ଭାରତକୁ ପାକିସ୍ତାନର ନୂଆ ସେନାଧ୍ୟକ୍ଷଙ୍କ ନାଲି ଆଖି

ଇସ୍ଲାମାବାଦ : ପାକିସ୍ତାନକୁ ମିଳିଛି ନୂଆ ସେନାଧ୍ୟକ୍ଷ । ତେବେ ଦାୟିତ୍ବ ଗ୍ରହଣ କରିବାର ଅଳ୍ପ କିଛି ଦିନ ପରେ ହିଁ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି ନୂଆ ସେନାଧ୍ୟକ୍ଷ ଅସୀମ ମୁନୀର । ସେ କହିଛନ୍ତି ଯେ ଭାରତ ଯଦି ଆକ୍ରମଣ କରେ, ତେବେ ପାକିସ୍ତାନ କେବଳ ନିଜକୁ ରକ୍ଷା କରିବ ତାହା ନୁହେଁ, ବରଂ ଯୁଦ୍ଧକୁ ଭାରତ ଉପରକୁ ନେଇଯିବ ।

ନଭେମ୍ବର ୨୯ରେ ସେନାଧ୍ୟକ୍ଷ ଦାୟିତ୍ବ ଗ୍ରହଣ କରିବା ପରେ ମୁନୀର ଶନିବାର ଦିନ ପ୍ରଥମ ଥର ପାଇଁ ନିୟନ୍ତ୍ରଣ ରେଖା (ଏଲଓସି) ନିକଟକୁ ଗସ୍ତ କରି ପାକିସ୍ତାନୀ ସେନାର ପ୍ରସ୍ତୁତିର ସମୀକ୍ଷା କରିଥିଲେ । ଏହି ଗସ୍ତ ଅବସରରେ ସେ କହିଥିଲେ ଯେ ପିଓକେ ଓ ଗଲଗିଟ ବାଲଟିସ୍ତାନ ସଂପର୍କରେ କେତେକ ଭାରତୀୟ ନେତାଙ୍କ ଦାୟିତ୍ବହୀନ ମନ୍ତବ୍ୟ ତାଙ୍କ ସାମନାକୁ ଆସିଛି । ଏଣୁ ସେ ସ୍ପଷ୍ଟ କରିଦେବାକୁ ଚାହୁଁଛନ୍ତି କି ପାକିସ୍ତାନୀ ସେନା କେବଳ ନିଜ ମାତୃଭୂମିର ସୁରକ୍ଷା ପାଇଁ ନୁହେଁ, ଯୁଦ୍ଧକୁ ଶତ୍ରୁଦେଶ ଉପରେ ଲଦିବାକୁ ସବୁବେଳେ ପ୍ରସ୍ତୁତ ଅଛି ।

ଏହି ଗସ୍ତ ସମୟରେ ପାକିସ୍ତାନୀ ସେନା ପକ୍ଷରୁ ତାଙ୍କୁ ଏଲଓସିର ବର୍ତ୍ତମାନ ସ୍ଥିତି ଓ ପାକିସ୍ତାନୀ ସେନାର ପ୍ରସ୍ତୁତି ସଂପର୍କରେ ସୂଚନା ଦିଆଯାଇଥିଲା । ସେ ମଧ୍ୟ ଏହି ଅବସରରେ ଯବାନ ଓ ଅଧିକାରୀମାନଙ୍କ ସହ ମତ ବିନିୟମ କରିଥିଲେ ।

Related Posts