ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ଠାରୁ ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ଆରମ୍ଭ ହୋଇଛି। ମାଲକାନଗିରି ଜିଲ୍ଲାରେ ଏହାର ପ୍ରଭାବ ସେତେଟା କିଛି ପରିଲକ୍ଷିତ ହୋଇନାହିଁ। ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଦୋକାନ ବଜାର ଖୋଲା ରହିଛି। ଯାନବାହନ ଘରୋଇ ବସ୍ ସ୍ୱାଭାବିକ ଭାବରେ ଚଳାଚଳ କରୁଥିବା ବେଳେ କେବଳ ମାଓବାଦୀଙ୍କ ଭୟରେ ସରକାରୀ ବସ୍ ଗୁଡିକ ବନ୍ଦ ରହିଛି।
ମାଲକାନଗିରି ଜିଲ୍ଲାରୁ କଟକ, ଭୁବନେଶ୍ୱର, ବ୍ରହ୍ମପୁର, ଆସ୍କା, ଭଞ୍ଜନଗର, ସମ୍ବଲପୁର, ରାଉଲକେଲା, ବରଗଡ଼, କୋରାପୁଟ, ନବରଙ୍ଗପୁର, ରାୟଗଡା, ଆନ୍ଧ୍ରପ୍ରଦେଶର ବିଜୟନଗରମ, ବିଶାଖାପାଟଣାକୁ ଦୂରଗାମୀ ସରକାରୀ ବସ୍ ଓ ସ୍ଥାନୀୟ ରୁଟକୁ ମଧ୍ୟ ସରକାରୀ ବସ୍ ଚଳାଚଳ ଆଜିଠାରୁ ବନ୍ଧ ହୋଇଯାଇ ଥିବାରୁ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ମାଓପ୍ରବଣ ଅଞ୍ଚଳକୁ ଘରୋଇ ବସ୍ ଓ ଯାନବାହନ ଚଳାଚଳ କରୁଥିବା ବେଳେ ସରକାରୀ ବସ୍ ଗୁଡିକୁ କେଉଁ ଉଦ୍ଦେଶ୍ୟରେ ବନ୍ଦ କରାଯାଉଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହେଉଛି। ସରକାର ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନକୁ ସମର୍ଥନ କରୁଛନ୍ତି ବୋଲି କେତକ ଯାତ୍ରୀ ଅସନ୍ତଷ ପ୍ରକାଶ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମାଓବାଦୀମାନେ ପ୍ରତିବର୍ଷ ଡିସେମ୍ବର ମାସ ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ କରିଥାନ୍ତି। ଆନ୍ଧ୍ର ଓଡ଼ିଶା ବଡର ଡିଭିଜନର ମାଓନେତା ଗଣେଶ ପ୍ରେସ ବିଜ୍ଞପ୍ତିରେ ଏହି ସପ୍ତାହକୁ ଗାଁ ଗାଁରେ ମହାସମାରୋହରେ ପାଳନ କରିବା ପାଇଁ ପୂର୍ବରୁ ଆହ୍ୱାନ ଦେଇଥିଲେ। ଏହି ଦିବସରେ ସହିଦଙ୍କ ସ୍ମୃତିଚାରଣ କରାଯିବ ବୋଲି କୁହାଯାଇଛି। ସରକାରଙ୍କର ମାଓ ଦମନ ରଣନୀତି ସମାଧାନକୁ ପରାସ୍ତ କରିବା ସହ ଏଥିରେ ବହୁ ସଂଖ୍ୟାରେ ଲୋକେ ଯୋଗ ଦେବା ପାଇଁ ଆହ୍ୱାନ ଦେଇଥିଲେ। ମାଓବାଦୀଙ୍କ ପିଏଲଜିଏ ସପ୍ତାହ ପାଳନ ଅବସରରେ କୌଣସି ହିଂସାକାଣ୍ଡର ଆଶଙ୍କାକୁ ଆଖି ଆଗରେ ରଖି ଜିଲ୍ଲା ପୁଲିସ ପ୍ରଶାସନ ପକ୍ଷରୁ ମାଓ ପ୍ରବଣ ଅଞ୍ଚଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହିତ କମ୍ବିଂ ଅପରେଶନକୁ ଜୋରଦାର କରାଯାଇଛି। ଆନ୍ଧ୍ର ଛତିଶଗଡ଼ ସୀମାନ୍ତ ଅଞ୍ଚଳକୁ ସିଲ କରାଯାଇଥିବା ଜଣାପଡ଼ିଛି।
