ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା; ଏଣିକି ପୁରୁଣା ପଦ୍ଧତିରେ ହେବ ପରୀକ୍ଷା

ଭୁବନେଶ୍ୱର,୨୪/୫(ସତ୍ୟପାଠ ବ୍ୟୁରୋ): ବଦଳିଲା ମାଟ୍ରିକ ପରୀକ୍ଷା ଢାଞ୍ଚା। ପୂର୍ବ ପ୍ରଚଳିତ ୨ଟି ସମ୍ମେଟିଭ୍‌ ପରୀକ୍ଷା ଆଉ କରାଯିବ ନାହିଁ। କେବଳ ଦଶମ ଶ୍ରେଣୀରେ ବାର୍ଷିକ ପରୀକ୍ଷା ହେବ। ପିଲାଙ୍କ ଅଭ୍ୟାସ ପାଇଁ ପୂର୍ବରୁ ଯେଉଁଭଳି ଷାଣ୍ମାସିକ ପରୀକ୍ଷା ହେଉଥିଲା ତାହା କରାଯିବ। ଇଣ୍ଟରନାଲ ଆସେସମେଣ୍ଟ ପରୀକ୍ଷା ୪ଟି କ୍ବାର୍ଟରରେ ଜାରି ରହିବ। କରୋନା ପାଇଁ ସମ୍ମେଟିଭ୍‌ ବ୍ୟବସ୍ଥା ହୋଇଥିଲା । କରୋନା ପରେ ପୁଣି ପୁରୁଣା ପରୀକ୍ଷା ପଦ୍ଧତିରେ ପରୀକ୍ଷା କରିବା ଲାଗି ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି ରାମାଶିଷ ହାଜରା । ସେହିପରି ନବମ ଶ୍ରେଣୀ ‌ପାଇଁ ବାର୍ଷିକ ପରୀକ୍ଷାରେ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ର ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି।

ସେହିପରି ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ପରିଚାଳିତ ‌ମାଟ୍ରିକ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇପାରି ନଥିବା ପିଲାମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏହା ଆସନ୍ତା ଜୁଲାଇ ୩ ତାରିଖରୁ ଆରମ୍ଭ ହେବ। ଜୁଲାଇ ୮ ତାରିଖ ପର୍ଯ୍ୟନ୍ତ ସପ୍ଲିମେଣ୍ଟାରୀ ପରୀକ୍ଷା ଜାରି ରହିବ। ପରୀକ୍ଷାରେ ସାମିଲ ହେବାକୁ ଚାହୁଁଥିବା ପିଲାମାନଙ୍କୁ ଏଥିପାଇଁ ମେ’ ୨୬ରୁ ଜୁନ୍‌ ୧ ତାରିଖ ମଧ୍ୟରେ ଫର୍ମ ଫିଲ୍‌ଅପ୍‌ କରିବାକୁ ପଡ଼ିବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ବୁଧବାର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Related Posts