ପାର୍ବଣରେ ଲୁଟେରା ସକ୍ରିୟ, ରାଜଧାନୀ ପୂଜା ମଣ୍ଡପରୁ ଦୁଇଦିନରେ ୧୫ ବାଇକ୍, ୩୭ହଜାର ଟଙ୍କା ଲୁଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପାର୍ବଣ ପାଇଁ ଏବେ ଚାରିଆଡ଼େ ଉତ୍ସବର ମାହୋଲ। ସୁରକ୍ଷା ପାଇଁ ରାଜଧାନୀରେ ଛାଇ ହୋଇଯାଇଛନ୍ତି ପୋଲିସ। ଫୋକସ୍‌ରେ ଟ୍ରାଫିକ୍ ପରିଚାଳନା। କିପରି ପୂଜା ମଣ୍ଡପ ନିକଟରେ ଭିଡ଼ ନ ହେବ, କମିସନରେଟ ପୁଲିସ ସେ ଦିଗରେ ଧ୍ୟାନ ଦେଉଛି। କିନ୍ତୁ ଏହାରି ଭିତରେ ମଧ୍ୟ ରାଜଧାନୀରେ ଲୁଟେରାମାନେ ସକ୍ରିୟ ହୋଇଛନ୍ତି। ଭିଡର ସୁଯୋଗ ନେଇ ଲୁଟେରା ମାନେ ଲୋକଙ୍କଠାରୁ ଲୁଟ କରୁଛନ୍ତି। କାହାର ପକେଟମାର୍‌ ତ ଆଉ କାହାର ଭ୍ୟାନିଟି କାଟି ଟଙ୍କା, ମୋବାଇଲ୍‌ ନେଇ ଯାଉଛନ୍ତି । ଏହି ଲୁଟେରା ମାନଙ୍କ ପକ୍ଷରୁ ବାଇକ୍‌ ମଧ୍ୟ ବାଦ୍ ପଡିନି। ଗତ ଦୁଇ ଦିନ ମଧ୍ୟରେ ରାଜଧାନୀର ବିଭିନ୍ନ ପୂଜା ମଣ୍ଡପ ନିକଟରୁ ୧୫ରୁ ଅଧିକ ବାଇକ୍ ଓ ପାଖାପାଖି ୩୭ହଜାର ଟଙ୍କା ଲୁଟି ନେଇଛନ୍ତି ଲୁଟେରା। ଏନେଇ ବିଭିନ୍ନ ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ମଣ୍ଡପରେ ଲାଗିଥିବା ସିସି ଟିଭି କ୍ୟାମେରାର ଯାଞ୍ଚ ଆରମ୍ଭ କରିଛି।

ସୂଚନା ଅନୁସାରେ, ମଞ୍ଚେଶ୍ବର ଥାନା ଅଧୀନ ରସୁଲଗଡ଼ ପୂଜାମଣ୍ଡପ, ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା ପୂଜାମଣ୍ଡପ, ସହିଦନଗର ଥାନା ଅଧୀନ ସହିଦନଗର ପୂଜାମଣ୍ଡପ ଓ ନୂଆପଲ୍ଲୀ ଥାନା ଅଧୀନ ନୂଆପଲ୍ଲୀ ପୂଜାମଣ୍ଡପର ନିକଟରୁ ଏଭଳି ଲୁଟପାଟ୍‌ ଓ ଚୋରି ହୋଇଥିବା ଖବର ଆସିଛି। ରସୁଲଗଡ଼ ପୂଜାମଣ୍ଡପ ନିକଟରେ ଲୁଟେରା ଅଧିକ ସକ୍ରିୟ ଅଛନ୍ତି। ବିଶେଷକରି, ବାଇକ୍ ଚୋରି ଓ ପକେଟମାର୍‌ ଭଳି ଘଟଣା ଏଠାରେ ଅଧିକ ଘଟୁଛି। ଦୁଇଦିନ ମଧ୍ୟରେ ଏଠା‌ରୁ ୩ଟି ବାଇକ୍ ଚୋରି ହୋଇଛି। ସେହିପରି ବିଭିନ୍ନ ପୂଜାମଣ୍ଡପ ନିକଟରୁ ମହିଳାମାନଙ୍କ ଭ୍ୟାନିଟି କାଟି ଟଙ୍କା ଓ ଦାମୀ ସାମଗ୍ରୀ ଲୁଟି ନେଇଛନ୍ତି। ପୁରୁଷମାନେ ମଧ୍ୟ ପର୍ସ ଚୋରିର ଶିକାର ହୋଇଛନ୍ତି। ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପାଖାପାଖି ୩୭ହଜାର ଟଙ୍କା ବିଭିନ୍ନ ପୂଜା ମଣ୍ଡପ ନିକଟରୁ ଚୋରି ହୋଇସାରିଲାଣି।

Related Posts