ପ୍ରକାଶ ପାଇଲା +୨ କଳା ପରୀକ୍ଷା ଫଳ, ପାସ ହାର ୮୨.୧୦

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ + ୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି। କଳାରେ ୮୨.୧୦ ପ୍ରତିଶତ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ସେହିପରି ଧନ୍ଦାମୂଳକ ବିଷୟରେ ୭୦.୩୫ ପ୍ରତିଶତ ପିଲା ଉତ୍ତୀର୍ଣ୍ଣ ହୋଇଛନ୍ତି। ଅପରାହ୍ନ ୪ଟାରେ ଭୁବନେଶ୍ବରସ୍ଥିତ ବୋର୍ଡ କାର୍ଯ୍ୟାଳୟରେ ସିଏଚ୍‌ଏସ୍‌ଇ ଅଧ୍ୟକ୍ଷ ଅଶ୍ବିନୀ ମିଶ୍ର ପରୀକ୍ଷା ଫଳ ଘୋଷଣା କରିଛନ୍ତି।ରେଜଲ୍ଟ ପ୍ରକାଶିତ ହେଲା ପରେ ପରୀକ୍ଷାର୍ଥୀମାନେ ରେଜଲ୍ଟକୁ www.orissaresults.nic.in ୱେବସାଇଟ୍‌ ମାଧ୍ୟମରେ ସନ୍ଧ୍ୟା ୫ଟାରୁ ଜାଣି ପାରିବେ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି। ସେହିପରି ଛାତ୍ରଛାତ୍ରୀ ନିଜର ମାର୍କସିଟକୁ ମଧ୍ୟ ଡାଉନଲୋଡ଼ କରିପାରିବେ। ଛାତ୍ରଛାତ୍ରୀମାନେ ନିଜର ରୋଲ୍‌ ନମ୍ବର ଦାଖଲ କରି ଏସ୍‌ଏମ୍‌ଏସ୍‌ ମାଧ୍ୟମରେ ବି ନିଜ ରେଜଲ୍ଟ ଜାଣିପାରିବେ। ଏଥିସହ ସାମ୍‌ସ କଲେଜ ଇ-ସ୍ପେସ୍‌ରେ ମଧ୍ୟ ପରୀକ୍ଷାର୍ଥୀ ଫଳ ଉପଲବ୍ଧ ହେବ। ତେବେ ଏହି ପରୀକ୍ଷାରେ କଳା ବିଭାଗରେ ଏଥର ୨,୧୩ ,୪୩୨ ଓ ଧନ୍ଦାମୂଳକରେ ୫,୮୬୩ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ।

ସୂଚନାଯୋଗ୍ୟ, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଲେଜ(ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ)ର ବିଜ୍ଞାନ ଓ ବାଣିଜ୍ୟ ବିଭାଗ ପରୀକ୍ଷା ଫଳ ଗତ ଜୁଲାଇ ମାସ ୨୭ ତାରିଖରେ ପ୍ରକାଶ ପାଇଥିଲା। ବିଜ୍ଞାନରେ ୯୪ ପ୍ରତିଶତ ଓ ବାଣିଜ୍ୟରେ ୮୯ ପ୍ରତିଶତ ପିଲା ପାସ୍‌ କରିଥିଲେ।

Related Posts