ମହାମେଣ୍ଟ ଚିତ୍ର ଅସ୍ପଷ୍ଟ:ମମତାଙ୍କ ମହାମେଣ୍ଟ ବୈଠକ, ଯୋଗ ଦେବେନି ମାୟା ଓ ରାହୁଲ !

2019ର ମହାଲଢ଼େଇ ପାଇଁ ଏ ଯାଏଁ ବିରୋଧୀ ମହାମେଣ୍ଟର କିଛି ନିର୍ଦ୍ଦିଷ୍ଟ ରୂପରେଖ ପ୍ରସ୍ତୁତ ହୋଇପାରିନାହିଁ । ଉତ୍ତରପ୍ରଦେଶରେ ଯଦିଓ ମାୟା-ଅଖିଳେଶ ଏକାଠି ହୋଇଛନ୍ତି, ଏଥିରୁ କଂଗ୍ରେସକୁ ବାଦ୍‌ ଦିଆଯିବା ନୂଆ ସମୀକରଣ ସୃଷ୍ଟି କରିଛି । ବିହାରରେ ମଧ୍ୟ ଅନୁରୂପ ସ୍ଥିତି ହେବା ଭଳି ଦେଖାଯାଉଛି ।

ଗତବର୍ଷ କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ କୁମାରସ୍ବାମୀଙ୍କ ଶପଥଗ୍ରହଣ ସମାରୋହରେ ଯେଉଁ ବିରୋଧୀ ଏକଜୁଟତା ଦେଖାଯାଇଥିଲା, ତାହା ପରେ ଏକତାରେ ପରିବର୍ତ୍ତିତ ହୋଇପାରିନାହିଁ । 2018 ଶେଷ ବେଳକୁ ଅନୁଷ୍ଠିତ ତିନି ହିନ୍ଦୀ ଭାଷୀ ରାଜ୍ୟରେ କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହରୁ ଦୂରେଇ ରହିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ, ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଓ ବିଏସ୍‌ପି ସୁପ୍ରିମୋ ମମତା ବାନାର୍ଜୀ । ଅନ୍ୟପଟେ ଚନ୍ଦ୍ରବାବୁ ନାଇଡୁଙ୍କ ସ୍ଥିତି ମଧ୍ୟ କିଛି ସ୍ପଷ୍ଟ ନୁହେଁ ।

ତା’ ପରଠାରୁ ମହାମେଣ୍ଟ ନେଇ ସେପରି କୌଣସି ଉଦ୍ୟମ ହୋଇନାହିଁ । କିନ୍ତୁ ଦୁଇ ଦିନ ପରେ ଅର୍ଥାତ୍‌ ଆସନ୍ତା 19 ତାରିଖରେ କୋଲକାତାରେ ଏକ ବିଶାଳ ରାଲି କରୁଛନ୍ତି ମମତା ବାନାର୍ଜୀ । ଏଥିରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓ ମାୟାବତୀ ଯୋଗଦେବା ନେଇ କୁହାଯାଉଥିଲେ ବି ଏମାନଙ୍କ ଯୋଗଦେବାର ସମ୍ଭାବନା କମ୍‌ ।

ଟିଏମ୍‌ସିର ଏହି ରାଲିରେ କଂଗ୍ରେସ ପକ୍ଷରୁ ସାଂସଦ ମଲିକାର୍ଜୁନ ଖଡ଼ଗେ ସାମିଲ ହୋଇପାରନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜେ ଏ ନେଇ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏକ ବଡ଼ ଜନସଭାର ଆୟୋଜନ କରି ମମତା ପଶ୍ଚିମବଙ୍ଗରୁ ଦିଲ୍ଲୀ ଯାଏଁ ଶକ୍ତି ପ୍ରଦର୍ଶନ କରାଇବାକୁ ଚାହୁଁଥିଲେ । କିନ୍ତୁ କଂଗ୍ରେସ ଏଥିରୁ ଦୂରରେ ରହିବାକୁ ଉଦ୍ୟମ କରୁଛି । ଅନ୍ୟପଟେ ପଶ୍ଚିମବଙ୍ଗର କଂଗ୍ରେସ ନେତାଏ ଚାହୁଁଛନ୍ତି ଯେ, ରାହୁଲ ନିଜେ ପଶ୍ଚିମବଙ୍ଗରେ ରାଲି କରନ୍ତୁ ।

ମମତା କହିଛନ୍ତି, ତାଙ୍କ ରାଲିରେ ୨୦ ଜଣ ବିରୋଧୀ ଦଳ ନେତା ସାମିଲ ହେବେ । ଏଚ୍‌ଡି ଦେବେଗୌଡ଼ା, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଅଖିଳେଶ ଯାଦବ, ତେଜସ୍ୱୀ ଯାଦବ, ଶରଦ ପାୱାର, ବଦରୁଦ୍ଦିନ ଆଜମଲ, ଏମ୍‌କେ ଷ୍ଟାଲିନ, ଅରୁଣ ସୌରୀ, ଚନ୍ଦ୍ରବାବୁ ନାଇଡୁ, ଅଜିତ ସିଂହ, ସଂଜୟ ଚୌଧୁରୀ, ଫାରୁଖ ଅବଦୁଲା, ଅମର ଅବଦ୍ଦୁଲା, ଶତ୍ରୁଘ୍ନ ସିହ୍ନା, ବାବୁଲାଲ ମରାଣ୍ଡି, ଯଶୱନ୍ତ ସିହ୍ନା, ହାର୍ଦ୍ଦିକ ପଟେଲ ଓ ଜିଗ୍ନେଶ ମେୱାଣି ସାମିଲ ହେବେ ବୋଲି କହିଛନ୍ତି ମମତା ।

Related Posts