(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଓଡିଶାକୁ ଅଗଷ୍ଟମାସ ଶେଷସୁଦ୍ଧା କେନ୍ଦ୍ରୀୟ ଅନୁଦାନ ୪୦ ପ୍ରତିଶତ ଅର୍ଥ କମ୍ ମିଳିଛି । ଏହା ସାଙ୍ଗକୁ ଅଂଶଧନ ଟିକସର ପ୍ରାପ୍ୟ ମଧ୍ୟ ହ୍ରାସ ପାଇଛି । ରାଜ୍ୟରେ ଉନ୍ନୟନମୂଳକ କାର୍ଯ୍ୟପାଇଁ ଅଧିକ ଆବଶ୍ୟକ ଥିବାବେଳେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଥିବା କାରଣରୁ ଉଦବେଗଜନକ ସ୍ଥିତି ଉପୁଜିଛି । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର ୩୭,୯୬୩ କୋଟି ୩୨ଲକ୍ଷ ଟଙ୍କା ପାଇବ ବୋଲି ଆଶା ରଖିଥିବା ବେଳେ ପ୍ରଥମ ୫ମାସ ମଧ୍ୟରେ ଓଡିଶାକୁ ମାତ୍ର ୬୯୯୭କୋଟି ୮୭ଲକ୍ଷ ଟଙ୍କା ଦେଇଛି କେନ୍ଦ୍ର। ଯାହାକି ପ୍ରକୃତ ପ୍ରାପ୍ୟର ୪୦ ପ୍ରତିଶତ କମ୍ । ପ୍ରତିବର୍ଷ କେନ୍ଦ୍ରୀୟ ଅନୁଦାନ ପରିମାଣ ବଢିବା ପରିବର୍ତ୍ତେ କମିବା ଏକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।
୨୦୧୯-୨୦ ଆର୍ଥିକ ବର୍ଷରେ ଓଡିଶାକୁ ଅଗଷ୍ଟ ଶେଷସୁଦ୍ଧା ୧୧,୮୬୩କୋଟି ଟଙ୍କା ମିଳିଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷରେ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରୀୟ ଟିକସ ବାବଦରେ ୯୬୨୬କୋଟି ୮୩ଲକ୍ଷ ଟଙ୍କା ପାଇଛନ୍ତି ।
ସେହିପରି ୨୦୨୧-୨୨ ଆର୍ଥିକ ବର୍ଷରେ କେନ୍ଦ୍ରୀୟ ପାଣ୍ଠିରୁ ଓଡିଶାକୁ ୬୮,୧୦୦ କୋଟି ଟଙ୍କା ମିଳିବାକୁ ଥିବା ବେଳେ ପ୍ରଥମ ୫ମାସରେ ଏ ବାବଦରେ ୧୬,୬୨୪କୋଟି ୭୦ଲକ୍ଷ ଟଙ୍କା ପାଇଥିବା ବରିଷ୍ଠ ଅଧିକାରୀମାନେ କହିଛନ୍ତି । ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ପ୍ରାୟ ୨୪ପ୍ରତିଶତ କମ୍ ଅର୍ଥ ମିଳିଛି ।
କେନ୍ଦ୍ରରୁ ଓଡିଶାକୁ ସଠିକ୍ ସମୟରେ ଏବଂ ଉଚିତ୍ ପ୍ରାପ୍ୟ ମିଳୁ ନଥିବା କାରଣରୁ ଓଡିଶା ସରକାର ସ୍ୱତନ୍ତ୍ର ଭାବେ ‘ରିସୋର୍ସ ମୋବିଲାଇଜେନ ପ୍ଲାନ’ ଚଳାଉଛନ୍ତି ।
ଓଡିଶା ସରକାର ସମ୍ବଳ ସଂଗ୍ରହପାଇଁ ଚଳାଇଥିବା ଏହି ଅଭିଯାନରେ ଚଳିତ ଆର୍ଥିକ ବର୍ଷର ଅଗଷ୍ଟ ଶେଷସୁଦ୍ଧା ରାଜ୍ୟ ସରକାର ନିଜସ୍ୱ ରାଜସ୍ୱ ଆକାରରେ ପ୍ରାୟ ୩୧ହଜାର କୋଟି ଟଙ୍କା ସଂଗ୍ରହ କରିବାରେ ସମର୍ଥ ହୋଇଛନ୍ତି । ଭୂ ରାଜସ୍ୱ ଠାରୁ ଆରମ୍ଭ କରି ଜିଏସ୍ଟି ପର୍ଯ୍ୟନ୍ତ ବିଭିନ୍ନ କିସମର ଟିକସ କିଭଳି ବାକି ନରହି ଠିକଣା ସମୟରେ ଆଦାୟ କରାଯାଇ ପାରିବ ତାହା ଉପରେ ଅର୍ଥ ବିଭାଗ ଗୁରୁତ୍ୱାରୋପ କରୁଛି । ଫଳରେ ଇତି ମଧ୍ୟରେ ୧୬,୫୦୦ ରୁ ଅଧିକ ନୂଆ କରଦାତା ରାଜ୍ୟ ସରକାରଙ୍କ ତାଲିକାରେ ସାମିଲ ହୋଇଛନ୍ତି ।
୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ଓଡିଶା ସରକାର ଯେତେ ପରିମାଣର ରାଜସ୍ୱ ସଂଗ୍ରହ କରିଥିଲେ ଚଳିତ ବର୍ଷର ସେହି ସମୟ ମଧ୍ୟରେ ତାହା ଅପେକ୍ଷା ୭୨ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହ କରାଯାଇଛି । ବାକି ରାଜସ୍ୱ ଆଦାୟ ପାଇଁ ଚାଲିଥିବା ଓଟିଏସ୍ ବ୍ୟବସ୍ଥାରେ ୬୦୦କୋଟି ଟଙ୍କାରୁ ଅଧିକ ଅର୍ଥ ମିଳିପାରିଛି । ବାଣିଜ୍ୟକର, ବିଦ୍ୟୁତ୍ ଶୁଳ୍କ, ଜଳ କର ଭଳି ଟିକସ ଯାହା ବକେୟା ରହିଛି ତାହା ଏକ କାଳୀନ ଶୁଝିବା ବ୍ୟବସ୍ଥାରେ ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି ।