ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି ବିଶ୍ୱବିଦ୍ୟାଳୟ ଗୁଡ଼ିକରେ ନିଯୁକ୍ତ ହେବେ ଅବସରପ୍ରାପ୍ତ କର୍ମଚାରୀ । ତେବେ ବିଶ୍ବବିଦ୍ୟାଳୟରେ ଖାଲିଥିବା ଅଣଶିକ୍ଷକ ପଦରେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତ କରିପାରିବେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ। ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ବୀରେନ୍ଦ୍ର କୋରକୋରା ଏନେଇ ସମସ୍ତ ବିଶ୍ବବିଦ୍ୟାଳୟ କୁଳସଚିବଙ୍କୁ ଚିଠି ଲେଖି କହିଛନ୍ତି ଯେ କର୍ମଚାରୀ ଅଭାବ ଯୋଗୁଁ ବିଶ୍ବବିଦ୍ୟାଳୟ ପରିଚାଳନା କଷ୍ଟକର ହେଉଛି। ତାହାକୁ ଦୃଷ୍ଟିରେ ରଖି ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି କରିବାକୁ ନିଷ୍ପତ୍ତି ନିଆଯାଇଛି। ବିଶ୍ବବିଦ୍ୟାଳୟରେ ସର୍ବାଧିକ ୨୦ଜଣ ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇପାରିବ।
ସେକ୍ସନ ଅଧିକାରୀ, କନିଷ୍ଠ ସହାୟକ, ବରିଷ୍ଠ ସହାୟକ, ଷ୍ଟୋର କିପର, ଗ୍ରନ୍ଥାଗାରିକ ଭଳି ପଦ ସହ ଗ୍ରୁପ୍ ଡି’ରେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ନିଯୁକ୍ତି ଦେଇପାରିବେ। ସାଧାରଣ ପ୍ରଶାସନ ବିଭାଗର ନିୟମ ଅନୁଯାୟୀ ଏହି ନିଯୁକ୍ତି ଦିଆଯିବ। ଅର୍ଥ ବିଭାଗର ଧାର୍ୟ୍ୟ ଦେୟ ମୁତାବକ ସେମାନଙ୍କୁ ପାରିଶ୍ରମିକ ମିଳିବ। ଏହି କର୍ମଚାରୀଙ୍କ ନିଯୁକ୍ତି ଅସ୍ଥାୟୀ ଭାବେ ଏକ ବର୍ଷ କିମ୍ବା ନୂଆ ନିୟମିତ କର୍ମଚାରୀ ନିଯୁକ୍ତି ପର୍ୟ୍ୟନ୍ତ ରହିବ। ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।





