ଲାଞ୍ଚ ପାଇଁ ଧମକ ଦେଇ ଗିରଫ ହେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ

ଅମରାବତୀ: ଗିରଫ ହେଲେ ଆନ୍ଧ୍ର ପ୍ରଦେଶର ଶାସକ ଦଳ YSR କଂଗ୍ରେସ ନେତା ତଥା ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀଙ୍କ ସମ୍ପର୍କୀୟ କୋଣ୍ଡା ରେଡ୍ଡୀ । ଏକ ସଡକ ନିର୍ମାଣକାରୀ ସଂସ୍ଥାକୁ ଲାଞ୍ଚ ପାଇଁ ଧମକ ଦେବା ଅଭିଯୋଗରେ ଗିରଫ ହୋଇଛନ୍ତି ।

ସୂଚନାଯୋଗ୍ୟ, କୋଣ୍ଡା ରେଡ୍ଡୀ ଏକ ନିର୍ମାଣକାରୀ ସଂସ୍ଥାକୁ ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ପାଇଁ ସରକାରୀ ମଞ୍ଜୁରୀ ପ୍ରଦାନ କରାଇ ଦେବା ପ୍ରଲୋଭନରେ ଲାଞ୍ଚ ମାଗିଥିଲେ ଓ ପରେ ଧମକ ମଧ୍ୟ ଦେଇଥିବା ଅଭିଯୋଗ ହୋଇଥିଲା ।

ଏହି ସଡକ ନିର୍ମାଣ କାର୍ଯ୍ୟ ମୁଖ୍ୟମନ୍ତ୍ରୀ ଜଗନଙ୍କ ନିର୍ବାଚନ ମଣ୍ଡଳୀ କଡପ୍ପା ଜିଲ୍ଲାରେ ହେଉଥିବା ବେଳେ କମ୍ପାନୀର ମାଲିକ ଜଣେ କର୍ଣ୍ଣାଟକ ମନ୍ତ୍ରୀଙ୍କ ସମ୍ପର୍କୀୟ ବୋଲି ମଧ୍ୟ ଚର୍ଚ୍ଚା ହୋଉଛି । ପ୍ରଥମେ ଏହି ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଆସିଥିଲା । କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ଜଗନ ସରକାର । କମ୍ପାନୀ କର୍ତ୍ତୃପକ୍ଷଙ୍କ ଅଭିଯୋଗ କ୍ରମେ ଆଜି ସ୍ଥାନୀୟ ପୋଲିସ ସମ୍ପର୍କୀୟ କୋଣ୍ଡା ରେଡ୍ଡୀଙ୍କୁ ଗିରଫ କରିଛି ।ପ୍ରାଥମିକ ତଦନ୍ତରୁ କୋଣ୍ଡା ରେଡ୍ଡୀ ଉକ୍ତ କମ୍ପାନୀ କର୍ତ୍ତୃପକ୍ଷଙ୍କ ସହ ଫୋନରେ ଏକାଧିକ ବାର କଥା ହୋଇଥିବା ତାଙ୍କ କଲ ରେକର୍ଡରୁ ସ୍ପଷ୍ଟ ହୋଇଛି । କୋଣ୍ଡାଙ୍କୁ ଅଧିକ ପଚରାଉଚୁରା ଜାରି ରହିଛି ।

Related Posts