୨୭ ବର୍ଷ ହେଲା ବନ୍ଦ ଥିବା ରାସ୍ତାକୁ ଖୋଲିଲା ସେନା

27 ବର୍ଷ ତଳେ ସୁରକ୍ଷା ଦୃଷ୍ଟିରୁ ବନ୍ଦ କରାଯାଇଥିବା ରାସ୍ତାକୁ ଖୋଲି ଦିଆଯାଇଛି । ବାରଣାସୀର ଗୋରଖା ଟ୍ରେନିଂ ସେଣ୍ଟର ଠାରୁ କରିୟପ୍ପା ମାର୍ଗକୁ ୨୭ ବର୍ଷ ପରେ ମଙ୍ଗଳବାର ଖୋଲାଯାଇଛି । ଭାରତୀୟ ସେନା ପକ୍ଷରୁ ଏହି ରାସ୍ତା ଖୋଲାଯିବା ପରେ ବାରଣାସୀ ସହରରେ ଭିଡ଼ରୁ କିଛିଟା ନିସ୍ତାର ମିଳିଛି ।

ତେବେ ଏହି ରାସ୍ତାକୁ ପରୀକ୍ଷା ମୂଳକ ଭାବରେ ଖୋଲାଯାଇଛି । ପରେ ଏହାକୁ ସ୍ଥାୟୀ ରୂପରେ ଖୋଲାଯିବ କି ନାହିଁ ସେ ନେଇ ନିଷ୍ପତ୍ତି ନିଆଯିବ । ବାରଣାସୀରେ ପ୍ରବାସୀ ଭାରତୀୟ ସମ୍ମିଳୀନର ଆୟୋଜନ କରାଯାଇଛି । ଏଥିପାଇଁ ସହରରେ ଭିଡ଼କୁ ଦୃଷ୍ଟିରେ ରଖି କରିୟପ୍ପା ମାର୍ଗକୁ ୨୭ ବର୍ଷ ପରେ ଖୋଲିବାକୁ ନିଷ୍ପତ୍ତି ନିଆଗଲା ।

ଜିଲ୍ଲା ମାଜିଷ୍ଟ୍ରେଟ୍‌ ସୁରେନ୍ଦ୍ର ସିଂହ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ପ୍ରତିରକ୍ଷା ମନ୍ତ୍ରାଳୟକୁ ଚିଠି ଲେଖି ସହରର ଭିଡ଼କୁ ଦୃଷ୍ଟିରେ ରଖି କରିୟପ୍ପା ମାର୍ଗ ବିକଳ୍ପ ରାସ୍ତା ଭାବେ ଖୋଲିବାକୁ ଦାବି କରିଥିଲେ । ରାସ୍ତା ଖୋଲିବା ପୂର୍ବରୁ ମଙ୍ଗଳବାର ସେ ୩୯ ଜିଟିସିର ବ୍ରିଗେଡିୟର ଓ ଅନ୍ୟ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ତା’ ପରେ ସେନା ପକ୍ଷରୁ ରାସ୍ତା ଖୋଲି ଦିଆଯାଇଥିଲା ।

ପ୍ରବାସୀ ଭାରତୀୟ ସମ୍ମିଳନୀରେ ବିଦେଶରୁ ଆସୁଥିବା ଅତିଥିମାନେ ଜିଟିସି ଟ୍ରେନିଂ ସେଣ୍ଟର ଓ ସଂଗ୍ରହାଳୟ ଦେଖିବାକୁ ଯାଇପାରିବେ ବୋଲି ମିଟିଂରେ ସହମତି ହୋଇଛି । କରିୟପପା ମାର୍ଗରେ ଆଗାମୀ ଦିନରେ କିଛି ନିୟମ ପାଳନ କରାଯିବ । ଏ ସଂପର୍କରେ ବୁଧବାର ଗାଇଡ୍‌ଲାଇନ ଜାରି କରାଯିବ ।

ସୂଚନାଯୋଗ୍ୟ, ବାରଣାସୀର କରିୟପ୍ପା ମାର୍ଗକୁ ୧୯୯୨ରେ ସୁରକ୍ଷା ଦୃଷ୍ଟିରୁ ସେନା ବନ୍ଦ କରିଦେଇଥିଲା । ଏହି ରାସ୍ତା ଖୋଲିବା ପରେ ସହର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ଯିବା ଆସିବା ପାଇଁ କମ୍‌ ସମୟ ଲାଗିବ ଓ ଭିଡ଼ରୁ ବି ମୁକ୍ତି ମିଳିଯିବ ।

Related Posts