(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଅଣବୃହତ ବନ୍ଦରଗୁଡିକରୁ ରାଜ୍ୟ ସରକାରଙ୍କ ରାଜସ୍ୱ ଆୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ଭାବେ ଧାମରା, ଗୋପାଳପୁର ସମେତ ସୁବର୍ଣ୍ଣରେଖା ବନ୍ଦରରୁ ରାଜ୍ୟ ସରକାର ରାଜସ୍ୱ ପାଉଛନ୍ତି । ତେବେ ଧାମରା ବନ୍ଦରରୁ ସରକାର ସର୍ବାଧିକ ରାଜସ୍ୱ ମିଳୁଥିବା ବେଳେ ସୁବର୍ଣ୍ଣରେଖା ବନ୍ଦରରୁ ୨୦୧୭-୧୮ ବର୍ଷରୁ ରାଜସ୍ୱ ଆସିବା ଆରମ୍ଭ ହୋଇଛି ।

ସରକାରୀ ତଥ୍ଯ ଅନୁସାରେ, ରାଜ୍ୟରେ ତିନିଟି ଅଣବୃହତ ବନ୍ଦରରୁ ସରକାର ରାଜସ୍ୱ ପାଉଥିବା ବେଳେ ଗତ ୧୦ବର୍ଷ ମଧ୍ୟରେ ଧାମରା ବନ୍ଦରରୁ ୬୯୧ କୋଟିରୁ ଅଧିକ ଟଙ୍କାର ରାଜସ୍ୱ ପାଇଛନ୍ତି। ସେହିପରି ଗୋପାଳପୁର ବନ୍ଦରରୁ ୬୮କୋଟିରୁ ଅଧିକ ରାଜସ୍ୱ ମିଳିଛି ଏବଂ ସୁବର୍ଣ୍ଣରେଖା ବନ୍ଦରରୁ ପ୍ରାୟ ୬କୋଟି ଟଙ୍କାର ରାଜସ୍ୱ ମିଳିଛି ।

୨୦୧୧-୧୨ ବର୍ଷରେ ଧାମରା ବନ୍ଦରରୁ ୧୦କୋଟି ଟଙ୍କାରୁ କମ୍‍ ରାଜସ୍ୱ ମିଳିଥିବାବେଳେ ୨୦୧୮-୧୯ ବର୍ଷ ପର୍ଯ୍ୟନ୍ତ ଏହା ଶହେ କୋଟି ତଳେ ରହିଥିଲା । କିନ୍ତୁ ୨୦୨୦-୨୧ ଆର୍ଥିକ ବର୍ଷରେ ୧୪୪କୋଟି ୭୨ ଲକ୍ଷ ଟଙ୍କା ରାଜସ୍ବ ଆଦାୟ ହୋଇଛି । ଏହି ବନ୍ଦରରୁ ଗତ ୧୦ବର୍ଷରେ ମୋଟ୍‍ ୬୯୧କୋଟି ୩୯ଲକ୍ଷ ଟଙ୍କାର ରାଜସ୍ୱ ମିଳିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଗୋପାଳପୁର ବନ୍ଦରରୁ ୨୦୧୧-୧୨ ବର୍ଷରେ ସରକାର ମାତ୍ର ୨୭ଲକ୍ଷ ଟଙ୍କାର ରାଜ୍ୟସ୍ୱ ପାଇଛନ୍ତି। ୨୦୧୮-୧୯ ପର୍ଯ୍ୟନ୍ତ ଏହି ରାଜସ୍ବ ଆଦାୟ ୬କୋଟି ଟଙ୍କାରୁ କମ୍‍ ରହିଥିଲା । ତେବେ ୨୦୨୦-୨୧ ବର୍ଷରେ ଏହି ବନ୍ଦରରୁ ରାଜ୍ୟ ସରକାର ୩୩କୋଟି ୫୩ଲକ୍ଷ ଟଙ୍କାର ରାଜସ୍ୱ ପାଇଛନ୍ତି ।

ସୁବର୍ଣ୍ଣରେଖା ବନ୍ଦରରୁ ୨୦୧୭-୧୮ ରେ ମାତ୍ର ୩୪ଲକ୍ଷ ଟଙ୍କା ଆସିଥିବା ବେଳେ ୨୦୨୦-୨୧ ବର୍ଷରେ ଏକ କୋଟି ୮୭ଲକ୍ଷ ଟଙ୍କାର ରାଜସ୍ୱ ମିଳିପାରିଛି ।

ତେବେ ଏଠାରେ ସୂଚନା ଥାଉକି ଧାମରା ବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଦୁଇ ପର୍ଯ୍ୟାୟରେ ଦେଢ ହଜାର ଏକରରୁ ଅଧିକ ଜମି ଯୋଗାଇଛନ୍ତି। ଏବଂ ରେଳପଥ ନିର୍ମାଣ ପାଇଁ ୧୩୭ଏକର ଜମି ଯୋଗାଇଛନ୍ତି । ସେହିଭଳି ଗୋପାଳପୁର ବନ୍ଦର ପାଇଁ ୩୯୩ ଏକର ଓ ସୁବର୍ଣ୍ଣରେଖା ବନ୍ଦର ପାଇଁ ୬୯୨ ଏକର ଜମି ଯୋଗାଇ ଦିଆଯାଇଛି । ଧାମରା ବନ୍ଦରରେ ଥିବା ମୋଟ୍‍ ୪୦୬୯ ଜଣ କର୍ମଚାରୀଙ୍କ ମଧ୍ୟରୁ ଓଡିଶାର ୩୪୭୮ ହୋଇଥିବାବେଳେ ଓଡିଶା ବାହାରୁ ୫୯୧ ଜଣ ଏହି ବନ୍ଦରରେ କାର୍ଯ୍ୟ କରୁଛନ୍ତି । ଭଦ୍ରକ ଜିଲ୍ଲାରୁ ୨୩୧୯ ଜଣ ରହିଛନ୍ତି ଏବଂ ଗୋପାଳପୁର ବନ୍ଦରରେ ୪୨୫ ନିୟମିତ କର୍ମଚାରୀଙ୍କ ମଧ୍ୟରୁ ଓଡିଶାର ୩୯୪ଜଣ ହୋଇଥିବାବେଳେ ଗଞ୍ଜାମ ଜିଲ୍ଲାରୁ ୨୯୨ ଜଣ ଅଛନ୍ତି । ତେବେ ତାଲିକାଭୁକ୍ତ ୪୭୯୫ ଜଣ କର୍ମଚାରୀ ସମସ୍ତେ ଓଡିଶାର ହୋଇଥିବା ଜଣାଯାଇଛି ।