ସୁନାମଧନ୍ୟା କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ ପରଲୋକ

ଭୁବନେଶ୍ୱର,୪/୨(ସତ୍ୟପାଠ ବ୍ୟୁରୋ): ପରଲୋକରେ ସୁନାମଧନ୍ୟା କଣ୍ଠଶିଳ୍ପୀ ବାଣୀ ଜୟରାମଙ୍କ । ବାଣୀ ଜୟରାମଙ୍କର ଆଜି ଚେନ୍ନାଇର ନୁଙ୍ଗାମ୍ବକ୍କମସ୍ଥିତ ବାସଭବନରେ ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ହୋଇଥିଲା । ଗତ ସାଧାରଣତନ୍ତ୍ର ଦିବସରେ ପଦ୍ମଭୂଷଣରେ ସମ୍ମାନୀତ ହୋଇଥିଲେ କଣ୍ଠଶିଳ୍ପୀ ବାଣୀ ଜୟରାମ । ବାଣୀ ଜୟରାମଙ୍କ ଅକସ୍ମାତ ମୃତ୍ୟୁ ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଛି । ସେ ତାଙ୍କ ଜୀବନକାଳ ଭିତରେ ୧୦ ହଜାରରୁ ଅଧିକ ଗୀତ ଗାଇଛନ୍ତି । ଏପରିକି ଅନେକ ଓଡ଼ିଆ ଗୀତ ଗାଇ ଓଡ଼ିଆ ସଙ୍ଗୀତପ୍ରେମୀଙ୍କ ମନକୁ ଛୁଇଁ ଯାଇଛନ୍ତି ।

୧୯୭୧ ମସିହାରେ ସଙ୍ଗୀତ ଦୁନିଆରେ ନିଜର କ୍ୟାରିଅର ଆରମ୍ଭ କରିଥିଲେ ବାଣୀ । ୫ ଦଶନ୍ଧୀ ଧରି ସେ ତାଙ୍କ ସୁମଧୁର ସ୍ୱରରେ ଶ୍ରୋତାଙ୍କ ମନକୁ ବାନ୍ଧି ରଖିପାରିଥିଲେ । ପ୍ରାୟ ୧୯ଟି ଭାଷାରେ ସେ କଣ୍ଠଦାନ କରିଛନ୍ତି । ଜୀବନକାଳ ଭିତରେ ସେ ନାଶନାଲ ଫିଲ୍ମ ଆୱାର୍ଡ ସହ ବିଭିନ୍ନ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରସ୍କାର ପାଇଛନ୍ତି । ତେବେ ଗତ ଜାନୁଆରି ୨୫ରେ, ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ସରକାର ପଦ୍ମ ପୁରସ୍କାର ଘୋଷଣା କରିଥିବା ବେଳେ ଗାୟିକ ବାଣୀ ଜୟରାମଙ୍କୁ ପଦ୍ମ ଭୂଷଣ ଦେବା ଲାଗି ଘୋଷଣା କରାଯାଇଥିଲା । ବାଣୀ ଜୟରାମଙ୍କୁ ଆଧୁନିକ ଭାରତର ମୀରା ମଧ୍ୟ କୁହାଯାଉଥିଲା। ସେ ସଙ୍ଗୀତ ଜଗତକୁ ନୂତନ ଉଚ୍ଚତାକୁ ନେଇଥିଲେ।

୧୯୭୧ରେ ହିନ୍ଦୀ ଫିଲ୍ମ ଗୁଡ୍ଡି ପାଇଁ ସେ ପ୍ରଥମ କଣ୍ଠଦାନ କରିଥିଲେ । ଏମଏସ ବିଶ୍ୱନାଥନ, କେଭି ମହାଦେବନଙ୍କର ବଡ ବଡ ସଙ୍ଗୀତ ନିର୍ଦ୍ଦେଶକଙ୍କ ସହ ସେ କାମ କରିଛନ୍ତି ।

Related Posts