ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ୫ ଦିନିଆ ଓଡ଼ିଶା ଗସ୍ତରେ ଆସି ଗୁରୁବାର ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ମୁଖ୍ୟ ମୋହନ ଭାଗବତ । ମହାପ୍ରଭୁଙ୍କ ଦର୍ଶନ ସଙ୍ଗେ ସଙ୍ଗେ ସେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ମଧ୍ୟ ଭେଟିଛନ୍ତି। ଶଙ୍କରାଚାର୍ଯ୍ୟଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ପରେ ସେ ଶ୍ରୀମନ୍ଦିର ମହାପ୍ରଭୁଙ୍କ ଦର୍ଶନ କରି ଥିଲେ। ଏହା ପରେ ପରେ ସେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରି ଥିବା ଜଣାପଡ଼ିଛି।

ଗୁରୁବାର ଅପରାହ୍ନରେ ମୋହନ ଭାଗବତ ଗୋବର୍ଦ୍ଧନ ମଠରେ ପହଞ୍ଚିଥିଲେ। ସେଠାରେ ପ୍ରଥମେ ଗୋବର୍ଦ୍ଧନ ମଠରେ ଦେବାଦେବୀଙ୍କୁ ଦର୍ଶନ କରି ଆର୍ଶୀବାଦ ନେଵା ସଙ୍ଗେ ସଙ୍ଗେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କ ଆଶୀର୍ବାଦ ମଧ୍ୟ ନେଇଥିଲେ। ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା।

ମୋହନ ଭାଗବତଙ୍କ ସହ ଆଲୋଚନା ସମୟରେ ଅଖଣ୍ତ ଭାରତବର୍ଷ ଓ ହିନ୍ଦୁତ୍ୱକୁ ମଜବୁତ କରି ସମଗ୍ର ଵିଶ୍ୱରେ ଭାରତକୁ ଏକ ଶକ୍ତିଶାଳୀ ରାଷ୍ଟ୍ରରେ ପରିଣତ କରିବା ପାଇଁ ସଂଘ କାର୍ଯ୍ୟ କରିବାକୁ ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଛନ୍ତି। ପାକିସ୍ତାନ ସହଯୋଗରେ ତାଲିବାନ ଭାରତର ଜମ୍ମୁ-କାଶ୍ମୀର ଉପରେ ଲୋଲୁପ ଦୃଷ୍ଟି ପକାଇଥିବାରୁ ଶଙ୍କରାଚାର୍ଯ୍ୟ ସତର୍କ କରାଇଛନ୍ତି। ଏହା ସହ ଭବିଷ୍ୟତରେ ଭାରତ ବର୍ଷରେ ଯେଭଳି ସଙ୍କଟଜନକ ପରସ୍ଥିତି ସୃଷ୍ଟି ନହୁଏ ତା’ଉପରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି।

Related Posts