ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ନିଯୁକ୍ତ ହେଲେ ସଞ୍ଜୟ କୁମାର ମିଶ୍ର । ତେବେ ୨୦୨୨ ମସିହା ଜାନୁଆରୀ ୨୯ ତାରିଖରେ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଁ ଶ୍ରୀ ମିଶ୍ରଙ୍କ ନାଁ ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ କରିଥିବା ବେଳେ ଆଜି ତାଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଶ୍ରୀ ମିଶ୍ରଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ରାଷ୍ଟ୍ରପତି ନିଯୁକ୍ତି ପ୍ରଦାନ କରିଥିବା ନେଇ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି। ସେ ଖୁବ୍ଶୀଘ୍ର ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିବେ ବୋଲି ସୂଚନା ମିଳିଛି। ସେପଟେ ୧୯୬୭, ନଭେମ୍ବର ୧୪ରେ ଶ୍ରୀ ମିଶ୍ର ବୁର୍ଲାରେ ଜନ୍ମ ଗ୍ରହଣ କରିଥିଲେ।
ଢେଙ୍କାନାଳ ଜିଲ୍ଲା ମୁକ୍ତାଦେଇପୁର ତାଙ୍କ ମୂଳ ଘର। ଇଂଜିନିୟର ବିଭୂତି ଭୂଷଣ ମିଶ୍ର ଓ ବନଲତା ମିଶ୍ରଙ୍କ ସେ ପୁତ୍ର। ସ୍ବାସ୍ଥ୍ୟ ବିଭାଗର ପୂର୍ବତନ ଯୁଗ୍ମସଚିବ ତଥା ବିଶିଷ୍ଟ ଲେଖକ ପ୍ରଫେସର ଡାକ୍ତର ବିଜୟ କୁମାର ନନ୍ଦ ଓ ସାହିତ୍ୟିକା ଡକ୍ଟର ସୌଦାମିନୀ ନନ୍ଦ ତାଙ୍କ ମାମୁଁ ଓ ମାଇଁ। ୧୯୮୩ରେ ତାଳଚେର ଥର୍ମାଲ ହାଇସ୍କୁଲରୁ ସେ ମାଟ୍ରିକ୍ ପାସ୍ କରିଥିଲେ। ଅନୁଗୁଳ ସରକାରୀ କଲେଜରୁ ବି.କମ୍ ପାସ୍ କରିବା ସହିତ ୧୯୯୦ରେ ମଧୁସୂଦନ ଆଇନ କଲେଜରୁ ଏଲ୍.ଏଲ୍.ବି. ଡିଗ୍ରି ହାସିଲ କରିଥିଲେ। ୧୯୯୦, ନଭେମ୍ବର ୧୮ରେ ସେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦରେ ଆଇନଜୀବୀ ଭାବେ ପଞ୍ଜିକୃତ ହୋଇଥିଲେ।
