ଭୁବନେଶ୍ୱର,୨୨/୨(ସତ୍ୟପାଠ ବ୍ୟୁରୋ): ନବ ଦାସଙ୍କ ହତ୍ୟା ମାମଲାରେ 5T ସଚିବ ପାଣ୍ଡିଆନ ଓ ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସଂପୃକ୍ତି ନେଇ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ପ୍ରଶ୍ନ ଉଠାଇବା ପରେ ବିଜେଡି ଓ ବିଜେପି ମଧ୍ୟରେ ଜୋରଦାର ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଟାର୍ଗେଟ କରିବା ପରେ ଏବେ ତାଙ୍କର ମନ୍ତବ୍ୟକୁ ସଇତାନ ମୁହଁରେ ବେଦପାଠ କହି ଟାର୍ଗେଟ କରିଛନ୍ତି ବିଜେପି ପ୍ରବକ୍ତା ସୋନାଲି ସାହୁ।

ସେ କହିଛନ୍ତି ଯେ, ରାଜ୍ୟର ୫୦ ଲକ୍ଷରୁ ଉର୍ଦ୍ଧ୍ୱ ସ୍କୁଲ ପିଲାଙ୍କର ଖାଦ୍ୟ ତାଙ୍କ ପେଟକୁ ନ ଦେଇ ଯିଏ ଦୁର୍ନୀତି କରିଥିଲେ, ଯାହାର ମୂଲ୍ୟ ୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ହେବ ଏବଂ ଯେଉଁଥିପାଇଁ ୨୦୧୧ରେ ମନ୍ତ୍ରୀ ମଣ୍ଡଳରୁ ତଡା ଖାଇଥିଲେ ସେ ଆଜି ସଇତାନ ମୁହଁରେ ବେଦପାଠ ଭଳି ଜ୍ଞାନ ବାଂଟୁଛନ୍ତି । ନିଜର ଚାକିରି ବଂଚାଇବା ପାଇଁ ଯେଉଁ ଦଳର ଓକିଲାତି କରୁଛନ୍ତି, ସେହି ଦଳ ଦିନେ ତାଙ୍କୁ ତଡିଥିଲା । ବିଜୁ ଜନତା ଦଳର ବହୁ ବଡ ବଡ ନେତା ହତ୍ୟା, ଦୁର୍ନୀତି ଆଦିରେ ସମ୍ପୃକ୍ତ ଅଛନ୍ତି । ମହିଳାଙ୍କ ଆଳରେ ଆପଣ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି, ଯଦି ସୋମାଲିକା ଆପଣଙ୍କ ଝିଅ ହୋଇଥାନ୍ତା ତା’ ହେଲେ କ’ଣ ତିର୍ତୋଲ ବିଧାୟକ ବିଜୟ ଶଙ୍କର ଦାସଙ୍କୁ ଛାଡିଦେଇ ଥାନ୍ତ କି ବୋଲି ସୋନାଲି ପ୍ରଶ୍ନ କରିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଓଡ଼ିଶା ମୋର ପରିବାର, ମିଛ କଥା କହି ଲୋକଙ୍କୁ ଭୂତାଉଛନ୍ତି । ଯଦି ନବ ଦାସ ମଡର କେସରେ କ୍ରାଇମବ୍ରାଞ୍ଚର ପାରିବାପଣିଆ ଅଛି ତା’ ହେଲେ ଅବସରପ୍ରାପ୍ତ ଜଜଙ୍କୁ ନେଇ ତଦନ୍ତ କରିବା କଣ ଆବଶ୍ୟକତା ଥିଲା ବୋଲି ପ୍ରଶ୍ନ କରିଛନ୍ତି । ଏହା ଆଜି ଓଡ଼ିଶାର ଜନସାଧାରଣ ଆଶ୍ଚର୍ଯ୍ୟ କରିଛି । ବ୍ଲାକ ରୋଜ କେସରେ କୋଟି କୋଟି ଟଙ୍କାର ଯେଉଁ ଦୁର୍ନୀତି ହୋଇଥିଲା, ବଡ ନେତା ବୋଲାଉଥିବା ପ୍ରଣବ ପ୍ରକାଶ ଦାଶ ଓରଫ ବବି ତାଙ୍କର ସମ୍ପୃକ୍ତି କେତେ ଅଛି, ତାକୁ ଥରେ ପଚାରନ୍ତୁ । 5T ସଚିବ କେଉଁ କାର୍ଯ୍ୟରେ ଲିପ୍ତ ଅଛନ୍ତି ଏବଂ କେଉଁ କାର୍ଯ୍ୟ କରୁଛନ୍ତି ଥରେ ନିଜକୁ ପଚାରି ତାହାର ଉତର ଖୋଜନ୍ତୁ । ଯଦି ସତସାହାସ ଅଛି, ପ୍ରଣବ ପ୍ରକାଶ ଦାସ ଏବଂ ଭି.କେ ପାଣ୍ଡିଆନଙ୍କ ମୋବାଇଲକୁ ଯାଂଚ କରି କଲ୍ ରେକର୍ଡ ସାର୍ବଜନୀନ କରି ଉଦାହରଣ ସୃଷ୍ଟି କରନ୍ତୁ ବୋଲି ସେ କହିଛନ୍ତି ।