ଦରଦାମ ହ୍ରାସ କରିବା ଖାଲି କେନ୍ଦ୍ରର ଦାୟିତ୍ବ ନୁହେଁ, ରାଜ୍ୟ ସରକାର ମଧ୍ୟ ପ୍ରୟାସ କରିବା ଉଚିତ: ନିର୍ମଳା ସୀତାରମଣ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରଦାମ୍‌ । ତେବେ ଦରଦାମ୍‌ ବଢ଼ିବା ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ବିବୃତ୍ତି ଦେଇଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍‌ ହ୍ରାସ କରିବାର ଦାୟିତ୍ୱ କେବଳ କେନ୍ଦ୍ର ସରକାରଙ୍କ ନୁହେଁ। ଏକ୍ଷେତ୍ରରେ ରାଜ୍ୟ ସରକାରଙ୍କର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ଦରଦାମ୍‌ ବୃଦ୍ଧିର ନିୟନ୍ତ୍ରଣ ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ପ୍ରୟାସ କରିବା ଉଚିତ। ଏହା ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ଦାୟିତ୍ୱ। ପେଟ୍ରୋଲ-ଡିଜେଲର ମୂଲ୍ୟ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ କେନ୍ଦ୍ର ସରକାର ପେଟ୍ରୋଲ ଡିଜେଲ ଉପରେ ଏକ୍ସାଇଜ ଶୁଳ୍କ ଦୁଇଥର ହ୍ରାସ କରିଛନ୍ତି। ବର୍ତ୍ତମାନ ଏହା ରାଜ୍ୟମାନଙ୍କର ଦାୟିତ୍ୱ। ସେମାନେ ଭାଟ ହ୍ରାସ କରିବା ଆବଶ୍ୟକ। କେତେକ ରାଜ୍ୟରେ ଦରଦାମ୍‌ ବୃଦ୍ଧି ହାର ଜାତୀୟ ସ୍ତରଠାରୁ ମଧ୍ୟ ଅଧିକ ରହିଛି। ଯାହା ଚିନ୍ତାର କାରଣ ପାଲଟିଛି। ଏହି ରାଜ୍ୟଗୁଡ଼ିକରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଭ୍ୟାଟ ହ୍ରାସ ନହେବା କାରଣରୁ ଦରାଦାମ୍‌ ବୃଦ୍ଧି ହାର ଅଧିକ ରହିଛି ।

ଆଇସିଆରଆଇଇଆର ଦ୍ୱାରା ଆୟୋଜିତ ମୁଦ୍ରାସ୍ଫୀତି ସମ୍ମିଳନୀକୁ ସମ୍ବୋଧିତ କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ, ସାଧାରଣ ଲୋକଙ୍କୁ ମୁଦ୍ରାସ୍ଫୀତିରୁ ମୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଅନେକ ପଦକ୍ଷେପ ନେଇଛନ୍ତି। ଇସ୍ପାତ ଉପରେ ସରକାର ରପ୍ତାନି ଶୁଳ୍କ ଲାଗୁ କରିଛନ୍ତି ଯାହା ଦ୍ୱାରା ଘରୋଇ ମୂଲ୍ୟ ଏବଂ ଉତ୍ପାଦକଙ୍କ ସ୍ବାର୍ଥ ମଧ୍ୟରେ ସନ୍ତୁଳନ ରହିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଜଗତୀକରଣ ଯୋଗୁ ମୁଦ୍ରାସ୍ଫୀତି ବୃଦ୍ଧି ପାଇଛି ଏବଂ ଏହାକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ରୀୟ ବ୍ୟାଙ୍କ ଉଦ୍ୟମ କରୁଛି। ବୁଧବାର ମଧ୍ୟ ଅର୍ଥମନ୍ତ୍ରୀ କହିଛନ୍ତି ଯେ ମୁଦ୍ରାସ୍ଫୀତି ସରକାରଙ୍କ ଆଗରେ ବଡ ଚ୍ୟାଲେଞ୍ଜ ନୁହେଁ। ବରଂ ଅଧିକରୁ ଅଧିକ ଚାକିରି ସୃଷ୍ଟି କରିବା ଏବଂ ଅର୍ଥନୈତିକ ସମାନତାର ଲକ୍ଷ୍ୟ ହାସଲ କରିବା ହେଉଛି ସରକାରଙ୍କ ସବୁଠାରୁ ବଡ ପ୍ରାଥମିକତା। ଗତ କିଛି ମାସ ମଧ୍ୟରେ ସରକାର ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ସଫଳତା ହାସଲ କରିଥିବା ମଧ୍ୟ ସେ କହିଥିଲେ।

Related Posts