ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ନିକଟରେ ସଡ଼କ ଦୁର୍ଘଟଣା: ଓଲଟିଲା ଶ୍ରମିକ ବୋଝେଇ ମିନିଟ୍ରକ, ୨୦ ଆହତ, ୫ ଜଣ ଗୁରୁତର

ଢେଙ୍କାନାଳ: ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ନିକଟରେ ଘଟିଛି ଏକ ସଡକ ଦୁର୍ଘଟଣା | ଗୋଟିଏ ଟ୍ରକକୁ ଓଭରଟେକ କରୁଥିବା ବେଳେ ରୋଡ ଡିଭାଇଡରରେ ପିଟି ହୋଇ ଓଲଟି ପଡିଲା ମିନିଟ୍ରକ | ଢେଙ୍କାନାଳ ଜିଲ୍ଲା ବଡଝରା ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଛି | ଏହି ଦୁର୍ଘଟଣାରେ ୨୦ ଜଣ ଆହତ ହୋଇଥିବା ବେଳେ ୫ ଜଣ ଗୁରୁତର ହୋଇଛନ୍ତି ।

ଗୁରୁତର ଓ ଆହତ ମାନଙ୍କୁ ପ୍ରଥମେ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ୫ ଜଣ ଗୁରୁତରଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ଶ୍ରମିକ ପଶ୍ଚିମବଙ୍ଗ ରାଜ୍ୟର ମାଲଦା ଜିଲ୍ଲାର ବୋଲି ଜଣାପଡିଛି । ଏକ ନିର୍ମାଣଧିନ ସୁକିନ୍ଦା-ଅନୁଗୁଳ ନୂତନ ରେଳପଥରେ ନିୟୋଜିତ ନାଗାର୍ଜୁନ କନଷ୍ଟ୍ରକସନ କମ୍ପାନୀର ଶ୍ରମିକ ଭାବେ ନିୟୋଜତ ଥିଲେ। ଆଜି ୨୪ରୁ ଉର୍ଦ୍ଧ୍ବ ଶ୍ରମିକ ମୁକ୍ତାପଶି କ୍ୟାମ୍ପରୁ ରେଲଓ୍ବେ କାର୍ଯ୍ୟ ପାଇଁ କମଳାଙ୍ଗ ଗାଁ ସ୍ଥିତ ରେଲଓ୍ବେ ପ୍ରୋଜେକ୍ଟକୁ ଯାଉଥିଲେ । ବଡଝରା ନିକଟରେ ଗୋଟିଏ ଟ୍ରକକୁ ଓଭରଟେକ କରୁଥିବା ବେଳେ ରୋଡ ଡିଭାଇଡରରେ ପିଟି ହୋଇ ଟ୍ରକଟି ରାସ୍ତାରେ ଓଲଟି ପଡିଥିଲା ।ତେବେ ଡ୍ରାଇଭରର ବେପାରୁଆ ଗାଡି ଚାଳନା ଯୋଗୁଁ ଦୁର୍ଘଟଣା ଘଟିଥିବା ଶ୍ରମିକ ମାନେ ଅଭିଯୋଗ କରିଛନ୍ତି ।

ଶ୍ରମିକ ମାନଙ୍କୁ ଅସୁରକ୍ଷିତ ଭାବେ ଟ୍ରକରେ ନେବା ନେଇ ତଦନ୍ତ ହେବା ଆବଶ୍ୟକ ଏବଂ ପ୍ରଶାସନ ତୁରନ୍ତ ଏଥିପ୍ରତି କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣରେ ଦାବି ହୋଇଛି ।

Related Posts