ଲାଇଭ କମେଣ୍ଟ୍ରି ସମୟରେ ଅସୁସ୍ଥ ହୋଇ ପଡିଲେ ରିକି ପଣ୍ଟିଂ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଷ୍ଟ୍ରେଲିଆର ମହାନ ଖେଳାଳି ତଥା ପୂର୍ବତନ ଅଧିନାୟକ ରିକି ପଣ୍ଟିଂ ଅସୁସ୍ଥ ହୋଇ ପଡ଼ିଛନ୍ତି। ଏହାପରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଅଷ୍ଟ୍ରେଲିଆର ପର୍ଥ ଗ୍ରାଉଣ୍ଡରେ ଚାଲିଥିବା ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ପାଇଁ ରିକି ପଣ୍ଟିଂ କମେଣ୍ଟ୍ରି କରୁଥିବା ବେଳେ ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଲାଇଭ କମେଣ୍ଟ୍ରି ସମୟରେ ରିକି ପଣ୍ଟିଂ ଅସୁସ୍ଥ ଅନୁଭବ କରିବା ପରେ ତାଙ୍କୁ ସ୍ଥାନୀୟ ହସ୍ପିଟାଲ ନିଆଯାଇଥିବା ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ ଯେ, ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ପଣ୍ଟିଂ ଉଭୟ ୱାନଡେ ଏବଂ ଟେଷ୍ଟରେ ରେକର୍ଡ଼ସ୍ତରୀୟ ରନ୍‌ କରିବାରେ ଗୌରବ ଅର୍ଜନ କରିଛନ୍ତି। ଟେଷ୍ଟରେ ୧୩,୩୭୮ ଏବଂ ୱାନଡେରେ ୧୩,୭୦୪ ରନ୍‌ ହାସଲ କରିବାରେ ସେ ବିଶ୍ୱରେ ଜଣେ ଧୂଆଁଧାର ବ୍ୟାଟସ୍‌ମ୍ୟାନ ଭାବେ ଜଣାଶୁଣା। ୧୯୯୫ରୁ ୨୦୧୨ ପର୍ଯ୍ୟନ୍ତ ତାଙ୍କର ଅନ୍ତର୍ଜାତୀୟ କ୍ୟାରିଅରର ସ୍ୱର୍ଣ୍ଣିମ ଅଧ୍ୟାୟ ରହିଛି।

୨୦୧୨ରେ ପଣ୍ଟିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିବା ବେଳେ ୨୦୦୪ ରୁ ୨୦୧୦ ପର୍ଯ୍ୟନ୍ତ ୭୭ ଟି ଟେଷ୍ଟ ଖେଳିଛନ୍ତି। ସେଥିରୁ ଅଷ୍ଟ୍ରେଲିଆ ୪୮ଟି ଜିତିଛି। ବର୍ତ୍ତମାନ ସେ ଆଇପିଏଲ ଲିଗ୍‌ରେ ଦିଲ୍ଲୀ ଟିମ ତରଫରୁ ମୁଖ୍ୟ କୋଚ୍ ଅଛନ୍ତି।

Related Posts