କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦର ଇବ୍ରାହିମର ଘନିଷ୍ଠ ସହଯୋଗୀ ରିୟାଜ ଭଟ୍ଟି ଗିରଫ

ମୁମ୍ବାଇ: ମୁମ୍ବାଇ କ୍ରାଇମବ୍ରଞ୍ଚ ହାତରେ ଲାଗିଲା କୁଖ୍ୟାତ ଅଣ୍ଡରୱାର୍ଲ୍ଡ ଡନ୍‌ ଦାଉଦର ଇବ୍ରାହିମର ଘନିଷ୍ଠ ସହଯୋଗୀ ରିୟାଜ ଭଟ୍ଟି । ମୁମ୍ବାଇର ଜଣେ ବ୍ୟବସାୟୀଙ୍କୁ ବଟି ମାଗିବା ଅଭିଯୋଗରେ ରିୟାଜକୁ ମୁମ୍ବାଇ ପୁଲିସ ଗିରଫ କରିଛି।

ସୂଚନା ମୁତାବକ, ଜଣେ ବ୍ୟବସାୟୀଙ୍କ ଠାରୁ ରିୟାଜ ୩୦ ଲକ୍ଷ ଟଙ୍କାର କାର୍‌ ଓ ପାଖାପାଖି ସାଢ଼େ ୭ ଲକ୍ଷ ଟଙ୍କା ନଗଦ ଜୋରଜବରଦସ୍ତି ଆଦାୟ କରିଥିଲେ। ଏହି ପରିପ୍ରେକ୍ଷୀରେ, ସମ୍ପୃକ୍ତ ବ୍ୟବସାୟୀ ଜଣକ ମୁମ୍ବାଇର ବୁର୍ସୋଭା ପୁଲିସ ଷ୍ଟେସନରେ ରିୟାଜ ଏବଂ ତା’ ସହଯୋଗୀ ଇକବାଲ କୁରେସି ଓରଫ୍‌ ସଲିମ ଫ୍ରୁଟ ବିରୋଧରେ ମାମଲା ରୁଜୁ କରିଥିଲେ।

କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ କହିବା ମୁତାବକ, ରିୟାଜ ଓ ସଲିମ ଫ୍ରୁଟ୍‌ ବ୍ୟବସାୟୀଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ଏହି ଟଙ୍କା ଲୁଟି ନେଇଥିଲେ। ଯେହେତୁ ପୁଲିସରେ ଏହି ଦୁଇ ଅପରାଧୀଙ୍କ ବିରୋଧରେ ଅନେକ ମାମଲା ରୁଜୁ ହୋଇଛି ତେଣୁ ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ ପୁଲିସ ଏକ ମାମଲା ରୁଜୁ କରି ତୁରନ୍ତ ଫାଇଲକୁ କ୍ରାଇମ ବ୍ରାଞ୍ଚକୁ ହସ୍ତାନ୍ତର କରିଥିଲା।

ଏହି କ୍ରମରେ କ୍ରାଇମ ବ୍ରାଞ୍ଚର ଟିମ୍ ସୋମବାର ବିଳମ୍ବିତ ରାତିରେ ଆନ୍ଧେରି ୱେଷ୍ଟରୁ ରିୟାଜକୁ ଗିରଫ କରିଛି। ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଆଣ୍ଟି ଏକ୍ସଟୋରସନ୍ ସେଲ୍ (ଏଇସି) ଅନୁଯାୟୀ, ମଙ୍ଗଳବାର ଦିନ ଏଇସି କାର୍ଯ୍ୟାଳୟରେ ପଚରାଉଚରା ପରେ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବ। ଏହି ସମୟରେ ଅଭିଯୁକ୍ତକୁ ରିମାଣ୍ଡରେ ନେବାକୁ ପୁଲିସ କୋର୍ଟରେ ଆବେଦନ କରିବ।

ଦାଉଦର ସହଯୋଗୀ ରିୟାଜର ଅପରାଧ ତାଲିକା ବେଶ୍‌ ଲମ୍ବା ରହିଛି। ସେ ପ୍ରାୟ ୧୨ ବର୍ଷ ହେବ ଅପରାଧ ଦୁନିଆରେ ସକ୍ରିୟ ରହିଛି। ତା’ବିରୋଧରେ ବଟି ଆଦାୟ କରିବା ବ୍ୟବତୀତ ଜମି ତଥା ଘର ହଡପ କରିବା, ଗୁଳିକାଣ୍ଡ, ମାରପିଟ୍‌, ହତ୍ୟା ଉଦ୍ୟମ ସମେତ ଅନେକ ମାମଲା ରୁଜୁ ଅଛି। ଏହି ମାମଲାରେ ପୂର୍ବରୁ ମଧ୍ୟ ସେ ଅନେକ ଥର ଗିରଫ ହୋଇସାରିଛି। ୨୦୧୫ରେ ଓ ୨୦୨୦ରେ ନକଲି ପାସପୋର୍ଟ ଜରିଆରେ ଦେଶ ଛାଡି ପଳାୟନ କରିବାକୁ ମଧ୍ୟ ସେ ପ୍ରାୟସ କରିସାରିଛି।

Related Posts