
ନୂଆଦିଲ୍ଲୀ: ଘର ସଜାଡ଼ିବାରେ ଲାଗିଛି କଂଗ୍ରେସ । ବାରମ୍ବାର ନିର୍ବାଚନରେ ବିପର୍ଯ୍ୟୟ ଓ ପରିବାରବାଦ ରାଜନୀତିର ଅପବାଦରେ ଦହଗଞ୍ଜ ହେଉଥିବା କଂଗ୍ରେସ ଏବେ ଦଳ କୁ ସୃଦୁଢ଼ କରିବା ପାଇଁ ଅଣ୍ଟା ଭିଦିଛି । ନିଜ ଭାଗ୍ୟ ବଦଳାଇବା ପାଇଁ ପ୍ରୟାସ ଆରମ୍ଭ କରିଛି।
ବିପର୍ଯ୍ୟୟାର ମୁକୁଳିବା ପାଇଁ ପୁଣିଥରେ କଂଗ୍ରେସକୁ ଫେରିବ ଗୋଟିଏ ପରିବାର, ଗୋଟିଏ ଟିକେଟ ଫର୍ମୁଲା।
ରାଜସ୍ଥାନର ଉଦୟପୁରରେ ଦଳ ପକ୍ଷରୁ ନିର୍ବାଚନ ବିପର୍ଯ୍ୟୟରୁ ମୁକୁଳିବା ପାଇଁ ଚିନ୍ତନ ଶିବିର ଆୟୋଜନ ହେବ। ଏହି ସମୟରେ ଗୋଟିଏ ପରିବାର, ଗୋଟିଏ ଟିକେଟ ନିୟମ ଉପରେ ଦଳୀୟ ନେତାମାନେ ମାନସମନ୍ଥନ କରିବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାରଠାରୁ ଉଦୟପୁରରେ ୩ ଦିନିଆ ଚିନ୍ତନ ଶିବିର ଆରମ୍ଭ ହେବ। ଏଥିରେ ସବୁ ରାଜ୍ୟର କଂଗ୍ରେସ ପ୍ରତିନିଧି ଓ ବରିଷ୍ଠ ନେତାମାନେ ଯୋଗଦେବେ। ପ୍ରାୟ ୪୦୦ ଜଣ କଂଗ୍ରେସ ନେତା ୩ ଦିନିଆ ଚିନ୍ତନ ଶିବିରରେ ଯୋଗଦେଇ ନିଜ ନିଜର ମତ ହାଇକମାଣ୍ଡଙ୍କ ଆଗରେ ଉପସ୍ଥାପନ କରିବେ।
ଏହାପୂର୍ବରୁ ସୋମବାର ସୋନିଆ ଗାନ୍ଧିଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ୱାର୍କିଂ କମିଟି(ସିଡବ୍ଲ୍ୟୁସି) ବୈଠକ ବସିଥିଲା। ଏହି ବୈଠକରେ ଗୋଟିଏ ପରିବାର, ଗୋଟିଏ ଟିକେଟ ନିୟମ ସମ୍ପର୍କରେ ଆଲୋଚନା ହୋଇଛି। ଚିନ୍ତନ ଶିବିରରେ ମଧ୍ୟ ଏହି ପ୍ରସଙ୍ଗ ଉଠିବ ବୋଲି ନିଷ୍ପତ୍ତି ନିଆଯାଇଛି।
ଯଦି ଚିନ୍ତନ ଶିବିର ଓ ରବିବାର ଅନୁଷ୍ଠିତ ହେବାକୁ ଥିବା ଆଉ ଗୋଟିଏ ସିଡବ୍ଲ୍ୟୁସି ବୈଠକରେ ଏହି ପ୍ରସ୍ତାବ ପାରିତ ହୁଏ, ତା’ହେଲେ ପରବର୍ତ୍ତୀ ସମୟରେ ଏହାକୁ ଲାଗୁ କରାଯିବ। କିନ୍ତୁ ଏହି ୱାନ ଫ୍ୟାମିଲି, ୱାନ ଟିକେଟ ଫର୍ମୁଲା ଗାନ୍ଧି ପରିବାର ପାଇଁ ଆଦୌ ଲାଗୁ ହେବନି। ଅର୍ଥାତ ଗାନ୍ଧି ପରିବାରରୁ ଏକାଧିକ ନେତା ନିର୍ବାଚନ ଲଢ଼ିବାକୁ ଟିକେଟ ପାଇପାଇବେ।
ଏହା କଂଗ୍ରେସ ପାଇଁ ଆହୁରି ବଡ଼ ବିପଦ ସୃଷ୍ଟି କରିପାରେ। କାରଣ କଂଗ୍ରେସ ସବୁବେଳେ ଗାନ୍ଧି ପରିବାରର ଘରୋଇ ସମ୍ପତ୍ତି ଭାବେ ରହି ଆସିଥିବା ବିଜେପି ଅଭିଯୋଗ କରୁଛି। ଏପରି ସ୍ଥିତିରେ ଦଳର ଅନ୍ୟ ନେତାମାନଙ୍କ ପାଇଁ ଗୋଟିଏ ନିୟମ ଓ ଗାନ୍ଧି ପରିବାର ପାଇଁ ଆଉ ଗୋଟିଏ ନିୟମ ପ୍ରଚଳିତ ହେବ, ତା’ହେଲେ ବିଜେପି ଆହୁରି ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବ ବୋଲି ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି।
୨୦୦୮ରେ କଂଗ୍ରେସ କର୍ଣ୍ଣାଟକାରେ ୱାନ ଫ୍ୟାମିଲି, ୱାନ ଟିକେଟ ଫର୍ମୁଲା ଲାଗୁ କରିଥିଲା। କିନ୍ତୁ ଏହା ଦଳ ଉପରେ ନକାରାତ୍ମକ ପ୍ରଭାବ ପକାଇଥିଲା ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି।
କଂଗ୍ରେସର ଜଣେ ନେତା ନିଜ ନାଁ ଗୋପନ ରଖି କହିଛନ୍ତି, ସାମୂହିକ ନିଷ୍ପତ୍ତି ନେବା କ୍ଷେତ୍ରରେ ସହଯୋଗ କରିବା ପାଇଁ ସଂସଦୀୟ ବୋର୍ଡର ପୁର୍ନଗଠନ କରିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ସେହିପରି ୨୦୨୪ରେ ବିଜେପି ଓ ଘୃଣା ରାଜନୀତି ବିରୋଧରେ ଲଢ଼େଇ କରିବାକୁ କଂଗ୍ରେସ ଅନ୍ୟ ରାଜନୀତିକ ଦଳଗୁଡ଼ିକୁ ଏକାଠି ହେବାକୁ ଆହ୍ୱାନ ଦେବ।
କଂଗ୍ରେସ ଦେଶର ମୂଳ ସମସ୍ୟା ଯଥା ମହଙ୍ଗା ମାଡ଼ ଓ ବେକାରୀ ସମସ୍ୟା ଉପରେ ଫୋକସ କରିବ। ବିଜେପି ଭଳି ଧର୍ମ ଓ ବିଦ୍ୱେଷର ପ୍ରସଙ୍ଗକୁ ଆଦୌ ଫୋକସ କରିବ ନାହିଁ।
ନିର୍ବାଚନ ରଣନୀତି ପ୍ରସ୍ତୁତ ପାଇଁ ଜଣେ ମହାସଚିବଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ ଗଠନ କରାଯିବ। ଦଳୀୟ ନେତା ଓ କର୍ମୀଙ୍କ ତାଲିମ ପାଇଁ ଇନଷ୍ଟିଚ୍ୟୁଟର ବ୍ୟବସ୍ଥା କରାଯିବ। ଦଳର ଆଭ୍ୟନ୍ତରୀଣ ପଦପଦବୀରେ ୫୦ ବର୍ଷରୁ କମ ବୟସ୍କଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ସେମାନଙ୍କ ପାଇଁ ୫୦% ପଦବୀ ସଂରକ୍ଷିତ କରି ରଖାଯିବ ।