଇବା ଫଳରେ ୨୦୨୧-୨୨ ୨.୭୩ ଲକ୍ଷ କୋଟି ଟଙ୍କା ସଞ୍ଚୟ କରିପାରିଛନ୍ତି । ଏହି ତଥ୍ୟ ପ୍ରମାଣିତ କରୁଛି ଯେ ଡିବିଟି ଦାରିଦ୍ୟକୁ ଦୂର କରିବା ସହ ନାଗରିକଙ୍କ ସଶକ୍ତିକରଣ ସହ ସେବା ଯୋଗାଇବାରେ ଉନ୍ନତି ପରିଲକ୍ଷିତ ହୋଇଛି ଏବଂ ଓଡ଼ିଶା ସମେତ ଦେଶର କୋଟି କୋଟି ନାଗରିକ ଏହାର ଲାଭ ପାଇଛନ୍ତି । ଓଡ଼ିଶା ସରକାର ଏହା ଜାଣିବା ସତ୍ତ୍ୱେ ପୁଣି ଥରେ ବରିଷ୍ଠ ନାଗରିକ ଭତ୍ତାକୁ ନଗଦ ଅର୍ଥ ଆକାରରେ ଦେବା ପାଇଁ ନିଷ୍ପତି ନେବା ଚିନ୍ତାଜନକ।’

ଧର୍ମେନ୍ଦ୍ର ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେବା ଭିତ୍ତିରେ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ‘ଜାନୁଆରୀ ୨୦୨୩ ସୁଦ୍ଧା ଓଡ଼ିଶାର ବିଭିନ୍ନ ବ୍ୟାଙ୍କରେ ୮୨ ହଜାର ୨୬୧ ସକ୍ରିୟ ବ୍ୟାଙ୍କ୍ ମିତ୍ର ମହଜୁଦ୍ ଅଛନ୍ତି । ଏହାବ୍ୟତିତ ଓଡ଼ିଶାରେ ୮ ହଜାର ୪୯୧ଟି ପୋଷ୍ଟ ଅଫିସ ରହିଛି ଏବଂ ଏଥିରେ ଦୁର୍ଗମ ଏବଂ ଗ୍ରାମୀଣ ଅଞ୍ଚଳରେ ଆର୍ଥିକ ସେବା ପ୍ରଦାନ କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ ଅଛନ୍ତି । ଭାରତୀୟ ଡାକର ଉପସ୍ଥିତି ଓ ଏହାର ବ୍ୟାପକ ନେଟଓ୍ୱାର୍କକୁ ଡିବିଟି ସହ ଉପଯୋଗ କରିବାର ଆବଶ୍ୟକତା ରହିଛି । ଓଡ଼ିଶାରେ ୬ ହଜାର ୭୭୨ ଗ୍ରାମ ପଞ୍ଚାୟତକୁ ୨୨ ହଜାର ଜନସେବା କେନ୍ଦ୍ର ସେବା ପ୍ରଦାନ କରୁଛନ୍ତି । ଏହାର ଉପସ୍ଥିତି ଦ୍ୱାରା ଭାରତ ସରକାରଙ୍କ ଅନେକ ସାମାଜିକ ସୁରକ୍ଷା, ଆର୍ଥିକ ସେବା, କୃଷି ଏବଂ କୃଷକ କଲ୍ୟାଣକାରୀ ଯୋଜନା ସଫଳ ରୂପେ କାର୍ଯ୍ୟକାରୀ ହୋଇପାରିଛି । ଡିବିଟି ଫ୍ରେମଓ୍ୱାର୍କ ସହିତ ବରିଷ୍ଠ ନାଗରିକ ଭତ୍ତା, ସାମାଜିକ ସୁରକ୍ଷା ଯୋଜନା ଏବଂ ଅନ୍ୟାନ୍ୟ ଆର୍ଥିକ ଯୋଜନାର ଅର୍ଥ ପ୍ରଦାନକୁ ବର୍ତ୍ତମାନ ଉପଲବ୍ଧ ବ୍ୟାଙ୍କ୍ ମିତ୍ର, ଭାରତୀୟ ଡାକର ବ୍ୟାପକ ନେଟଓ୍ୱାର୍କ ଓ ଜନସେବା କେନ୍ଦ୍ର ବ୍ୟବହାର କରାଯିବା ଦରକାର। ଏ ଗୁଡିକ ଅଭିନବ ଉପାୟରେ ଅପହଞ୍ଚ ଲୋକଙ୍କୁ ସେବା ପ୍ରଦାନ କରିପାରିବ ବୋଲି କେନ୍ଦ୍ରମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।’

Related Posts