ଅନଲାଇନରୁ ମଦ ମଗାଇଲେ ୪୭ ବର୍ଷ ବୟଷ୍କା ମହିଳା: ୩ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଲେ ସାଇବର ଠକ

ମୁମ୍ବାଇ: ବାନ୍ଦ୍ରା (ପଶ୍ଚିମ)ର ଜନୈକା ୪୭ ବର୍ଷ ବୟଷ୍କା ମହିଳା ଠକାମୀର ଶିକାର ହୋଇଛନ୍ତି । ସ୍ଥାନୀୟ ମଦ ଦୋକାନରୁ ୨ ହଜାର ଟଙ୍କାର ଅନଲାଇନ କ୍ରୟ କରିବାକୁ ଉଦ୍ୟମ କରି ସାଇବର ଠକାମୀର ଶିକାର ହୋଇଛନ୍ତି। ତାଙ୍କ କ୍ରେଡିଟ କାର୍ଡରୁ ସାଇବର ଠକ ୩ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି । ଏନେଇ ବୁଧବାର ବାନ୍ଦ୍ରା ପୋଲିସରେ ଲିଖିତ ଏତଲା ଦେଇଛନ୍ତି। ମାମଲାରେ ପୋଲିସ ତଦନ୍ତ ଆରମ୍ଭ କରିଛି।

ପୋଲିସ ସୂଚନା ଅନୁସାରେ କାର୍ଟର ରୋଡରେ ରହୁଥିବା ମହିଳା ଜଣକ ଗୁଗଲରୁ ବାନ୍ଦ୍ରାର ଏକ ୱାଇନ ଆଉଟଲେଟର ନମ୍ବର ସଂଗ୍ରହ କରି ଅନଲାଇନରେ ମଦ କିଣିବା ପାଇଁ କଲ କରିଥିଲେ। ସେ ଏହି କଲ ସେପ୍ଟେମ୍ବର ୬ ତାରିଖରେ କରିଥିବା ବେଳେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ଲକ୍ଷ ୮୦ ହଜାର ଟଙ୍କା ଲୁଟ ହୋଇଯାଇଛି।

ପୋଲିସ ସୂଚନା ଅନୁସାରେ ଅଭିଯୋଗକାରିଣୀ ଏକ ନିଗମର ପ୍ରବନ୍ଧନ ଟିମ୍‌ରେ କାମ କରନ୍ତି। ସେପ୍ଟେମ୍ବର ୬ ତାରିଖ ସନ୍ଧ୍ୟାରେ ମହିଳା ଓ ତାଙ୍କ ବାନ୍ଧବୀ ମଦ ପିଇବାକୁ ଚାହିଁଥିଲେ ଓ ଅନଲାଇନରେ ମଦ କିଣିବା ପାଇଁ ଗୁଗଲରୁ ନମ୍ବର ଖୋଜି ବାନ୍ଦ୍ରା ୱେଷ୍ଟ ଚିମ୍ବାଇ ରୋଡରେ ଥିବା ପିଙ୍କି ୱାଇନ୍ କୁ କଲ କରିଥିଲେ। ଏଥିରେ ସେମାନେ ୨ ହଜାର ଟଙ୍କାର ମଦ ଲାଗି ଅର୍ଡର ଦେଇଥିଲେ। ତେବେ ସେମାନେ ଜାଣି ନଥିଲେ ଯେ ସାଇବର ଠକମାନେ ଗୁଗଲରେ ସେମାନଙ୍କ ନମ୍ବର ବିଭିନ୍ନ ୱାଇନସପ୍, ରେଷ୍ଟୁରାଣ୍ଟ, କେକ ଦୋକାନ, କୋରିୟର ସର୍ଭିସ, ବ୍ୟାଙ୍କ ହେଲ୍ପଲାଇନ ନମ୍ବର, ଅନଲାଇନ ସପିଙ୍ଗ ପୋର୍ଟାଲର କଷ୍ଟମର କେୟାର ନମ୍ବର ରୂପେ ଦେଉଛନ୍ତି।

ଏଥିରେ ମହିଳା ବିଲ କରିବା ପାଇଁ ତାଙ୍କ କ୍ରେଡିଟ କାର୍ଡ ନମ୍ବର ଏବଂ ଓଟିପି ସେୟାର କରିବା ପରେ ମୋଟ ୭ଟି ଟ୍ରାଞ୍ଜାକ୍ସନରେ ତାଙ୍କର ଦୁଇଟି କ୍ରେଡିଟ କାର୍ଡରୁ ସାଇବର ଠକ ୩ଲକ୍ଷ ୮୦ ହଜାର ଟଙ୍କା ଲୁଟି ନେଇଥିବା ପୋଲିସ କହିଛି। ମାମଲାରେ ମହିଳାଙ୍କ ଅଭିଯୋଗ ମିଳିବା ପରେ ପୋଲିସ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୧୯, ୪୨୦, ଆଇଟି ଅଧିନିୟମର ଧାରା ୬୬ (ସି) ଓ ୬୬ (ଡି)ରେ ମୋକଦ୍ଦମା ରୁଜୁ କରିବା ସହ ମାମଲାର ତଦନ୍ତ ଜାରି ରଖିଛି।

Related Posts