କାବୁଲ ଆତ୍ମଘାତୀ ସିରିଜ୍ ବିସ୍ଫୋରଣରେ ୬୦ ମୃତ ୧୪୦ ଆହାତ, ନିଜକୁ ଦାୟୀ କଲା ଆତଙ୍କୀ ସଂଗଠନ ଆଇଏସଆଇଏସ : ଅଲଜଜିରା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ତାଲିବାନୀମାନେ ଆଫଗାନ ଦଖଲ କରିବା ପରେ ଏବେ ସେଠାକାର ସ୍ଥିତି ଅସମ୍ଭାଳ ହୋଇଛି । କାବୁଲ ବିମାନ ବନ୍ଦରରେ ଆଫଗାନ ନାଗରିକଙ୍କ ସହ ବିଦେଶୀ ନାଗରିକମାନେ ଆଫଗାନ ଛାଡିବାକୁ ଭିଡ ଜମାଇଥିବା ବେଳେ ସେଠାରେ ଏବେ ଏକ ବଡ ଧରଣର ବିସ୍ଫୋରଣ ହୋଇଛି ।କାବୁଲ ବିମାନବନ୍ଦର ବାହାରେ ଗୋଟିଏ ପରେ ଗୋଟିଏ ଦୁଇଟି ବିସ୍ଫୋରଣ ହୋଇଥିବା ସୂଚନା ରହିଛି। ବିମାନ ବନ୍ଦରଠାରୁ ପ୍ରାୟ ପାଞ୍ଚ କିଲୋମିଟର ଦୂରରେ ଥିବା ଏକ ହୋଟେଲ ନିକଟରେ ପ୍ରଥମ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି ପରେ ଗୁଳି ବିନିମୟ ହୋଇଛି। ଗୁରୁବାର ଦିନ ହୋଇଥିବା ବିସ୍ଫୋରଣରେ ଅତି କମରେ ୬୦ ଜଣଙ୍କର ମୃତ୍ୟୁ ହୋଇଥିବା ମେଡିକାଲ ସୂତ୍ରରୁ ସୂଚନା ମିଳିଛି। 

କଣ ଘଟିଲା ?

ଗୁରୁବାର ଦିନ କାବୁଲ ବିମାନବନ୍ଦରର ପରିସର ବାହାରେ ଦୁଇଟି ସିରିଜ୍ ବିସ୍ଫୋରଣ ଘଟିଲା। ପେଣ୍ଟାଗନ୍ ମୁଖପାତ୍ର ଜନ୍ କିର୍ବିଙ୍କ ସୂଚନା ମୁତାବକ ବିମାନ ବନ୍ଦରର ଆବି ଗେଟ୍ ନିକଟରେ ଗୋଟିଏ ବିସ୍ଫୋରଣ ଘଟିଛି।ଘଟଣାସ୍ଥଳରୁ ଏକ ଭିଡିଓ ସାମ୍ନାକୁ ଆସିଛି। ବିମାନବନ୍ଦର ବାହାରେ ଘଟିଥିବା ଏହି ବିସ୍ଫୋରଣରେ ଆମେରିକା ସୈନିକଙ୍କୁ ଟାର୍ଗେଟ କରାଯାଇଥିଲା ବୋଲି ବୁଝାପଡ଼ୁଛି।

ଦ୍ୱିତୀୟ ବିସ୍ଫୋରଣ Baron ହୋଟେଲ ନିକଟରେ ହୋଇଥିଲା, ଯେଉଁଠାରେ ଆଫଗାନିସ୍ତାନ, ବ୍ରିଟିଶ ଏବଂ ଆମେରିକୀୟଙ୍କ ସମେତ ଅନେକ ଲୋକ ବିମାନ ବନ୍ଦରକୁ ଯିବା ପୂର୍ବରୁ ଏକାଠି ହୋଇଥିବା କୁହାଯାଉଛି। 

ତାଲିବାନ ଅଗଷ୍ଟ ୧୫ ରେ କାବୁଲକୁ ନିଜ ଅକ୍ତିଆରକୁ ନେବା ପରେ ବିଦେଶୀ ନାଗରିକ ମାନେ ନାଟୋ ସୈନ୍ୟବାହିନୀ ସହଯୋଗରେ ବିମାନ ବନ୍ଦରରୁ ବିଭିନ୍ନ ଦେଶକୁ ଚାଲି ଯାଉଥିଲେ। 

ଏହି ଆକ୍ରମଣ ପଛରେ କିଏ ରହିଛି ?

ତେବେ ନ୍ୟୁଜ୍ ଏଜେନ୍ସି Amaq News ଅନୁଯାୟୀ ଏହି ଆକ୍ରମଣ ପଛରେ ଆଇଏସ୍ଆଇଏଲ୍ (ଆଇଏସ୍ଆଇଏସ୍)ର ହାତ ରହିଛି।ଆଫଗାନିସ୍ତାନରେ ଥିବା ଆଇଏସ୍ଆଇଏଲ୍ ସହଯୋଗୀ, ଖୋରାସାନ୍ ପ୍ରଦେଶରେ ଇସଲାମିକ୍ ଷ୍ଟେଟ୍ ଭାବରେ ଜଣାଶୁଣା, ଆଇଏସକେପି (ଆଇଏସ୍-କେ) ପାଶ୍ଚାତ୍ୟ ଦେଶ ତଥା ତାଲିବାନକୁ ବିରୋଧ କରୁଛି। ISKP ସଦସ୍ୟମାନେ, ସିରିଆ ଏବଂ ଇରାକରେ ଥିବା ବିଭିନ୍ନ ଆତଙ୍କୀ ସଙ୍ଗଠନ ସହ ଅଧିକ ଜଣାଶୁଣା । ସେମାନେ ସେଠାକାର ଆତଙ୍କବାଦୀ ସଂଗଠନର ମିଳିତ ସହଯୋଗରେ ଆଫଗାନିସ୍ତାନର ଶିଆ ମୁସଲମାନ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକଙ୍କୁ ଟାର୍ଗେଟ କରିଥାନ୍ତି। ଏହା ପୂର୍ବରୁ କାବୁଲର ଏକ ଡାକ୍ତରଖାନା ଉପରେ ୨୦୨୦ ରେ ଆକ୍ରମଣ କରିଥିଲେ। ଯେଉଁଥିରେ ଅନେକ ମହିଳା ଏବଂ ଶିଶୁ ପ୍ରାଣ ହରାଇଥିଲେ। 

କେତେ ଜଣ ପ୍ରାଣ ହରାଇଛନ୍ତି ? 

ବିସ୍ଫୋରଣର କିଛି ଘଣ୍ଟା ପରେ ତାଲିବାନର ଜଣେ ଅଧିକାରୀ ଏବଂ ଋଷର ଜଣେ ଅଧିକାରୀ କହିଛନ୍ତି ଯେ ବିସ୍ଫୋରଣରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି।

କିନ୍ତୁ ମେଡିକାଲ ସୂତ୍ରରୁ ଅଲ ଜଜିରା ରିପୋର୍ଟ କରିଛି ଯେ ଏହି ବିସ୍ଫୋରଣରେ ଅତି କମରେ ୬୦ ଜଣଙ୍କର ମୃତ୍ୟୁ ଘଟିଛି।  ଆଫଗାନିସ୍ତାନ ଅଧିକାରୀଙ୍କ ସୂତ୍ରରୁ ଗଣମାଧ୍ୟମ ରିପୋର୍ଟ ନିଶ୍ଚିତ କରିଛି ଯେ ଏହି ଆକ୍ରମଣରେ ଅତିକମରେ ୬୦ ଆଫଗାନ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି ଏବଂ ୧୪୦ ରୁ ଅଧିକ ଆଫଗାନିସ୍ତାନୀ ଆହତ ହୋଇଛନ୍ତି।

ଅନ୍ୟ ପକ୍ଷରେ ପେଣ୍ଟାଗନ୍ କହିଛି ଯେ ଏହି ଆତଙ୍କବାଦୀ ଆକ୍ରମଣରେ ଅତି କମରେ ୧୨ ଜଣ ଆମେରିକୀୟ ସୈନିକ ପ୍ରାଣ ହରାଇଛନ୍ତି ଏବଂ ଅନ୍ୟ ୧୫ ସେବା କର୍ମଚାରୀ ଆହତ ହୋଇଛନ୍ତି।

ଏହି ଆକ୍ରମଣ ଏକ ଆଶ୍ଚର୍ଯ୍ୟଜନକ ଘଟଣା କି ?

ତେବେ ଏହି ଦୁର୍ଘଟଣା ଆକସ୍ମିକ ନୁହେଁ। କାରଣ ବୁଧବାର ରାତିରୁ ସୂଚନା ମିଳୁଥିଲା ଯେ ଆଇଏସଆଇଏଲ ଆକ୍ରମଣ ପାଇଁ ଯୋଜନା ପ୍ରସ୍ତୁତ କରୁଛି। ଏ ନେଇ ଚେତାବନୀ ମଧ୍ୟ ଜାରି କରାଯାଇଥିଲା। 

ବୁଧବାର ବିଳମ୍ବିତ ରାତିରେ ଆମେରିକାର ଦୂତାବାସ ତିନିଟି ବିମାନବନ୍ଦର ଗେଟ୍ ରେ ନାଗରିକମାନଙ୍କ ଏଣ୍ଟ୍ରୀକୁ ଚେତାବନୀ ଜାରି କରି ଥିଲା। ଅଷ୍ଟ୍ରେଲିଆ, ବ୍ରିଟେନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଗୁରୁବାର ନିଜ ନାଗରିକମାନଙ୍କୁ ବିମାନ ବନ୍ଦରକୁ ନ ଆସିବା ପାଇଁ ପରାମର୍ଶ ଦେଇଥିଲେ। ଅଧିକାରୀମାନେ ଏକ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ନେଇ ଚେତାବନୀ ଜାରି କରିଥିଲେ। ଏପଟେ ପେଣ୍ଟାଗନ୍ ମୁଖପାତ୍ର କିର୍ବି କହିଛନ୍ତି ଯେ ଆଗକୁ ଆଉ କିଛି ବିମାନ ଉଡ଼ାଣ ଜାରି ରହିବ। ସେ ଟ୍ବିଟ୍ କରି କହିଛନ୍ତି ଯେ “କାବୁଲରେ ଏଭ୍ୟୁକେସନ୍ ଅପରେସନ୍ ୩୬ ଘଣ୍ଟା ମଧ୍ୟରେ ଶେଷ ହେବାର ସମ୍ଭାବନା ନାହିଁ। ମିଶନ ଶେଷ ହେବା ପର୍ଯ୍ୟନ୍ତ ଆମେ ଯେତେ ଲୋକଙ୍କୁ ବାହାର କରି ପାରିବୁ ସେ ନେଇ ଚେଷ୍ଟା ଜରି ରଖିବୁ ବୋଲି ସେ କହିଛନ୍ତି।  ତାଲିବାନ କହିଛି ଯେ ଆସନ୍ତା ସପ୍ତାହରେ ଅଗଷ୍ଟ ୩୧ ତାରିଖ ଡେଡ୍ ଲାଇନ୍ ଶେଷ ହେବା ପରେ ମଧ୍ୟ ସେମାନେ ଆଫଗାନିସ୍ତାନକୁ commercial flights ଉଡାଣ ଜାରି ରଖିବେ। 

Related Posts