ଭୀଷଣ ବାତ୍ୟାର ରୂପ ନେଲା ‘ରେମାଲ’ ; ଆଜି ମଧ୍ୟରାତ୍ରୀରେ ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର,୨୬/୫(ସତ୍ୟପାଠ ବ୍ୟୁରୋ):  ବଙ୍ଗୋପସାଗରରେ ଭୀଷଣ ବାତ୍ୟାର ରୂପ ନେଲା ‘ରେମାଲ’ । ଅଧିକ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୂପ ନେଲା ‘ରେମାଲ’ । ଆଜି ମଧ୍ୟରାତ୍ରୀରେ ସାଗର ଦ୍ୱୀପ ଓ ଖେପୁପରା ମଧ୍ୟରେ ସ୍ଥଳଭାଗ ଛୁଇଁବ ବାତ୍ୟା। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୧୦ରୁ ୧୨୦ ଏବଂ ଝଟକା ପବନ ୧୩୫ କିଲୋମିଟର ରହିପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ବାତ୍ୟା ନେଇ ପଶ୍ଚିମବଙ୍ଗରେ ରେଡ୍ ଆଲର୍ଟ ଜାରି କରାଯାଇଛି। ଦକ୍ଷିଣ ୨୪ ପ୍ରଗଣା, ଉତ୍ତର ଚବିଶ ପ୍ରଗଣା, ପୂର୍ବ ମେଦିନୀପୁର, କୋଲକାତା, ହାୱଡା, ହୁଗୁଳି ଜିଲ୍ଲାରେ ସତର୍କ ରହିଛି ପ୍ରଶାସନ। ସାମୟିକ ଭାବେ ବିମାନ ଓ ରେଳ ଚଳାଚଳ ବନ୍ଦ ରଖାଯାଇଛି। ଦୀଘା ସମୁଦ୍ରକୂଳରେ ପର୍ଯ୍ୟଟକଙ୍କୁ ବାରଣ କରାଯାଇଛି ।

ଉଦ୍ଧାରକାର୍ଯ୍ୟ ପାଇଁ ୧୨ଟି ଏନଡିଆରଏଫ ଟିମ୍ ମୁତୟନ ଅଛନ୍ତି। ଏପଟେ ବାତ୍ୟାର ସିଧାସଳଖ ପ୍ରଭାବ ଓଡ଼ିଶା ଉପରେ ପଡିବ ନାହିଁ। ଏହା ପ୍ରଭାବରେ ଆଜି ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମୁଦ୍ର ଅଶାନ୍ତ ରହୁଥିବାରୁ ୨୭ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି।

୨୬ରେ ଉତ୍ତର ଓଡ଼ିଶାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ୨୭ରେ ମଧ୍ୟ ଉତ୍ତର ଓଡ଼ିଶାରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି । ସୂଚନାଯୋଗ୍ୟ ମେ’୧୯ ତାରିଖ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ଆଣ୍ଡାମାନ ସାଗର, ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଓ ନିକୋବର ଦ୍ୱୀପ ପୁଞ୍ଜ ଛୁଇଁଛି । କେରଳକୁ ମୌସୁମୀ ବାୟୁ ଛୁଇଁବା ପରେ ଓଡ଼ିଶାରେ କେବେ ମୌସୁମୀ ବାୟୁ ପହଞ୍ଚିବ ସେନେଇ କୁହାଯାଇପାରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Related Posts