ବୃଦ୍ଧି ପାଇବ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ! ୨୦୨୪ ନିର୍ବାଚନ ଶେଷ ପର୍ଯ୍ୟନ୍ତ ରହି ପାରନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇବ।୨୦୨୪ ଲୋକସଭା ନିର୍ବାଚନକୁ ଦୁଇ ବର୍ଷରୁ କମ୍ ସମୟ ରହିଥିବାରୁ ନଡ୍ଡାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯିବ। ଦଳ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ନିର୍ବାଚନ ଶେଷ ହେବା ଯାଏଁ ଅର୍ଥାତ୍ ୨୦୨୪ ଏପ୍ରିଲ-ମେ’ ମାସ ପର୍ଯ୍ୟନ୍ତ ନଡ୍ଡା ବିଜେପି ଅଧ୍ୟକ୍ଷ ପଦବୀରେ ରହିବେ । ତେଣୁ ବର୍ତ୍ତମାନ ସମୟରେ ଦଳର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ହେବ ନାହିଁ ବୋଲି ସ୍ପଷ୍ଟ ହୋଇଛି ।

ତେବେ ବିଜେପିର ଦଳୀୟ ସମ୍ବିଧାନ ଅନୁସାରେ, ଜଣେ ବ୍ୟକ୍ତି ଅଧ୍ୟକ୍ଷ ପଦରେ ଅନୂନ୍ୟ ୩ ବର୍ଷ ଯାଏଁ ରହିପାରିବେ । ୨୦୨୩ ଜାନୁୟାରୀ ୨୦ରେ ନଡ୍ଡାଙ୍କ ତିନି ବର୍ଷୀୟ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । କିନ୍ତୁ ନଡ୍ଡାଙ୍କ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆସ୍ଥା ରହିଥିବାରୁ ଏବଂ ତାଙ୍କର ଭଲ ପ୍ରଦର୍ଶନକୁ ଦେଖି ତାଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇପାରେ ବୋଲି ବିଜେପି ନେତା କହିଛନ୍ତି । ୨୦୧୯ ଜୁଲାଇରେ ଜେପି ନଡ୍ଡାଙ୍କୁ ବିଜେପିର କାର୍ଯ୍ୟକାରୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ବ ମିଳିଥିଲା । ସେହିବର୍ଷ ୨୦୨୦ ମସିହା ଜାନୁୟାରୀ ୨୦ରେ ସର୍ବସମ୍ମତିକ୍ରମେ ସେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସ୍ଥାନରେ ପୂର୍ଣ୍ଣକାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ ।

ବିଜେପିର ନିୟମ ଅନୁଯାୟୀ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ୩ ବର୍ଷ ପାଇଁ କ୍ରମାଗତ ଦୁଇଥର ନିର୍ବାଚିତ ହୋଇପାରିବେ । ଏପରି ମଧ୍ୟ ପ୍ରାବଧାନ ରହିଛି ଯେ, ଅତିକମରେ ୫୦ ପ୍ରତିଶତ ରାଜ୍ୟ ୟୁନିଟରେ ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହେବା ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ କରାଯାଇ ପାରିବ । ଅଗଷ୍ଟରୁ ରାଜ୍ୟ ୟୁନିଟ ଗୁଡିକରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା କଥା । ହେଲେ ଏ ଯାଏଁ ତାହା ହୋଇନାହିଁ । ସେହିପରି ଆଗକୁ କିଛି ରାଜ୍ୟରେ ବିଧାନସଭା ନିର୍ବାଚନଥିବାରୁ ଦଳୀୟ ନେତାମାନେ ଏଥିପାଇଁ ବ୍ୟସ୍ତ ଅଛନ୍ତି ।

Related Posts